ଦୂତିଙ୍କୁ ମିଳିଲା ରାଜ୍ୟପାଳଙ୍କ ଶୁଭେଚ୍ଛା ‘ବିଶ୍ବ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣ’

ଭୁବନେଶ୍ବର: ଦ୍ବିତୀୟ ଥର ଅଲିମ୍ପିକ୍ସ ଖେଳିବା ଲାଗି ଟୋକିଓ ଯିବା ପୂର୍ବରୁ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ମିଳିଯାଇଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଶୁଭେଚ୍ଛା, ଶୁଭକାମନା ଓ ଆଶୀର୍ବାଦ। ବୁଧବାର ରାଜଭବନରେ ଦୂତିଙ୍କୁ ଟୋକିଓ ଅଲିମ୍ପିକ୍ସର ଯୁଗଳ ଯୋଗ୍ୟତା ଲାଗି ଅଭିନନ୍ଦନ ଜଣାଇବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମହାମହିମ ରାଜ୍ୟପାଳ। ତା ସହ ଦୂତିଙ୍କ ମନୋବଳ ବଢ଼ାଇ କହିଥିଲେ ‌ଯେ ଯାଅ ବିଶ୍ବକୁ ଜିତ, ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗର୍ବ ଓ ଗୌରବ ଆଣ।

ସେହିଭଳି ଭାରତୀୟ ଦଳରେ ସ୍ଥାନ ପାଇଥିବା କିଟ୍‌ ବିଶ୍ବବିଦ୍ୟାଳୟର ଛାତ୍ର ଶିବପାଲ ସିଂହ (ଜାଭେଲିନ୍) ଓ ଭବାନୀ ଦେବୀ (ଅସି ଚାଳନା)ଙ୍କୁ ମଧ୍ୟ ରାଜ୍ୟପାଳ ଭର୍ଚୁଆଲ ମୋଡ଼ରେ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ତିନି ଜଣଯାକଙ୍କୁ ୫୦,୦୦୦ ଟଙ୍କା ଲେଖାଏଁର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବର ଫଟୋ ମଧ୍ୟ ରାଜ୍ୟପାଳ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲେ। ଦୂତି ମଧ୍ୟ ରାଜ୍ୟପାଳ ତା’ଙ୍କୁ ସମ୍ବର୍ଦ୍ଧିତ କରୁଥିବାର ଫଟୋ ଫେସବୁକ୍‌ରେ ପ୍ରକାଶ କରି ଲେଖିଥିଲେ ଯେ ଭବାନୀ, ଶିବପାଲ ଓ ମୋତେ ଅଲିମ୍ପିକ୍ସ ପୂର୍ବରୁ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଜୀ ଆଶୀର୍ବାଦ ଦେଇଥିବାରୁ ମୁଁ ଗର୍ବିତ ଓ ଋଣୀ। ରାଜ୍ୟପାଳଙ୍କୁ ଭେଟିବାର ବ୍ୟବସ୍ଥା କରିଥିବାରୁ ପ୍ରଫେସର ଅଚ୍ୟୁତ ସାମନ୍ତ ସାର୍‌ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ବୋଲି ଲେଖିଥିଲେ। ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଶ୍ରୀ ସାମନ୍ତଙ୍କ ସହ ରାଜ୍ୟପାଳଙ୍କ ସଚିବ ପ୍ରମୋଦ ମେହେର୍ଦା ଉପସ୍ଥିତ ଥି‌ଲେ।

ସମ୍ବନ୍ଧିତ ଖବର