ସକ୍ରିୟ ହେଲା ଅମୁଲ୍‌ ଟ୍ବିଟର୍‌ ଆକାଉଣ୍ଟ୍‌

ନୂଆଦିଲ୍ଲୀ: ଚୀନ୍‌ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ବହିଷ୍କାର ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ଛବିକୁ ଅପ୍‌ଲୋଡ୍ ପରେ ଟ୍ବିଟର୍‌ କର୍ତ୍ତୃପକ୍ଷ ଅମୁଲ୍‌ର ଟ୍ବିଟର୍‌ ହାଣ୍ଡେଲ୍‌କୁ ନିଷ୍କ୍ରିୟ କରିଥିଲେ। ପୁଣି ଥରେ ସେହି ଆକାଉଣ୍ଟ୍‌କୁ ସକ୍ରିୟ କରାଯାଇଛି। ଆକାଉଣ୍ଟ୍‌ ସକ୍ରିୟ ହେବା ପରେ ପୁଣି ଥରେ ଅମୁଲ୍‌ ‌ସେହି ଛବିକୁ ପୋଷ୍ଟ୍‌ କରିଛି। ପ୍ରଥମେ ଏହି ଛବିକୁ ଜୁନ୍ ୩ରେ ଅପ୍‌ଲୋଡ୍ କରାଯାଇଥିଲା। ଚର୍ଚ୍ଚିତ ଅମୁଲ୍‌ ଗାର୍ଲ ଏକ ଡ୍ରାଗନ୍‌କୁ ଅଟକାଉଥିବାର ଛବି ସେଥିରେ ରହିଛି। ଏହା ସହିତ ଚୀନ୍‌ର ଏକ ଲୋକପ୍ରିୟ ଭିଡିଓ ଆପ୍‌ର ଲୋଗୋ ମଧ୍ୟ ଅସ୍ପଷ୍ଟ ଭାବେ ବ୍ୟବହାର କରାଯାଇଛି। ଏହି ଛବି ଅପ୍‌ଲୋଡ୍‌ ହେବା ପରେ କଂପାନିର ଆକାଉଣ୍ଟ୍‌ ବ୍ଲକ୍ ହେବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ସୁରକ୍ଷା ଦୃ‌ଷ୍ଟିରୁ ଅମୁଲ୍‌ର ଟ୍ବିଟର୍‌ ହାଣ୍ଡେଲ୍‌କୁ ନିଷ୍କ୍ରିୟ କରାଯାଇଥିଲା ବୋଲି ଟ୍ବିଟର୍‌ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। କିଛି ଦିନ ପୂର୍ବରୁ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ‘ରିମୁଭ୍ ଚାଇନିଜ୍ ଆପସ୍‌’ ନାମକ ଏକ ଆପ୍ ପ୍ରତ୍ୟାହାର କରିନିଆଯିବା ପରେ ‌ବିବାଦ ଦେଖାଦେଇଥିଲା। ଅନ୍ୟ ଆପ୍‌କୁ ଅନ୍‌ଇନଷ୍ଟଲ୍ କରିବା ଲାଗି ଉସୁକାଉଥିବାରୁ ଏହି ଆପ୍‌କୁ ପ୍ଲେଷ୍ଟୋର୍‌ରୁ ହଟାଇ ଦିଆଯାଇଛି ବୋଲି ଗୁଗୁଲ୍‌ ସଫେଇ ଦେଇଥିଲା। ସେହିପରି, ଟିକ୍‌ ଟକ୍‌ର ନକଲ କରିଥିବା ମିତ୍ରୋଁ ଆପ୍‌କୁ ମଧ୍ୟ ପ୍ଲେ ଷ୍ଟୋର୍‌ରୁ ହଟାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର