ମୁମ୍ବାଇ: ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ ୨୦୨୩-୨୪ ଆର୍ଥିକବର୍ଷରେ ୧୩୫ କୋଟି ଟଙ୍କାର ବେତନ ପାଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ଏହା ୨୦ ପ୍ରତିଶତ ଅଧିକ। ଯେକୌଣସି ଭାରତୀୟ କମ୍ପାନିର ସର୍ବାଧିକ ବେତନ ପାଉଥିବା ପ୍ରଫେସନାଲ ବ୍ୟକ୍ତିଙ୍କ ମଧ୍ୟରେ ଚନ୍ଦ୍ରଶେଖରନ୍‌ ସବୁଠୁ ଆଗରେ ଅଛନ୍ତି। 

Advertisment

ଏଥିସହିତ ଟାଟା ସନ୍ସର ସମସ୍ତ ନିର୍ଦ୍ଦେଶକମାନଙ୍କ ବେତନରେ ୧୬ ପ୍ରତିଶତ ବୃଦ୍ଧି ଘଟିଛି। କମ୍ପାନି ଏହାର ଶୀର୍ଷ ନିର୍ଦ୍ଦେଶକମାନଙ୍କୁ ୨୦୨୩-୨୪ରେ ୨୦୦ କୋଟି ଟଙ୍କା ପ୍ରଦାନ କରିଛି, ଯାହାକି ୨୦୨୨-୨୩ରେ ୧୭୨.୫ କୋଟି ଟଙ୍କା ରହିଥିଲା। ଏହି ସମୟ ମଧ୍ୟରେ ଟାଟା ସନ୍ସ କର୍ମଚାରୀଙ୍କ ‌ଦରମା ଓ ପାରିଶ୍ରମିକରେ ୨.୫ ପ୍ରତିଶତ ବୃଦ୍ଧି ଘଟି ୪୪୧ କୋଟି ଟଙ୍କାରେ ପହଞ୍ଚିଛି। 

ଟାଟା ସନ୍ସର ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍‌ଓ) ସୌରଭ ଅଗ୍ରୱାଲ ଟାଟା ଗ୍ରୁପ୍‌ର ସବୁଠୁ ଅଧିକ ବେତନ ପାଉଥିବା ଅଧିକାରୀମାନଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୨୦୨୩-୨୪ ଆର୍ଥିକବର୍ଷରେ ସେ ୩୦ କୋଟି ଟଙ୍କାର ବେତନ ପାଇଛନ୍ତି। ୨୦୨୨-୨୩ର ବେତନ ତୁଳନାରେ ସେ ୯ ପ୍ରତିଶତ ଅଧିକ ପାଇଛନ୍ତି। ଟିସିଏସ୍‌ର ସିଇଓ କୃତ୍ତିବାସନ, ଆଇଏଚ୍‌ସିଏଲ୍‌ର ମୁଖ୍ୟ ଛତୱାଲ ଏବଂ ଟାଟା ଷ୍ଟିଲ୍‌ର ମୁଖ୍ୟ ଟିଭି ନରେନ୍ଦ୍ରନ ୨୦୨୩-୨୪ ଆର୍ଥିକବର୍ଷରେ ଯଥାକ୍ରମେ ୨୫ କୋଟି, ୧୯ କୋଟି ଏବଂ ୧୭ କୋଟି ବେତନ ପାଇଛନ୍ତି। 
୨୦୨୩-୨୪ ଆର୍ଥିକବର୍ଷରେ ଟାଟା ସନ୍ସର ରାଜସ୍ବ ୨୫ ପ୍ରତିଶତ ବୃଦ୍ଧି ପାଇ ୪୩,୮୯୩ କୋଟି ଟଙ୍କାରେ ପହଞ୍ଚିଛି। ଟାଟା ସନ୍ସର ଆୟରେ ଟିସିଏସ୍‌ର ଯୋଗଦାନ ସର୍ବାଧିକ ରହିଛି।