ବିଏସ୍‌ଏଫ୍ ଓ ପାକ୍ ରେଞ୍ଜର୍ସଙ୍କ ଧ୍ବଜାବତରଣ କାର୍ଯ୍ୟକ୍ରମ ବନ୍ଦ ପରେ ଅଟାରି-ୱାଘା ସୀମା ଶୂନଶାନ୍, କାରବାର ଠପ୍

ନୂଆଦିଲ୍ଲୀ: ଭାରତର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍) ଓ ପାକିସ୍ତାନୀ ରେଞ୍ଜର୍ସଙ୍କ ଧ୍ବଜାବତରଣ କାର୍ଯ୍ୟକ୍ରମ ଦେଖିବା ଲାଗି ପ୍ରତି ସନ୍ଧ୍ୟାରେ ଅଟାରି-ୱାଘା ସୀମାରେ ଲୋକଙ୍କ ଭିଡ଼ ଜମୁଥିଲା। ମାତ୍ର କରୋନା ମହାମାରୀ ବ୍ୟାପିବା ପରଠାରୁ ଏହି ଅଞ୍ଚଳ ଶୂନଶାନ ହୋଇଯାଇଛି। ଉଭୟ ଦେଶ ପକ୍ଷରୁ ଧ୍ବଜାବତରଣ କାର୍ଯ୍ୟକ୍ରମ ବାତିଲ କରାଯାଇଥିବାରୁ ପୂର୍ବଭଳି ଆଉ ‌ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ। ଏହା ସ୍ଥାନୀୟ ଅର୍ଥନୀତିକୁ ଗୁରୁତର ଭା‌ବେ ପ୍ରଭାବିତ କରିଛି। ମହାମାରୀ ପୂର୍ବରୁ ଏହି ଅଞ୍ଚଳର ଅର୍ଥନୀତି ଗୁରୁତର ସଙ୍କଟ ଦେଇ ଗତି କରୁଥିଲା। କରୋନା ବ୍ୟାପିବା ପରେ ସ୍ଥିତି କେବଳ ଆହୁରି ଖରାପ ହୋଇଛି। ୨୦୧୯ ଫେବ୍ରୁଆରିରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା।

କାରବାର କ୍ଷେତ୍ରରେ ପାକିସ୍ତାନକୁ ଦିଆଯାଇଥିବା ସବୁଠୁ ପସନ୍ଦଯୋଗ୍ୟ ରାଷ୍ଟ୍ର (ଏମ୍ଏଫ୍‌ଏନ୍) ମାନ୍ୟତାକୁ ଭାରତ ପ୍ରତ୍ୟାହାର କରିନେଇଥିଲା ଏବଂ ପାକିସ୍ତାନରୁ ଆସୁ୍‌ଥିବା ସାମଗ୍ରୀଗୁଡ଼ିକ ଉପରେ ଆମଦାନି ଶୁଳ୍କ ୨୦୦% ବୃଦ୍ଧି କରାଯାଇଥିଲା। ସେହିବର୍ଷ ଅଗଷ୍ଟରେ ଭାରତ ସହ ଥିବା ସମସ୍ତ ବାଣିଜ୍ୟ ସମ୍ପର୍କକୁ ପାକିସ୍ତାନ ରଦ୍ଦ କରିଥିଲା। ଅଟାରି-ୱାଘା ସୀମା ଉଭୟ ଦେଶ ମଧ୍ୟରେ ସଡ଼କ ପଥ କାରବାରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲା। ପରିବହନକାରୀଙ୍କ ବ୍ୟତୀତ ପ୍ରାୟ ୧୫୦୦ ଶ୍ରମିକ ଏହା ଉପରେ ନିର୍ଭରଶୀଳ ଥିଲେ। ଟ୍ରକ୍‌ରେ ଆସୁଥିବା ସାମଗ୍ରୀ ବାହାର କରିବା କିମ୍ବା ପାକିସ୍ତାନକୁ ପଠାଯିବାକୁ ଥିବା ସାମଗ୍ରୀ ଟ୍ରକ୍‌ରେ ଲଦିବା କର୍ଯ୍ୟରେ ସେମାନେ ନିୟୋଜିତ ହୋଇଥିଲେ। ଏହି ଅଞ୍ଚଳକୁ ଲୋକଙ୍କ ଆଗମନ କମିବା ପରେ ପୋଷାକ ବିକ୍ରେତା, ଢାବା ମାଲିକ, ଟାଟୁ ଦୋକାନ, ପାତାକା ଅଙ୍କନ କରୁଥିବା ଶିଳ୍ପୀ, ଜୁସ ଦୋକାନୀଙ୍କ ବେପାର ଠପ୍ ହୋଇଛି।

ସମ୍ବନ୍ଧିତ ଖବର