ନୂଆଦିଲ୍ଲୀ: ଗତବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଥିବା ଛଅ ମାସର ମୋରାଟୋରିଅମ୍ ଅବଧିର ଚକ୍ରବୃଦ୍ଧି ସୁଧକୁ ଛାଡ଼ କରିବା ଲାଗି ସୁପ୍ରିମ୍କୋର୍ଟ ନିର୍ଦେଶ ଦେଇଥିଲେ। ସେହି ବୋଝକୁ ବ୍ୟାଙ୍କ ଓ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ନିଜେ ଭରଣା କରିଛନ୍ତି। ସୁଧ ଛାଡ଼ ବାବଦ ଟଙ୍କା ଫେରାଇବା ଲାଗି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ତରଫରୁ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି। ୨୦୨୦ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତର ଚକ୍ରବୃଦ୍ଧି ସୁଧକୁ ବ୍ୟାଙ୍କଗୁଡ଼ିକ ଛାଡ଼ କରିଛନ୍ତି। ଦୁଇ କୋଟି ଟଙ୍କାରୁ କମ୍ ମୂଲ୍ୟର ସମସ୍ତ ଋଣ ଉପରୁ ଚକ୍ରବୃଦ୍ଧି ସୁଧ ଛାଡ଼ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦେଶ ଦେଇଥିଲେ।
ଚକ୍ରବୃଦ୍ଧି ସୁଧ ଛାଡ଼ ସହାୟତା ସ୍କିମ୍ ପାଇଁ ସରକାରଙ୍କ ଉପରେ ୨୦୨୦-୨୧ ଆର୍ଥିକ ବର୍ଷରେ ୫,୫୦୦ କୋଟି ଟଙ୍କାର ବୋଝ ପଡ଼ିଥିଲା। ଏହି ସ୍କିମ୍ରେ ସବୁ ପ୍ରକାର ଋଣଗ୍ରହୀତାଙ୍କୁ ସାମିଲ କରାଯାଇଛି। ମୋରାଟୋରିଅମ୍ ସୁବିଧା ନେଇ ନଥିବା ଗ୍ରାହକଙ୍କୁ ମଧ୍ୟ ଚକ୍ରବୃଦ୍ଧି ସୁଧ ଫେରସ୍ତ କରାଯାଇଛି। ଏହି ନିର୍ଦେଶକୁ ବିଭିନ୍ନ ବ୍ୟାଙ୍କ କାର୍ଯ୍ୟକାରୀ କରୁଛନ୍ତି। ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଏସ୍ କ୍ରିଷ୍ଣନ କହିଛନ୍ତି ଯେ ସୁଧ ଛାଡ଼ ନିଷ୍ପତ୍ତି ଯୋଗୁଁ ଆମ ବ୍ୟାଙ୍କ ଉପରେ ୩୦ କୋଟି ଟଙ୍କାର ବୋଝ ପଡ଼ିଛି। ଚକ୍ରବୃଦ୍ଧି ସୁଧ ଛାଡ଼ ଟଙ୍କା ଫେରସ୍ତ କରିବା ଲାଗି ବ୍ୟାଙ୍କଗୁଡ଼ିକ ତରଫରୁ ଆଇବିଏ ପକ୍ଷରୁ ସରକାରଙ୍କ ସହ ଆଲୋଚନା କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ସକାରାତ୍ମକ ପ୍ରତିଶ୍ରୁତି ଦିଆଯାଇନଥିବା ଜଣାପଡ଼ିଛି।
ସୁପ୍ରିମ୍କୋର୍ଟଙ୍କ ନିର୍ଦେଶ ଯୋଗୁଁ ସରକାରୀ ବ୍ୟାଙ୍କଗୁଡ଼ିକୁ ଅତିକମ୍ରେ ୨୦୦୦ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିଥିଲା ବୋଲି ହିସାବ କରାଯାଇଛି। ଗତବର୍ଷ କରୋନା ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୦୨୦ ମାର୍ଚ୍ଚ ୧ରୁ ମେ' ୩୧ ପର୍ଯ୍ୟନ୍ତ ଓ ଦ୍ବିତୀୟ ପର୍ଯ୍ୟାୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମୋରାଟୋରିଅମ୍ ସୁବିଧା ପ୍ରଦାନ କରାଯାଇଥିଲା। ତେବେ ଏହି ଅବଧିରେ ଚକ୍ରବୃଦ୍ଧି ସୁଧ ସଂଗ୍ରହ କରାଯିବ ବୋଲି ଜଣାପଡ଼ିବା ପରେ ତାହାକୁ ବିରୋଧ କରି ବିଭିନ୍ନ କୋର୍ଟରେ ମାମଲା ରୁଜୁ କରାଯାଇଥିଲା। ସବୁ ମାମଲାଗୁଡ଼ିକୁ ଏକତ୍ର କରି ସୁପ୍ରିମ୍କୋର୍ଟରେ ଶୁଣାଣି ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୨୩ରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟରେ କହିଥିଲେ ଯେ ମୋରାଟୋରିଅମ୍ ଅବଧିରେ କୌଣସି ଗ୍ରାହକଙ୍କ ଠାରୁ ଚକ୍ରବୃଦ୍ଧି ସୁଧ କିମ୍ବା ଦଣ୍ଡମୂଳକ ସୁଧ ଆଦାୟ କରାଯାଇପାରିବ ନାହିଁ। ଯେଉଁମାନଙ୍କ ଠାରୁ ଏହି ଟଙ୍କା ଆଦାୟ କରାଯାଇଛି ସେମାନଙ୍କୁ ତୁରନ୍ତ ଟଙ୍କା ଫେରସ୍ତ କରିବା ଲାଗି କୋର୍ଟ ନିର୍ଦେଶ ଦେଇଥିଲେ।
କରୋନା ମହାମାରୀର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାରୁ ମୋରାଟୋରିଅମ୍ ଅବଧିକୁ ବଢ଼ାଇବା ଲାଗି ମଧ୍ୟ ସୁପ୍ରିମ୍କୋର୍ଟରେ ଆବେଦନ ହୋଇଥିଲା। ଏହା କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ନୀତି ସମ୍ପର୍କିତ ନିଷ୍ପତ୍ତି କହି କୋର୍ଟ ସେଥିରେ ହସ୍ତକ୍ଷେପ କରିନଥିଲେ। ଅନ୍ୟ କୌଣସି ପ୍ରକାର ସହାୟତା ପ୍ରଦାନ କରିବାକୁ ମଧ୍ୟ କୋର୍ଟ ମନା କରିଦେଇଥିଲେ। ତେବେ ଏହା ସ୍ପଷ୍ଟ କରିଥିଲେ ଯେ ଗ୍ରାହକମାନେ ଯେଭଳି ସେମାନଙ୍କ ଟଙ୍କା ଫେରିପାରିବେ ତାହା ନିଶ୍ଚିତ କରିବା ଲାଗି ପ୍ରତି ଆର୍ଥିକ ଅନୁଷ୍ଠାନ ବୋର୍ଡର ଅନୁମୋଦନ ଅନୁସାରେ ତୁରନ୍ତ ବ୍ୟବସ୍ଥା କରିବା ଦରକାର। ଯେତିକି ଟଙ୍କା ଗ୍ରାହକଙ୍କୁ ଫେରସ୍ତ କରାଯାଇଛି ତାହାର ସୂଚନା ନିଜ ହିସାବ ଖାତାରେ ପ୍ରଦର୍ଶିତ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା।