ନୂଆଦିଲ୍ଲୀ: ବିଭିନ୍ନ ସେବା ଲାଗି ଗ୍ରାହକଙ୍କଠାରୁ ଶୁଳ୍କ ଓ ଜରିମାନା ବାବଦରେ ବ୍ୟାଙ୍କଗୁଡ଼ିକ ୩୫,୫୮୭ କୋଟି ଟଙ୍କା ଆୟ କରିଛନ୍ତି। ଏସ୍‌ଏମ୍ଏସ୍‌ ସେବା, ନିର୍ଧାରିତ ସୀମାଠାରୁ ଏଟିଏମ୍‌କୁ ଅଧିକ ଥର ବ୍ୟବହାର ଏବଂ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବାରେ ବିଫଳ ହେଉଥିବା ଗ୍ରାହକଙ୍କ ଉପରେ ବ୍ୟାଙ୍କଗୁଡ଼ିକ ଜରିମାନା ଓ ଶୁଳ୍କ ଲାଗୁ କରୁଛନ୍ତି। ଗତ ପାଞ୍ଚ ବର୍ଷରେ ସେହି ଶୁଳ୍କ ବାବଦରେ ଗ୍ରାହକମାନଙ୍କଠାରୁ ବ୍ୟାଙ୍କଗୁଡ଼ିକ ବିପୁଳ ଶୁଳ୍କ ଅସୁଲ କରିଛନ୍ତି। ସର୍ବନିମ୍ନ ବାଲାନ୍ସ ରଖିପାରୁନଥିବା ଗ୍ରାହକଙ୍କଠାରୁ ବ୍ୟାଙ୍କଗୁଡ଼ିକ ଜରିମାନା ବାବଦରେ ୨୧,୦୪୪ କୋଟି ଟଙ୍କା ଆୟ କରିଛନ୍ତି। ୨୦୧୮ଠାରୁ ପାଞ୍ଚ ବର୍ଷ ଭିତରେ ଏହି ଜରିମାନା ଅସୁଲ କରାଯାଇଛି। ମଙ୍ଗଳବାର ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗବତ କରାଡ଼ ଏହି ତଥ୍ୟ ଦେଇଛନ୍ତି। ଏଟିଏମ୍‌କୁ ନିର୍ଧାରିତ ସୀମାଠାରୁ ଅଧିକ ଥର ବ୍ୟବହାର କରିଥିବା ଗ୍ରାହକମାନଙ୍କଠାରୁ ୮,୨୮୯.୩୨ କୋଟି ଟଙ୍କା ଆୟ କରାଯାଇଥିବା ବେଳେ ଏସ୍‌ଏମ୍ଏସ୍‌ ଶୁଳ୍କ ବାବଦରେ ୬,୨୫୪.୩୨ କୋଟି ଟଙ୍କା ସଂଗ୍ରହ କରାଯାଇଛି।

Advertisment

ମନ୍ତ୍ରୀ ଶ୍ରୀ କରାଡ଼ କହିଛନ୍ତି ଯେ ୨୦୧୫ ଜୁଲାଇ ୧ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ମାଷ୍ଟର ସର୍କୁଲାର ଅନୁସାରେ ଗ୍ରାହକଙ୍କଠାରୁ ଶୁଳ୍କ ଅସୁଲ କରାଯାଉଛି। ସେବା ପ୍ରଦାନ କରିବାରେ ହେଉଥିବା ହାରାହାରି ଖର୍ଚ୍ଚଠାରୁ ତାହା ଯେଭଳି ଅଧିକ ନହେବ ସେଥିପ୍ରତି ବ୍ୟାଙ୍କଗୁଡ଼ିକ ଯତ୍ନବାନ ହୋଇ କାର୍ଯ୍ୟ କରୁଛନ୍ତି। ଗ୍ରାହକ ଯେତିକି ସେବା ହାସଲ କରୁଛନ୍ତି ସେହି ଅନୁସାରେ ତାଙ୍କଠାରୁ ଏସ୍‌ଏମ୍ଏସ୍‌ ଶୁଳ୍କ ସଂଗ୍ରହ କରାଯାଉଛି। ଗ୍ରାହକମାନେ ନିଜ ବ୍ୟାଙ୍କର ଏଟିଏମ୍‌ରୁ ମାଗଣାରେ ପାଞ୍ଚ ଥର ଏବଂ ମେଟ୍ରୋ ସହରରେ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ତିନି ଥର ଏବଂ ଅଣ ମେଟ୍ରୋ ସହରରେ ପାଞ୍ଚ ଥର ଟଙ୍କା ଉଠାଇବା ନିୟମ ରହିଛି।