ପୁଣି ବ୍ୟାଙ୍କ ଠକ ବିଦେଶ ଫେରାର, ୪ ବର୍ଷ ପରେ ମାମଲା ରୁଜୁ କଲା ବ୍ୟାଙ୍କ

ନୂଆଦିଲ୍ଲୀ: ବ୍ୟାବସାୟିକ କାର୍ଯ୍ୟ ବାହାନାରେ ବ୍ୟାଙ୍କଗୁଡ଼ିକ ଠାରୁ କୋଟି କୋଟି ଟଙ୍କା ଋଣ ନେଇ ଦେଶ ଛାଡ଼ି ଚାଲିଯାଉଥିବା ଋଣ ଖିଲାପୀଙ୍କ ତାଲିକାରେ ଆଉ ଜଣେ କିଛି ବ୍ୟକ୍ତିଙ୍କ ନାମ ଯୋଡ଼ିହୋଇଛି। ସେମାନେ ହେଉଛନ୍ତି ବାସମତି ଚାଉଳ ରପ୍ତାନି କରୁଥିବା ଦିଲ୍ଲୀର ସଂସ୍ଥ ରାମ ଦେବ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍‌ର ମାଲିକ। ତାଙ୍କ ନାମ ହେଉଛି ନରେଶ କୁମାର, ସୁରେଶ କୁମାର ଓ ସଙ୍ଗୀତା। ୨୦୧୬ ପରଠାରୁ ସେମାନେ ନିଖୋଜ ଅଛନ୍ତି।

ଏହି କଂପାନି ଯେଉଁ ଋଣ ନେଇଥିଲା ତାହାକୁ ୨୦୧୬ରେ ଏନ୍‌ପିଏ ବର୍ଗରେ ସାମିଲ କରାଯାଇଥିଲା। ସେବେଠାରୁ ଏହାର ମାଲିକମାନେ ନିଖୋଜ ଥିଲେ ମଧ୍ୟ ଦୀର୍ଘ ଚାରି ବର୍ଷ ପରେ ଗତ ଫେବ୍ରୁଆରି ୨୫ରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏନେଇ ସିବିଆଇରେ ଅଭିଯୋଗ କରାଯାଇଥିଲା। ‌ସେହି ଅଭିଯୋଗ ଆଧାରରେ ଗତ ଏପ୍ରିଲ୍‌ ୨୮ରେ ସିବିଆଇ ଏକ ମାମଲା ରୁଜୁ କରିଛି। ରାମ ଦେବ ଇଣ୍ଟରନ୍ୟାସନାଲ୍‌ର ମାଲିକମାନେ ବିଭିନ୍ନ ବ୍ୟାଙ୍କରୁ ୪୧୪ କୋଟି ଟଙ୍କାର ଋଣ ନେଇଥିଲେ। ଏହା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରୁ ୧୭୩.୧୧ କୋଟି ଟଙ୍କା, କାନାରା ବ୍ୟାଙ୍କରୁ ୭୬.୦୯ କୋଟି ଟଙ୍କା,‌ ୟୁନିଅନ ବ୍ୟାଙ୍କରୁ ୬୪.୩୧ କୋଟି ଟଙ୍କା, ସେଣ୍ଟ୍ରାଲ୍ ବ୍ୟାଙ୍କ ୫୧.୩୧ କୋଟି ଟଙ୍କା, କର୍ପୋରେସନ ବ୍ୟାଙ୍କରୁ ୩୬.୯୧ କୋଟି ଟଙ୍କା ଏବଂ ଆଇଡିବିଆଇ ବ୍ୟାଙ୍କରୁ ୧୨.୨୭ କୋଟି ଟଙ୍କାର ଋଣ ନେଇଥିଲା।

୨୦୧୬ରେ ଏହି କଂପାନିର ଏନ୍‌ପିଏ ଖାତା ଉପରେ ଷ୍ଟେଟ୍‌ ବ୍ୟାଙ୍କର ସ୍ବତନ୍ତ୍ର ଅଡିଟ୍ ଟିମ୍‌ର ନଜର ପଡ଼ିଥିଲା। କାଗଜପତ୍ର ଜାଲିଆତି କରି ଓ ବାଲାନ୍ସ ସିଟ୍‌ର ଭୁଲ ତଥ୍ୟ ଦେଇ କଂପାନି ଋଣ ହାସଲ କରିଥିବା ଜଣାପଡ଼ିଥିଲା। କେବଳ ସେତିକି ନୁହେଁ ବ୍ୟାଙ୍କ ଠାରୁ ମିଳିଥିବା ପାଣ୍ଠିକୁ ବ୍ୟବହାର କରି ଏହା ବେଆଇନ ଭାବେ କାରଖାନା ଏବଂ ମେସିନ ସ୍ଥାନାନ୍ତର କରିଥିଲା। କଂପାନିର ଋଣ ଖାତା ଏନ୍‌ପିଏ ବର୍ଗରେ ସାମିଲ ହେବା ପରେ ୨୦୧୬ର ଅଗଷ୍ଟ ଓ ଅକ୍ଟୋବରରେ ଷ୍ଟେଟ୍‌ ବ୍ୟାଙ୍କ ତରଫରୁ କଂପାନିର ସମ୍ପତ୍ତିର ଅନୁଧ୍ୟାନ କରାଯାଇଥିଲା। ସେହି ସମୟରେ କଂପାନିର ସଦସ୍ୟମାନେ ନିଖୋଜ ଥିଲେ। ହରିଆନା ପୁଲିସର ସିକ୍ୟୁରିଟି ଗାର୍ଡ ସେଠାରେ ମୂତୟନ ହୋଇଥିଲେ। ତଦନ୍ତ କରିବା ପରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ଦେଶ ଛାଡ଼ି ଚାଲିଯାଇଛନ୍ତି। ମୁସଡି ଲାଲ କ୍ରିଷ୍ଣା ଲାଲ ନାମକ ଏକ କଂପାନିର ୩୦ ଲକ୍ଷ ଟଙ୍କାର ପେମେଣ୍ଟ୍‌ ଖିଲାପ କରିଥିବା ରାମ ଦେବ ଇଣ୍ଟରନ୍ୟାସନାଲ୍‌ ମାମଲାରେ ଏନ୍‌ସିଏଲ୍‌ଟିରେ ମାମଲା ରୁଜୁ ହୋଇଥିଲା। କଂପାନିର ତିନି ନିର୍ଦେଶକଙ୍କ ବିରୋଧରେ ଏନ୍‌ସିଏଲ୍‌ଟି ତିନି ଥର ୱାରେଣ୍ଟ୍‌ ଜାରି କରିଥିଲେ ମଧ୍ୟ ସେମାନଙ୍କ କୌଣସି ସନ୍ଧାନ ମିଳିନଥିଲା। ୨୦୧୮ ମେ’ରେ ଟ୍ରିବ୍ୟୁନାଲ୍‌କୁ ଅବଗତ କରାଯାଇଥିଲା ଅଭିଯୁକ୍ତମାନେ ଦେଶ ଛାଡ଼ି ଦୁବାଇ ଚାଲି ଯାଇଛନ୍ତି। ଦେଶ ଛାଡ଼ିବା ପୂର୍ବରୁ ସେମାନେ ଅଧିକାଂଶ ସମ୍ପତ୍ତି ବିକ୍ରି କରିଦେଇଥିଲେ। ଏହା ଜାଣିବା ପରେ‌ ଷ୍ଟେଟ୍‌ ବ୍ୟାଙ୍କ ନିଶ୍ଚିତ ହୋଇଯାଇଥିଲା ଯେ ଏନ୍‌ପିଏ ବର୍ଗରେ ସାମିଲ ଥିବା ଏହି କଂପାନିର ଋଣ ରାଶି ଅସୁଲ ହେବାର ବହୁତ କମ୍ ସମ୍ଭାବନା ରହିଛି। ତେଣୁ ସିବିଆଇ ନିକଟରେ କଂପାନି ଓ ଏହାର ସଦସ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

ଅତୀତରେ ୩୬ ଜଣ ବ୍ୟବସାୟୀ ବ୍ୟାଙ୍କରୁ ଋଣ ଠକେଇ କରି ଦେଶ ଛାଡ଼ି ପଳାୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରମୁଖ ବ୍ୟବସାୟୀମାନେ ହେଉଛନ୍ତି କିଙ୍ଗଫିସର ଏ‌ୟାରଲାଇନ୍ସର ମାଲିକ ବିଜୟ ମାଲ୍ୟା। ସେ ୧୭ଟି ବ୍ୟାଙ୍କରୁ ପ୍ରାୟ ୯୦୦୦ କୋଟି ଟଙ୍କାର ଋଣ ଠକେଇ କରିଛନ୍ତି। ସେହିପରି, ହୀରା ବ୍ୟବସାୟୀ ନିରବ ମୋଦୀ ଓ ମେହୁଲ ଚୋକ୍‌ସି ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କାର ଋଣ ଠକେଇ କରି ଦେଶ ଛାଡ଼ି ପଳାୟନ କରିଛନ୍ତି। ଷ୍ଟର୍ଲିଂ ବାୟୋଟେକ୍‌ର ସନ୍ଦସେରା ଭ୍ରାତା ମଧ୍ୟ ଋଣ ଠକେଇ କରି ବିଦେଶ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର