ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଅଧିକ ଅଞ୍ଚଳରେ ପହଞ୍ଚିବ

ଭୁବନେଶ୍ବର: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓଡ଼ିଶାରେ ଏହାର ଉପସ୍ଥିତିକୁ ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିଛି। ଏବେ ରାଜ୍ୟରେ ବ୍ୟାଙ୍କର ୨୫ଟି ଶାଖା ଥିବା ବେଳେ ଏପ୍ରିଲ୍ ସୁଦ୍ଧା ତାହାକୁ ୩୯ରେ ଓ ସେପ୍ଟେମ୍ବର ସୁଦ୍ଧା ୫୦ରେ ପହଞ୍ଚାଇବାକୁ ଏହା ଲକ୍ଷ୍ୟ ରଖିଛି। ଏହା ଦ୍ବାରା ବ୍ୟାଙ୍କ ରାଜ୍ୟର ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସେବା ଯୋଗାଇ ପାରିବ। ଏହା ବ୍ୟତୀତ, ବ୍ୟାଙ୍କ ସେବା ଉପଲବ୍ଧ ନଥିବା ଅଞ୍ଚଳରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ପକ୍ଷରୁ ଚଳିତ ବର୍ଷ ଜୁନ୍ ସୁଦ୍ଧା ୫୦ଟି ସ୍ଥାୟୀ ଶାଖା ଖୋଲାଯିବ। ସେହି ଶାଖାଗୁଡ଼ିକ ବ୍ୟାଙ୍କିଙ୍ଗ୍‌ କରେସ୍‌ପଣ୍ଡେଣ୍ଟ୍‌ (ବିସି)ମାନଙ୍କ ଦ୍ବାରା ପରିଚାଳିତ ହେବ ବୋଲି ବ୍ୟାଙ୍କର ଡେପୁଟି ଜେନେରାଲ୍ ମ୍ୟାନେଜର ପ୍ରଦୀପ ମିଶ୍ର କହିଛନ୍ତି। ବ୍ୟାଙ୍କ ପକ୍ଷରୁ ଗଞ୍ଜାମ ଓ ବଲାଙ୍ଗୀର ଜିଲ୍ଲାରେ ବ୍ୟାଙ୍କ ସଖୀ ପ୍ରକଳ୍ପର ପରୀକ୍ଷଣ କରାଯାଇଥିଲା। ଅନଲାଇନ୍‌ରେ ବ୍ୟାଙ୍କ ଖାତା ଖୋଲିବା ଲାଗି ବ୍ୟାଙ୍କ ପକ୍ଷରୁ ମହାଗ୍ରାମ ଓ ସୁନିବେଶଇଣ୍ଡିଆ ଫାଇନାନ୍ସ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ ସହଯୋଗିତାରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହାକୁ ସାରା ରାଜ୍ୟରେ ଲାଗୁ କରାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ବର ଜୋନାଲ୍ ମ୍ୟାନେଜର ବିନୟ କୁମାର, ମହାଗ୍ରାମର ନିର୍ଦେଶକ (ମାର୍କେଟିଂ) ବ‌ାସୁଦେବ ଫାଡ୍‌ନିସ୍ ଓ ସୁନିବେଶ ଇଣ୍ଡିଆର ନିର୍ଦେଶକ ସବ୍ୟସାଚ୍ଚୀ ପୂଜାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର