ନୂଆଦିଲ୍ଲୀ: ଋଣ ନେଇ ଘର ଓ ଗାଡ଼ି କିଣିବାକୁ ଚାହୁଥିବା ଲୋକମାନଙ୍କୁ ଅଧିକ ସୁଧ ଗଣିବାକୁ ପଡ଼ିବ। ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକ ଋଣ ସୁଧରେ ବୃଦ୍ଧି ଘୋଷଣା କରିଛନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଆକ୍ସିସ୍ ବ୍ୟାଙ୍କ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ପକ୍ଷରୁ ଋଣ ସୁଧ ବୃଦ୍ଧି କରାଯାଇଛି। ସେଥିପାଇଁ ନୂଆ ଗ୍ରାହକ ଋଣ ନେବା ବେଳେ ଅଧିକ ସୁଧ ଗଣିବେ ଓ ଋଣ ନେଇଥିବା ପୁରୁଣା ଗ୍ରାହକମାନଙ୍କ ମାସିକ କିସ୍ତି (ଇଏମ୍ଆଇ) ମଧ୍ୟ ବଢ଼ିବ। ବ୍ୟାଙ୍କଗୁଡ଼ିକ ଋଣ ସୁଧରେ ୦.୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରାୟ ତିନି ବର୍ଷର ବ୍ୟବଧାନ ପରେ ଋଣ ସୁଧ ବଢ଼ିଛି।
ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏକ ବର୍ଷିଆ ଅବଧିର ଋଣ ସୁଧ ୭%ରୁ ୭.୧୦%କୁ ବୃଦ୍ଧି କରାଯାଇଛି। ଓଭରନାଇଟ୍ ଏମ୍ସିଏଲ୍ଆର୍ ୬.୭୫% ଓ ଛଅ ମାସିଆ ଏମ୍ସିଏଲ୍ଆର୍ ୭.୦୫ ପ୍ରତିଶତ, ଦୁଇ ବର୍ଷିଆ ଏମ୍ସିଏଲ୍ଆର୍ ୭.୩୦ ପ୍ରତିଶତ ଓ ତିନି ବର୍ଷିଆ ଏମ୍ସିଏଲ୍ଆର୍ ୭.୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଷ୍ଟେଟ୍ ବ୍ୟାଙ୍କର ସଂଶୋଧିତ ଏମ୍ସିଏଲ୍ଆର୍ ଏପ୍ରିଲ୍ ୧୫ରୁ ଲାଗୁ ହୋଇଛି। ବ୍ୟାଙ୍କ ଅଫ୍ ବରୋଦା, ଆକ୍ସିସ୍ ବ୍ୟାଙ୍କ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଏକ ବର୍ଷିଆ ଏମ୍ସିଏଲ୍ଆର୍ରେ ୦.୦୫% ବୃଦ୍ଧି କରିଛନ୍ତି। ବ୍ୟାଙ୍କ ଅଫ୍ ବରୋଦାର ସଂଶୋଧିତ ଏମ୍ସିଏଲ୍ଆର୍ ଏପ୍ରିଲ୍ ୧୨ରୁ ଲାଗୁ ହୋଇଛି। ସେହିପରି, ଆକ୍ସିସ୍ ବ୍ୟାଙ୍କ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ସଂଶୋଧିତ ଏମ୍ସିଏଲ୍ଆର୍ ଯଥାକ୍ରମେ ଏପ୍ରିଲ୍ ୧୮ ଓ ଏପ୍ରିଲ୍ ୧୬ରୁ ଲାଗୁ ହୋଇଛି।