ନୂଆଦିଲ୍ଲୀ: ଉତ୍ସବ ଋତୁକୁ ନେଇ ରହିଥିବା ଉତ୍ସାହର ଲାଭ ଉଠାଇ ଗ୍ରାହକଙ୍କୁ ଋଣ ଦେବା ଲାଗି ଆଉଟ୍ରିଚ୍ ପ୍ରୋଗ୍ରାମ ଆୟୋଜନ କରିବାକୁ ବ୍ୟାଙ୍କଗୁଡ଼ିକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବ୍ୟାଙ୍କଗୁଡ଼ିକୁ ମନ୍ତ୍ରଣାଳୟ କହିଛି ଯେ ଅର୍ଥନୀତିରେ ସୁଧାରର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳୁଛି। ଆଉଟ୍ରିଚ୍ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଏହା ଉପଯୁକ୍ତ ସମୟ। ବିଭିନ୍ନ ଜିଲ୍ଲାର ଲିଡ୍ ବ୍ୟାଙ୍କଗୁଡ଼ିକ ପ୍ରତି ବ୍ୟାଙ୍କ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିବାକୁ କୁହାଯାଇଛି। କେତେ ଖାତା ଖୋଲାଯିବ ଓ କେତେ ଋଣ ମଞ୍ଜୁର କରାଯିବ ସେନେଇ ଆଗୁଆ ଲକ୍ଷ୍ୟ ଧାର୍ଯ୍ୟ କରାଯିବ। ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେଉଁ ବ୍ୟାଙ୍କ କେତେ ତାରିଖ କାର୍ଯ୍ୟକ୍ରମ ଆୟୋଜନ କରିବ ସେହି ନିଷ୍ପତ୍ତି ଲିଡ୍ ବ୍ୟାଙ୍କ ନେବ।
ଅଳ୍ପ ପରିମାଣର ଋଣ ନେଉଥିବା ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲାଗି ଫିନ୍ଟେକ୍ କଂପାନି ଓ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥାଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ସରକାରଙ୍କ ଯେଉଁ ସବୁ ପ୍ରମୁଖ ଯୋଜନା ରହିଛି ଯଥା ଇସିଏଲ୍ଜିଏସ୍, ପିଏମ୍ ମୁଦ୍ରା, ପିଏମ୍ ସ୍ବନିଧି, ଷ୍ଟାଣ୍ଡ୍ଅପ୍ ଇଣ୍ଡିଆ, ସୁଲଭ ବାସଗୃହ ଯୋଜନା ଆଦିରେ କିଭଳି ଅଧିକ ଋଣ ଆବଣ୍ଟନ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।