ବ୍ୟାଙ୍କ ଫେରାଇବେ ଡିଜିଟାଲ୍‌ କାରବାର ଚାର୍ଜ

ନୂଆଦିଲ୍ଲୀ: ଡିଜିଟାଲ୍ ଓ ୟୁପିଆଇ କାରବାର ଉପରେ ବ୍ୟାଙ୍କ କିମ୍ବା ପେମେଣ୍ଟ୍ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ଗ୍ରାହକଙ୍କ ଠାରୁ କୌଣସି ଚାର୍ଜ ବା ଶୁଳ୍କ ଆଦାୟ କରିପାରିବେ ନାହିଁ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଏହା ସ୍ପଷ୍ଟ କରିଛି। ପେମେଣ୍ଟସ୍‌ ଆଣ୍ଡ୍‌ ସେଟଲମେଣ୍ଟ୍‌ ସିଷ୍ଟମସ୍‌ ଆକ୍ଟ, ୨୦୦୭ର ଧାରା ୧୦ ଓ ଆୟକର ନିୟମର ଧାରା ୨୬୯ ଏସ୍‌ୟୁ ଅନୁସାରେ ଏହି ଶୁଳ୍କ ଗ୍ରାହକ କିମ୍ବା ମର୍ଚାଣ୍ଟ୍‌ଙ୍କ ଠାରୁ ଆଦାୟ କରାଯାଇପାରିବ ନାହିଁ। ୨୦୨୦ ଜାନୁଆରି ପରଠାରୁ ଏହି ନିୟମ ଲାଗୁ କରାଯାଇଛି। ଏହାର ପରବର୍ତୀ ସମୟରେ ଯେଉଁ ବ୍ୟାଙ୍କ ଓ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ଗ୍ରାହକଙ୍କ ଠାରୁ ଶୁଳ୍କ ଆଦାୟ କରିଛନ୍ତି ସେମାନେ ସେହି ଟଙ୍କା ଫେରାଇବେ। ଡିଜିଟାଲ୍ ଓ ୟୁପିଆଇ କାରବାର ଉପରେ ଗ୍ରାହକଙ୍କ ଠାରୁ ୨୦୨୦ ଜାନୁଆରି ୧ ପରେ ଆଦାୟ କରାଯାଇଥିବା ଟଙ୍କା ସେମାନଙ୍କୁ ଫେରାଇବାକୁ ସିବିଡିଟି ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।

ଏକ ବିଜ୍ଞପ୍ତି ଜାରି କରି ସିବିଡିଟି ଜଣାଇଛି, ରୁପେ ଡେବିଟ୍‌ କାର୍ଡ, ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍ (ୟୁପିଆଇ), ୟୁପିଆଇ କ୍ୟୁଆର୍‌ କୋଡ୍, ଭିମ୍ ୟୁପିଆଇ କ୍ୟୁଆର୍‌ କୋଡ୍‌ ଜରିଆରେ କାରବାର ବେଳେ ଗ୍ରାହକ କିମ୍ବା ‌ହିତାଧିକାରୀଙ୍କ ଠାରୁ ବ୍ୟାଙ୍କଗୁଡ଼ିକ କୌଣସି ଶୁଳ୍କ ଆଦାୟ କରିପାରିବେ ନାହିଁ। କିଛି ବ୍ୟାଙ୍କ ୟୁପିଆଇ କାରବାର ଉପରେ ଶୁଳ୍କ ଆଦାୟ କରୁଥିବା ଜଣାପଡ଼ିବା ପରେ ସିବିଡିଟି ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଏକ ନିର୍ଦିଷ୍ଟ ପରିମାଣର କାରବାର ଶୁଳ୍କ ମୁକ୍ତ ରହିଥିବା ବେଳେ ତା’ଠାରୁ ବଡ଼ ୟୁପିଆଇ ପେମେଣ୍ଟ୍‌ ବେଳେ ଶୁଳ୍କ ଆଦାୟ କରାଯାଉଛି। ବ୍ୟାଙ୍କଗୁଡ଼ିକ ତରଫରୁ ଗ୍ରହଣ କରାଯାଇଥିବା ଏହି ବ୍ୟବସ୍ଥା ଉଭୟ ଆୟକର ନିୟମ ଓ ପେମେଣ୍ଟସ୍‌ ଆଣ୍ଡ୍‌ ସେଟଲମେଣ୍ଟ୍‌ ସିଷ୍ଟମସ୍‌ ନିୟମର ଉଲ୍ଲଂଘନ କରୁଛି। ଯେଉଁ ସଂସ୍ଥା ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଡିଟି ତରଫରୁ କୁହାଯାଇଛି।

୨୦୨୦ ଜାନୁଆରି ପହିଲା ଠାରୁ ଯେଉଁ ବ୍ୟାଙ୍କଗୁଡ଼ିକ ଡିଜିଟାଲ୍ କାରବାର ଉପରେ ଶୁଳ୍କ ଆଦାୟ କରିଛନ୍ତି ସେମାନେ ତାହା ଗ୍ରାହକଙ୍କୁ ଫେରାଇବେ। ତୁରନ୍ତ ଗ୍ରାହକଙ୍କୁ ସେମାନଙ୍କ ଟଙ୍କା ଫେରାଇବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଗତ ଜୁଲାଇରେ ୧୪୯ କୋଟି ଥର ୟୁପିଆଇ କାରବାର ହୋଇଛି। କରୋନା ମହାମାରୀ ବ୍ୟାପିବା ପରେ ଲୋକମାନେ ଡିଜିଟାଲ୍ କାରବାର ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି। ନଗଦ ନୋଟ୍ ଦେଇ କିଣାକିଣି କରିବାକୁ ଲୋକମାନେ ଭୟ କରୁଛନ୍ତି।

ସମ୍ବନ୍ଧିତ ଖବର