ମୁମ୍ବାଇ: ଋଣ ପରିଶୋଧ କରିଥିବା ଗ୍ରାହକଙ୍କ ସମ୍ପତ୍ତି କାଗଜପତ୍ର ୩୦ ଦିନ ଭିତର ଫେରାଇବାକୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ ବିଫଳ ହେଲେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ। ପ୍ରତିଟି ବିଳମ୍ବ ଦିନ ପାଇଁ ଗ୍ରାହକଙ୍କୁ ୫୦୦୦ ଟଙ୍କା ‌ଲେଖାଏଁ ଦେବାକୁ ପଡ଼ିବ। ଯଦି କୌଣସି ଜିନିଷ ବନ୍ଧକ ରଖି ଘର, ଗାଡ଼ି, ସୁନା ଓ ପର୍ସନାଲ୍ ଋଣ ନିଆଯାଇଥାଏ ତେବେ ଗ୍ରାହକ ଜଣକ ଋଣ ଶୁଝିବା ପରେ ସେମାନଙ୍କୁ କାଗଜପତ୍ର ଫେରାଇବାରେ ବ୍ୟାଙ୍କଗୁଡ଼ିକରେ ଅତ୍ୟଧିକ ବିଳମ୍ବ କରିପାରିବେ ନାହିଁ। ଆଜି ଏନେଇ ରିଜର୍ଭ ବ୍ୟାଙ୍କ ଏକ ବିଜ୍ଞପ୍ତି ଜାରି କରିଛି।

Advertisment

ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକ ସଠିକ୍ ସମୟରେ ଗ୍ରାହକଙ୍କ ବନ୍ଧକ ସମ୍ପତ୍ତି ଫେରାଉନଥିବା ନେଇ ବହୁ ଅଭିଯୋଗ ପହଞ୍ଚିବା ପରେ ରିଜର୍ଭ ବ୍ୟାଙ୍କ ଏହି ନିର୍ଦ୍ଦେଶ ଜାରି କରିଛି। ରିଜର୍ଭ ବ୍ୟାଙ୍କ ବିଜ୍ଞପ୍ତି ଅନୁସାରେ ଋଣ ପରିଶୋଧ ହେବା ପରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ସମସ୍ତ କାଗଜପତ୍ରକୁ ବ୍ୟାଙ୍କ ଫେରାଇବେ ଏବଂ ଯେକୌଣସି ରେଜିଷ୍ଟ୍ରିରେ ଥିବା ସବୁ ଚାର୍ଜକୁ ହଟାଇବେ। ଏହି କାର୍ଯ୍ୟ ସେମାନଙ୍କୁ ୩୦ ଦିନରେ କରିବାକୁ ପଡ଼ିବ। ଗ୍ରାହକମାନେ ଚାହିଲେ ଯେଉଁ ଶାଖାରୁ ଋଣ ନେଇଥିଲେ ସେଠାରୁ କାଗଜପତ୍ର ଆଣିପାରିବେ କିମ୍ବା ଯେଉଁ କାର୍ଯ୍ୟାଳୟରେ କାଗଜପତ୍ର ରହିଛି ସେଠାରୁ ନେଇପାରିବେ। ଋଣ ମଞ୍ଜୁରି ପତ୍ରରେ କାଗଜପତ୍ର ଫେରାଇବା ତାରିଖ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ କୁହାଯାଇଛି। ଋଣ ନେଇଥିବା ଗ୍ରାହକଙ୍କ ମୃତ୍ୟୁ ହେଲେ ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ କାଗଜପତ୍ର ଫେରସ୍ତ କରାଯିବ। କାଗଜପତ୍ର ହଜିଯାଇଥିଲେ ସେଥିପାଇଁ ଦୈନିକ ୫୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ। ସେହି କାଗଜପତ୍ରଗୁଡ଼ିକର ନକଲ ଯେଭଳି ଗ୍ରାହକ ପାଇବେ ସେଥିପାଇଁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ସାହାର୍ଯ୍ୟ କରିବାକୁ ହେବ। ତେବେ ଏହି ପ୍ରକ୍ରିୟା ଶେଷ କରିବା ଲାଗି ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକୁ ୬୦ ଦିନ ସମୟ ଦିଆଯାଇଛି।