ନୂଆଦିଲ୍ଲୀ: ଚଳିତମାସରେ ବନ୍ଦେ ଭାରତ ଏକ୍ସପ୍ରେସ ଫୁଲରେ ସୁସଜ୍ଜିତ ହୋଇ ପ୍ରଥମ ଥର ପାଇଁ ମାତା ବୈଷ୍ଣୋଦେବୀ କାଟ୍ରାରୁ ଶ୍ରୀନଗରକୁ ଯାତ୍ରା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏକ ହାଇସ୍ପିଡ୍ ରେଳ ଯାତ୍ରାଠାରୁ ଏହି କ୍ଷଣ ଅଧିକ କିଛି ଥିଲା।  ଶହେ ବର୍ଷ ପୁରୁଣା ସ୍ବପ୍ନର ପୂରଣ- ଯାହା ଇସ୍ପାତ, ଦୂରଦୃଷ୍ଟି ଏବଂ ସଂକଳ୍ପ ଜରିଆରେ ହୋଇଛି। କାଶ୍ମୀରକୁ ଅବଶିଷ୍ଟ ଭାରତ ସହ ରେଳରେ ଯୋଡ଼ିବା ଥିଲା ଏହାର ସଂକଳ୍ପ। ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ଖୁସିରୁ ଏହା ଜଣାପଡ଼ୁଥିଲା। 

Advertisment

ଏହା ଆମର ଇଞ୍ଜିନୟିରିଂ ପରାକାଷ୍ଠା। ଦିନକୁ ଦୁଇଥର ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ଏଠାରେ ଚଳାଚଳ କରୁଛି। ଏହାଦ୍ବାରା କେବଳ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଆର୍ଥିକ ବିକାଶ ହେବନାହିଁ, ଦେଶର ପର୍ଯ୍ୟଟକମାନଙ୍କ ପାଇଁ ଏହା ଏକ ଖୁସିର ବିଷୟ। ସୁନ୍ଦର ପ୍ରକୃତି ଭିତରେ ରେଳରେ ୩ ଘଣ୍ଟା ଭଳି ସ୍ବଳ୍ପ ସମୟରେ ଆରାମ ଦାୟକ ଟ୍ରେନ ଯାତ୍ରା ‌ଲୋକଙ୍କ ପାଇଁ ସବୁଦିନେ ସମ୍ଭବ ହୋଇପାରିଛି। ଅତୀତରେ କାଶ୍ମୀର ସଂପର୍କରେ ସଂଘର୍ଷ କଥା କୁହାଯାଉଥିଲା। କିନ୍ତୁ ଏବେ ସେତୁ, ସୁଡ଼ଙ୍ଗ ଏବଂ ରେଳଧାରଣା ଆଦି ଭିତ୍ତିଭୂମିକୁ ଦେଖି ଖୁସି ଲାଗୁଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କ ୧୧ ବର୍ଷ ଶାସନ ପରିପ୍ରେକ୍ଷୀରେ ଏହି ସ୍ବତନ୍ତ୍ର ଟ୍ରେନ କାଶ୍ମୀରବାସୀଙ୍କ ଭାଗ୍ୟ ବଦଳାଇବ। ୧୭୨ ବର୍ଷର ଯାତ୍ରା କ୍ଷେତ୍ରରେ ଭାରତୀୟ ରେଳ ଅନେକ ମାଇଲଖୁଣ୍ଟ ହାସଲ କରିଛି। 

ଭୌଗୋଳିକ ଅବସ୍ଥିତ ଯୋଗୁ ସଂପୂର୍ଣ୍ଣ ରେଳ ଯୋଗାଯୋଗ ଏକ ଦୀର୍ଘ ପ୍ରତିଶ୍ରୁତି ରହିଥିଲା। ବ୍ରିଟିସ ଅମଳର ଏହି ପ୍ରସ୍ତାବରେ କାଶ୍ମୀରକୁ ରେଳ ସଂଯୋଗ ‌ବୋର୍ଡ ରୁମ୍‌ରେ ରହିଥିଲା। ତେବେ ଉଧମପୁର-ଶ୍ରୀନଗର-ବାରାମୁଳା ରେଳ ସଂଯୋଗ (ୟୁଏସ୍‌ବିଆର୍‌ଏଲ୍‌)କୁ ୧୯୯୪ ମସିହାରେ ମଞ୍ଜୁରି ଦିଆଯାଇଥିଲା। କିନ୍ତୁ କାଟ୍ରାରୁ ବାଣିହାଲ ଉଭୟ ଇଞ୍ଜିନୟିରଂ ଏବଂ ସୁରକ୍ଷା ଦୃଷ୍ଟିରୁ ଆହ୍ବାନ ଥିଲା। ଏହି ପରିପ୍ରେକ୍ଷୀରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ମନ୍ତବ୍ୟ-ଏହା ଏକ ପରିବହନ ଅଭିଯାନ ନୁହେଁ, ଏହା ଏକ ଦେଶ ଗଠନ ଉଦ୍ୟମ, ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେହୁଏ। ଉଧମପୁର ଏବଂ ବାରାମୁଳାର ୨୭୨ କିମି ରେଳପଥରେ ୪୦ଟି ସୁଡ଼ଙ୍ଗ ଏବଂ ୯୦୦ରୁ ଅଧିକ ସେତୁ ରହିଛି। ତେବେ ଚେନାବ ପୋଲ ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏହା ବିଶ୍ବର ସବୁଠୁ ଉଚ୍ଚ ରେଳ ପୋଲ। ନଦୀ ଶଯ୍ୟାଠାରୁ ୩୫୯ ମିଟର ଉପରେ ରହିଛି। ସେହିଭଳି ଦେଶର ପ୍ରଥମ କେବଲ୍‌-ଷ୍ଟେଡ ରେଳ ପୋଲ ହେଉଛି ଅଞ୍ଜି ଖାଡ଼। ପ୍ରକୃତରେ ଏହା ଏକ ନୂଆ ଯାତ୍ରାର ଆରମ୍ଭ ବୋଲି ରେଳ ବୋର୍ଡର କାର୍ଯ୍ୟନିର୍ବାହୀ ସିଇଓ ତଥା ଅଧ୍ୟକ୍ଷ ଜୟ ବର୍ମା ସିହ୍ନା କହିଛନ୍ତି।