ଅଗ୍ରାଧିକାର କ୍ଷେତ୍ର ଋଣରେ ଶ୍ରେଷ୍ଠ ପ୍ରଦର୍ଶନ: ୯ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର

ମିସନ ଶକ୍ତିକୁ ୫ ବର୍ଷରେ ୫୦ ହଜାର କୋଟିର ଋଣ ମିଳିବ

ଭୁବନେଶ୍ବର: କୃଷି, ମିସନ ଶକ୍ତି ଓ ଏମ୍ଏସ୍‌ଏମ୍ଇ ଭଳି ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୯ଟି ବ୍ୟାଙ୍କକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ ରାଜ୍ୟ କନ୍‌ଭେନ୍‌ସନ୍ ସେଣ୍ଟର୍‌ରେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ମହାମାରୀ ସତ୍ତ୍ବେ ସବୁ ବ୍ୟାଙ୍କ ମିଳିତ ଭାବେ ୧.୦୩ ଲକ୍ଷ କୋଟି ଟଙ୍କାର ଋଣ ଆବଣ୍ଟନ କରିଛନ୍ତି ଯାହା ବାର୍ଷିକ ଋଣ ଯୋଜନାର ୯୩%ରୁ ଅଧିକ। ଚଳିତ ବର୍ଷ ଲାଗି ୧.୩୪ ଲକ୍ଷ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ସେହି ଲକ୍ଷ୍ୟ ହାସଲ କରିବା ଲାଗି ସବୁ ଜିଲ୍ଲା ଓ ବ୍ୟାଙ୍କ ଉଦ୍ୟମ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ମିସନ ଶକ୍ତିକୁ ଦିଆଯାଉଥିବା ହାରାହାରି ଋଣ ରାଶି ପରିମାଣ ବଢ଼ାଇବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଆସନ୍ତା ପାଞ୍ଚ ବର୍ଷରେ ମିସନ ଶକ୍ତି ଗ୍ରୁପ୍‌ଗୁଡ଼ିକୁ ୫୦ ହଜାର କୋଟି ଟଙ୍କା ଋଣ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି।

ଆଜିର କାର୍ଯ୍ୟକ୍ରମରେ କୃଷି ଋଣ କ୍ଷେତ୍ରରେ ବଲାଙ୍ଗୀର ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ପ୍ରଥମ, ରୟଗଡ଼ାର ଆକ୍ସିସ୍ ବ୍ୟାଙ୍କକୁ ଦ୍ବିତୀୟ ଓ ସମ୍ବଲପୁରର ଆକ୍ସିସ୍ ବ୍ୟାଙ୍କକୁ ତୃତୀୟ ପୁରସ୍କାର ଦିଆଯାଇଛି। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବଲାଙ୍ଗୀରର ୟୁନିୟନ ବ୍ୟାଙ୍କକୁ ପ୍ରଥମ ପୁରସ୍କାର, ଭୁବନେଶ୍ବରର ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଦ୍ବିତୀୟ ଓ ତା‌‌ଳଚେରର ୟୁନିଅନ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ତୃତୀୟ ପୁରସ୍କାର ଦିଆଯାଇଛି। ମିସନ ଶକ୍ତିଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବଲାଙ୍ଗୀରର କଣ୍ଟାବାଞ୍ଝିର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ପ୍ରଥମ, ସୁବର୍ଣ୍ଣପୁର ଡୁଙ୍ଗୁରିପାଲିର ଷ୍ଟେଟ୍‌ ବ୍ୟାଙ୍କକୁ ଦ୍ବିତୀୟ ଓ ମାଲକାନଗିରି ଷ୍ଟେଟ୍‌ ବ୍ୟାଙ୍କକୁ ତୃତୀୟ ପୁରସ୍କାର ଦିଆଯାଇଛି। ପ୍ରଥମ ପୁରସ୍କାର ବିଜେତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା, ଦ୍ବିତୀୟକୁ ତିନି ଲକ୍ଷ ଟଙ୍କା ଓ ତୃତୀୟ ପୁରସ୍କାର ବିଜେତାଙ୍କୁ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଦାନ କରିଛନ୍ତି।

ଭାରତରେ ପ୍ରଥମ ଥର ଲାଗି ଅଗ୍ରାଧିକାର କ୍ଷେତ୍ର ଋଣ ଲାଗି ବ୍ୟାଙ୍କଗୁଡ଼ିକୁ ପୁରସ୍କୃତ କରାଯାଉଥିବାରୁ ଏହା ଏକ ଐତିହାସିକ କ୍ଷଣ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ କହିଛନ୍ତି ଯେ ଅଗ୍ରାଧିକାର କ୍ଷେତ୍ର ଋଣ ୧୮.୮୬% ହାରରେ ଆଗକୁ ବଢ଼ୁଛି। ଏହି ଅବସରରେ ଏସିଏସ୍‌ ସଞ୍ଜୀବ ଚୋପ୍ରା, ଏମ୍ଏସ୍‌ଏମ୍‌ଇର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ମିସନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର