ନୂଆଦିଲ୍ଲୀ: ପାକିସ୍ତାନ ବର୍ତ୍ତମାନ ଯେଉଁ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ତାହାକୁ ଦେଶ ଇତିହାସର ସବୁଠୁ ବଡ଼ ସଙ୍କଟ ଭାବେ ବିଚାର କରାଯାଉଛି। ୧୯୪୭ରେ ସ୍ବାଧୀନ ହେବା ପରଠାରୁ ପାକିସ୍ତାନ ଏଭଳି ସଙ୍କଟ କେବେ ସାମ୍ନା କରିନଥିଲା। ଚୀନ୍ କିମ୍ବା ସାଉଦି ଆରବ ଏହାକୁ ଉଦ୍ଧାର ନକଲେ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି। ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନ ମୁଦ୍ରା ଅତ୍ୟନ୍ତ ଦୁର୍ବଳ ହୋଇ ୨୫୦ ପାକିସ୍ତାନୀ ଟଙ୍କା ସ୍ତରକୁ ହ୍ରାସ ପାଇଛି। ଫଳରେ ଏହାର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ଥିବା ବିଦେଶୀ ମୁଦ୍ରା ମୂଲ୍ୟରେ ୧୨ ପ୍ରତିଶତ ହ୍ରାସ ହୋଇଛି।
ନିକଟରେ ପାକିସ୍ତାନ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ରେ ୩୫ ଟଙ୍କାର ବୃଦ୍ଧି ଘୋଷଣା କରିଥିଲେ। ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିବା ଲାଗି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଧ୍ୟ ପାଣ୍ଠି ଦେଉନାହିଁ। କୌଣସି ପାଣ୍ଠି ଦେବା ପୂର୍ବରୁ ଏହା କଠୋର ସର୍ତ୍ତ ଉପସ୍ଥାପନ କରୁଛି ତାହାକୁ ମାନିବା ସେଠାକାର ସରକାର ପାଇଁ ସହଜ ହେଉନାହିଁ। ବିଳମ୍ବରେ ହେଲେ ମଧ୍ୟ ପାକିସ୍ତାନ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ାଇଥିବା ବେଳେ ଡଲାର ମୂଲ୍ୟକୁ ବଜାର ଉପରେ ଛାଡ଼ି ଦେଇଛନ୍ତି। ଏହାସତ୍ତ୍ବେ ଆଇଏମ୍ଏଫ୍ ପାଣ୍ଠି ଦେଉନାହିଁ। ଆଇଏମ୍ଏଫ୍ ଯଦି ୧୨୦ କୋଟି ଡଲାର ଦେବ ତେବେ ସାଉଦି ଆରବ, ଚୀନ୍ ଓ ୟୁଏଇ ମଧ୍ୟ ପାକିସ୍ତାନକୁ ପାଣ୍ଠି ଦେବେ। ସମସ୍ତେ ଆଇଏମ୍ଏଫ୍ ପଦକ୍ଷେପକୁ ଅପେକ୍ଷା କରିଛନ୍ତି। ୨୦୨୦ରେ ଆଇଏମ୍ଏଫ୍ ପାକିସ୍ତାନର ପୁରୁଦ୍ଧାର ପ୍ୟାକେଜ୍କୁ ରଦ୍ଦ କରିଥିଲା। ତା’ପରେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ପାକିସ୍ତାନ ଅନେକ ସର୍ତ୍ତ ପାଳନ କରିପାରୁନାହିଁ। ୨୦୨୨ରେ ଆସିଥିବା ଭୟଙ୍କର ବନ୍ୟା ଏବଂ ରାଜନୈତିକ କୁପରିଚାଳନା ଯୋଗୁ ସେଠାକାର ଅର୍ଥନୀତି ଘୋର ସଙ୍କଟରେ ପଡ଼ିଯାଇଛି।
ଆଇଏମ୍ଏଫ୍କୁ ମନାଇବା ଲାଗି ପାକିସ୍ତାନ ସରକାର ଜିଡିପି ଆକଳନକୁ ୫ ପ୍ରତିଶତରୁ ୧.୫%କୁ ହ୍ରାସ କରିଛନ୍ତି। ସେହିପରି ମୁଦ୍ରାସ୍ଫୀତି ହାରକୁ ୧୨.୫ ପ୍ରତିଶତରୁ ବଢ଼ାଇ ୨୯ ପ୍ରତିଶତ କରିଛନ୍ତି। ପାକିସ୍ତାନରେ ଅଟାର ଘୋର ଅଭାବ ଦେଖାଦେଇଛି। ବିଦ୍ୟୁତ ବିଭ୍ରାଟ ଦୀର୍ଘଦିନ ଧରି ଜାରି ରହିଛି। ସଙ୍କଟ ଉପରେ ନିୟନ୍ତ୍ରଣ ହାସଲ ଲାଗି ସରକାର ବହୁ କଠୋର ଖର୍ଚ୍ଚ କାଟ ପଦକ୍ଷେପ ଘୋଷଣା କରିଛନ୍ତି। ବଜାର ଓ ବିବାହ ମଣ୍ଡପକୁ ଆଗୁଆ ବନ୍ଦ କରିବା ଏବଂ ସରକାରୀ କର୍ମଚାରୀଙ୍କୁ ଘରେ କାମ କରିବା ଲାଗି କୁହାଯାଇଛି।