ଆର୍ଥିକ ସୁଧାରର ବଡ଼ ସଙ୍କେତ, ଅକ୍ଟୋବରରେ ଅଧିକ ଡିଜେଲ୍‌ ବିକ୍ରି

ଟ୍ରାକ୍ଟର ବିକ୍ରି ୭୦% ବଢ଼ିଲା

ନୂଆଦିଲ୍ଲୀ: ଡିଜେଲ୍‌ ବିକ୍ରି ସହିତ ଅର୍ଥନୈତିକ ପ୍ରଗତିର ଏକ ସିଧାସଳଖ ସମ୍ପର୍କ ରହିଛି ବୋଲି କୁହାଯାଏ। ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ଥିବା ବେଳେ ଡିଜେଲ୍ ବିକ୍ରି ଅଧିକ ରହିଥାଏ। ସେହି ଭାବନାକୁ ଯଦି ବିଚାରକୁ ନିଆଯିବ ତ‌େବେ କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ଭାରତୀୟ ଅର୍ଥନୀତିରେ ସୁଧାର ସ୍ଥିତି ଫେରିଲାଣି ବୋଲି କୁହାଯାଇପାରିବ। ଚଳିତ ବର୍ଷ ଅକ୍ଟୋବର ମାସର ପ୍ରଥମ ୧୫ ଦିନରେ ଡିଜେଲ୍ ବିକ୍ରିରେ ୮.୮ ପ୍ରତିଶତ ବୃଦ୍ଧି ଘଟିଛି। ଲକ୍‌ଡାଉନ୍ ପରଠାରୁ ଡିଜେଲ୍ ବିକ୍ରି ନୈରାଶ୍ୟଜନକ ରହିଥିଲା। ଲକ୍‌ଡାଉନ୍ ପରବର୍ତୀ ସମୟରେ ପ୍ରଥମ ଥର ଲାଗି ଡିଜେଲ୍ ବିକ୍ରି କୌଣସି ମାସରେ ଗତବର୍ଷ ତୁଳନାରେ ଅଧିକ ରହିଛି। ସେପ୍ଟେମ୍ବର ଠାରୁ ପେଟ୍ରୋଲ୍ ବିକ୍ରିରେ ‌ସୁଧାର ହୋଇସାରିଥିଲା।ଚଳିତ ବର୍ଷ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରର ପ୍ରଥମ ୧୫ ଦିନରେ ୨୪.୫ ପ୍ରତିଶତ ଅଧିକ ଡିଜେଲ୍ ବିକ୍ରି ହୋଇଛି। ସେହି ସମୟରେ ପେଟ୍ରୋଲ୍ ବିକ୍ରି ୧.୪ ପ୍ରତିଶତ ବଢ଼ିଛି।

ଯଦିଓ ବିମାନ ଇନ୍ଧନ ବିକ୍ରି ମାସ ତୁଳନାରେ ୩.୮ ପ୍ରତିଶତ ବଢ଼ିଛି, ମାତ୍ର ଗତବର୍ଷ ଅନୁସାରେ ୫୭ ପ୍ରତିଶତ କମ୍ ରହିଛି। ଆନ୍ତର୍ଜାତିକ ବିମାନ ଉଡ଼ାଣ ସ୍ବାଭାବିକ ହୋଇନଥିବାରୁ ବିମାନ ଇନ୍ଧନ ବିକ୍ରିରେ ସୁଧାର ହେଉନାହିଁ। ଗତବର୍ଷ ତୁଳନାରେ ଏଲ୍‌ପିଜି ବିକ୍ରି ୭ ପ୍ରତିଶତ ବଢ଼ିଛି। ଉତ୍ସବ ଋତୁ ଆରମ୍ଭ ହୋଇଯାଇଥିବାରୁ ବିଭିନ୍ନ ସାମଗ୍ରୀ ପରିବହନ ବଢ଼ିଯାଇଛି। ସେଥିପାଇଁ ଡିଜେଲ୍‌ର ଚାହିଦା ବୃଦ୍ଧି ପାଇଛି। ପୂଜା ବଜାର ପାଇଁ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ସାମଗ୍ରୀ ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ ଆଗୁଆ ସାମଗ୍ରୀ ମଗାଇଥାନ୍ତି। କାର୍ ଓ ବାଇକ୍‌ ବିକ୍ରିରେ ସୁଧାର ହୋଇସାରିଲାଣି। ପ୍ରତି ମାସରେ ଗାଡ଼ି ବିକ୍ରି ବଢ଼ୁଛି। ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ବଢ଼ିବାର ଏହା ଅନ୍ୟତମ କାରଣ ବୋଲି କୁହାଯାଇଛି। ଚଳିତ ବର୍ଷ ‌‌ସେପ୍ଟେମ୍ବରରେ ଗତବର୍ଷ ତୁଳନାରେ ୨୬% ଅଧିକ କାର୍ ଓ ୧୨ ପ୍ରତିଶତ ଅଧିକ ଦୁଇଚକିଆ ଯାନ ବିକ୍ରି ହୋଇଛି। ଗାଡ଼ି ରପ୍ତାନିରେ ମଧ୍ୟ ୬ ପ୍ରତିଶତ ବୃଦ୍ଧି ଘଟିଛି। ଲୁହାପଥର, ପୋଷାକ ଓ ଔଷଧ ରପ୍ତାନି ମଧ୍ୟ ବୃଦ୍ଧି ପାଇଛି।

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅଟୋମୋବାଇଲ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି। ଏହା ସତ୍ତ୍ବେ ଟ୍ରାକ୍ଟର ବିକ୍ରି ଭଲ ରହିଛି। ଗତ ଜୁଲାଇଠାରୁ ଏପର୍ଯ୍ୟନ୍ତ ଟ୍ରାକ୍ଟର ବିକ୍ରିରେ ଦୁଇ ଅଙ୍କ ବୃଦ୍ଧି ଦେଖାଦେଇଛି। ଗତବର୍ଷ ସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ ଟ୍ରାକ୍ଟର ବିକ୍ରି ୭୦ ପ୍ରତିଶତ ଅଧିକ ରହିଛି। ଫଳରେ ଟ୍ରାକ୍ଟର ନିର୍ମାତାମାନେ ଉତ୍ପାଦନ କ୍ଷମତା ବଢ଼ାଇବା ଯୋଜନା କରୁଛନ୍ତି। ପାର୍ବଣ ଏବଂ ଅମଳ ଋତୁ ପରେ ମଧ୍ୟ ଟ୍ରାକ୍ଟର ଚାହିଦା ବୃଦ୍ଧି ପାଇବା ଆଶାରେ କମ୍ପାନି ଗୁଡ଼ିକ ଏଭଳି ଯୋଜନା କରୁଛନ୍ତି।ନୂଆ କାରଖାନା ସ୍ଥାପନ ନେଇ କମ୍ପାନି ଗୁଡ଼ିକ ଯଦିଓ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାନ୍ତି ତଥାପି ମହିନ୍ଦ୍ରା, ଏସକର୍ଟସ ଏବଂ ସୋନାଲିକା ଭଳି କମ୍ପାନି ଅଧିକ ସିଫ୍ଟରେ ଉତ୍ପାଦନ କରୁଛନ୍ତି। ଯୋଗାଣ ଶୃଙ୍ଖଳରେ ଉନ୍ନତି ଆଣି ଉତ୍ପାଦନ କ୍ଷମତାର ୧୦୦ ପ୍ରତିଶତ ବିନିଯୋଗ ଉପରେ ଗୁରୁତ୍ବ ଦେଉଛନ୍ତି। ଟ୍ରାକ୍ଟର ନିର୍ମାତା ସଂଘ ସଭାପତି ‌ଟି ଆର୍ କେଶବନଙ୍କ କହିବାନୁଯାୟୀ, ୧୮ ମାସ ଧରି କାରଖାନାରେ ଉତ୍ପାଦନ ଗୋଟିଏ କିମ୍ବା ଅତିବେଶିରେ ଦେଢ଼ଟି ସିଫ୍ଟରେ ଚାଲିଥିଲା। ଚାହିଦା ନଥିବା ଯୋଗୁ ଏପରି ହୋଇଥିଲା। କିନ୍ତୁ ଚାହିଦା ବଢ଼ିବା ପରେ କାରଖାନାରେ ଦୁଇଟି କିମ୍ବା ତିନିଟି ସିଫ୍ଟରେ ଉତ୍ପାଦନ ହେୁଛି। ୧୦୦ ପ୍ରତିଶତ ଉତ୍ପାଦନ କ୍ଷମତାର ଉପଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି। ଦୁଇଟି ସିଫ୍ଟରେ କାର୍ଯ୍ୟ କରିଲେ ଦେଶରେ ଏବେ ୯.୫ ଲକ୍ଷ ୟୁନିଟ୍ ଟାକ୍ଟର ଉତ୍ପାଦନ ହୋଇପାରିବ। କିନ୍ତୁ ଯଦି ଚାହିଦା ଅବ୍ୟାହତ ରହେ ତାହେଲେ ଆମେ ତିନିଟି ସିଫ୍ଟରେ ଉତ୍ପାଦନ କରିବାକୁ ଯାଇପାରୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର