ନୂଆଦିଲ୍ଲୀ: କିଛି ବ୍ୟା‌ଙ୍କରୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଓହରିବା ବିଷୟରେ ବିଚାର କରୁଛନ୍ତି। ମାତ୍ର ବର୍ତ୍ତମାନର ବ୍ୟାଙ୍କିଙ୍ଗ କଂପାନିଜ୍ (ଆକ୍ବିଜିସନ୍ ଆଣ୍ଡ୍ ଟ୍ରାନ୍ସଫର ଅଫ୍ ଅଣ୍ଡରଟେକିଂ) ନିୟମ ୧୯୭୦ରେ ରହିଥିବା କିଛି ବ୍ୟବସ୍ଥା ଏଥିରେ ପ୍ରତିବନ୍ଧକ ହୋଇରହିଛି। ଏହି ନିୟମ ଅନୁସାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସରକାରଙ୍କ ୫୧% ଅଂଶଧନ ରହିବା ଦରକାର। ସେହି ନିୟମରେ ସଂଶୋଧନ କରିବା ଲାଗି ସଂସଦର ଆଗାମୀ ଅଧିବେଶନରେ ଏକ ବିଲ୍ ଉପସ୍ଥାପନ କରାଯିବ। ବ୍ୟାଙ୍କରୁ ସରକାର ଯେଭଳି ସମ୍ପୂର୍ଣ୍ଣ ଓହରିପାରିବେ ସେଥିଲାଗି ସଂଶୋଧିତ ବିଲ୍‌ରେ ବ୍ୟବସ୍ଥା କରାଯିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଅତିକମ୍‌ରେ ୨୬% ଅଂଶଧନ ରଖିବା ସମ୍ପର୍କିତ ପ୍ରସ୍ତାବ ଉପରେ ବିଚାର ଚାଲିଥିଲା। କିନ୍ତୁ, ସମ୍ପୂର୍ଣ୍ଣ ଓହରିବା ପ୍ରସ୍ତାବ ଉପରେ ସହମତି ହୋଇଥିବା କୁହାଯାଉଛି। ବ୍ୟାଙ୍କ ଘରୋଇକରଣ କ୍ଷେତ୍ରରେ ରହିଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଅର୍ଥ ମନ୍ତ୍ରଣାଳୟ ଆଲୋଚନା କରିଛି।

Advertisment

ଆଇଡିବିଆଇ ବ୍ୟାଙ୍କର ଅଂଶଧନ ବିକ୍ରି ଲାଗି ଅନୁଷ୍ଠିତ ହୋଇଥିବା ରୋଡ୍‌ ସୋ’ରେ ଭାଗ ନେଇଥିବା ନିବେଶକମାନେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ। ସେଗୁଡ଼ିକୁ ତର୍ଜମା କରିବା ପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ସମ୍ପୂର୍ଣ୍ଣ ଓହରିବା ବିଷୟରେ ବିଚାରବିମର୍ଶ ଆରମ୍ଭ ହୋଇଥିଲା। ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ଘରୋଇ ବ୍ୟାଙ୍କରେ ପ୍ରତିଷ୍ଠାତା ଅତିବେଶିରେ ନିଜ ପାଖରେ ୨୬% ଅଂଶଧନ ରଖିପାରିବେ। ଚଳିତ ଆର୍ଥିକ ବର୍ଷରେ ଦୁଇଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ କରାଯିବ ବୋଲି ବଜେଟ୍‌ରେ ଘୋଷଣା କରାଯାଇଥିଲା। ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କକୁ ଏଥିପାଇଁ ଚୟନ କରାଯାଇଥିବା ଚର୍ଚ୍ଚା ହେଉଛି।