ହେଲମେଟ୍‌ରେ ବିଆଇଏସ୍‌ ଚିହ୍ନ ବାଧ୍ୟତାମୂଳକ ହେବ

ନୂଆଦିଲ୍ଲୀ: ଦେଶରେ ବିଆଇଏସ୍ ପ୍ରମାଣପତ୍ର ଥିବା ହେଲମେଟ୍‌ର ଉତ୍ପାଦନ ଓ ବିକ୍ରିକୁ ବାଧ୍ୟତାମୂଳକ କରାଯିବ। ଏଥିପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୁର୍ଘଟଣାରୁ ମୁଣ୍ଡକୁ ସୁରକ୍ଷା ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଆଜି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାଦ୍ବାରା ହେଲମେଟ୍‌ର ମାନରେ ଉନ୍ନତି ଆସିବ ଏବଂ ଦୁଇ ଚକିଆ ଯାନ ଚାଳକଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି ପାଇବ। ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଚିଠା ବିଜ୍ଞପ୍ତି ଜାରି ହୋଇଛି। ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ ଆଇନ ୨୦୧୬ ଆଧାରରେ ଏହା କରାଯିବ। ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରସ୍ତାବ ଉପରେ ପରାମର୍ଶ ଓ ମତାମତ ଲୋଡ଼ାଯାଇଛି। ଏ ସଂକ୍ରାନ୍ତ ପରାମର୍ଶ ଓ ମତାମତ ସଡ଼କ ପରିବହନ ମନ୍ତ୍ରାଳୟର ଯୁଗ୍ମ ସଚିବ (ଏମ୍‌ଭିଏଲ୍‌)ଙ୍କ ନିକଟକୁ ମାସକ ମଧ୍ୟରେ ପଠାଇବାକୁ ହେବ।

ସମ୍ବନ୍ଧିତ ଖବର