ନୂଆଦିଲ୍ଲୀ: ଟ୍ବିଟରରେ କିଛି ଚର୍ଚ୍ଚିତ ଚେହେରାଙ୍କ ବ୍ଲୁ ଟିକ୍ ଆପେ ଫେରିଆସିଛି। କଂପାନିକୁ କୌଣସି ପେମେଣ୍ଟ୍‌ କରିନଥିବା ସତ୍ତ୍ବେ କିଭଳି ବ୍ଲୁ ଟିକ୍ ଫେରିଲା ତାହାକୁ ନେଇ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ କୁହାଯାଉଛି ଯେ ଯେଉଁମାନଙ୍କ ଅନୁଗାମୀ ସଂଖ୍ୟା ଏକ ନିୟୁତରୁ ଅଧିକ ସେମାନଙ୍କ ବ୍ଲୁ ଟିକ୍‌କୁ ଟ୍ବିଟର ଆପେ ଫେରାଇ ଦେଇଛି। ଚଳିତ ମାସ ୨୦ ମଧ୍ୟରାତ୍ରୀରୁ ‌ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍ ହଟିଯାଇଥିଲା। ବଲିଉଡ୍ ତାରକା ଅମିତାଭ ବଚ୍ଚନ, ଶାହରୁଖ ଖାନ୍‌ଙ୍କଠାରୁ ଆରମ୍ଭ କରି କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ରାଜନେତାଙ୍କ ପର୍ଯ୍ୟନ୍ତ ବହୁ ଚର୍ଚ୍ଚିତ ଚେହେରା ନିଜ ବ୍ଲୁ ଟିକ୍‌ ହରାଇଥିଲେ। ଅଧିକାଂଶ ଲୋକ ସେଥିପାଇଁ ଚିନ୍ତିତ ହୋଇପଡ଼ିଥିଲେ। ମାସିକ ୮ ଡଲାର ପେମେଣ୍ଟ୍‌ ନକଲେ ପୂର୍ବରୁ ମିଳିଥିବା ସବୁ ବ୍ଲୁ ଟିକ୍ ହଟିଯିବ ବୋଲି ଟ୍ବିଟରର ନୂଆ ମାଲିକ ଏଲନ୍‌ ମସ୍କ ପୂର୍ବରୁ ଘୋଷଣା କରିଥ‌ିଲେ। ସେ ନିଜର ଅଧିକାଂଶ ନିଷ୍ପତ୍ତିକୁ ପୁନର୍ବାର ବଦଳାଉଥିବା ଭଳି ବ୍ଲୁ ଟିକ୍ ନିଷ୍ପତ୍ତିରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରି କିଛି ଲୋକଙ୍କୁ ‌ତାହା ଫେରାଇ ଦେଇଛନ୍ତି। କ୍ରିକେଟ ତାରକା ସଚିନ ତେନ୍ଦୁଲକର ଓ ବରାଟ କୋହଲି ନିଜ ବ୍ଲୁକ୍ ଟିକ୍ ଫେରିପାରିଛନ୍ତି। ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜାଇ ନିଜ ବ୍ଲୁ ଟିକ୍ ଫେରିପାଇଛନ୍ତି।

Advertisment

ଯେଉଁ ଆକାଉଣ୍ଟ୍‌ ପରେ ବ୍ଲୁ ଟିକ୍ ଥାଏ ତାହା ହେଉଛି ଭେରିଫାଏଡ୍‌ ଆକାଉଣ୍ଟ୍‌। ଅର୍ଥାତ ଯେଉଁ ଲୋକଙ୍କ ନାମରେ ‌ଆକାଉଣ୍ଟ୍‌ ଖୋଲାଯାଇଛି ସେ ହେଉଛନ୍ତି ସେହି ଲୋକ। କୌଣସି ଛଦ୍ମ ବ୍ୟକ୍ତି ନୁହନ୍ତି ବୋଲି ଜଣାପଡ଼େ। ଭେରିଫାଏଡ୍‌ ଆକାଉଣ୍ଟ୍‌ ଜରିଆରେ ରାଜନେତା, ସେଲିବ୍ରିଟି, ସିନେ ତାରକା, ସାମ୍ବାଦିକ ଆଦି ନିଜ ପ୍ରଶଂସକଙ୍କ ସହ ଯୋଡ଼ି ହୋଇରହିଛନ୍ତି। ‌ନିଜ ବିଷୟରେ ସେମାନେ ଯାହା ଜଣାଇବା କଥା ସୋସିଆଲ ମିଡିଆରେ ପୋଷ୍ଟ୍‌ କରି ପ୍ରଶଂସକଙ୍କୁ ଅବଗତ କରୁଛନ୍ତି। ବ୍ଲୁ ଟିକ୍ ହଟିଯିବା ପରେ ପ୍ରକୃତରେ ସେହି ବ୍ୟକ୍ତି କିଏ ତାହା ଜାଣିବା କଷ୍ଟକର ହୋଇପଡ଼ୁଛି।