ମୁମ୍ବାଇ: ନ୍ୟାସନାଲ ‌ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ପୂର୍ବତନ ସିଇଓ ତଥା ଏମ୍‌ଡି ଚିତ୍ରା ରାମକୃଷ୍ଣଙ୍କୁ ଗତକାଲି ସିବିଆଇ ଦୀର୍ଘସମୟ ଧରି ଜେରା କରିଛନ୍ତି। ଇ-ମେଲ୍ ମାଧ୍ୟରେ ଚିତ୍ରା ବାହାର ଲୋକଙ୍କୁ ଷ୍ଟକ ଏକ୍ସଚେଞ୍ଜର ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିବା ଅଭିଯୋଗ ତାଙ୍କ ନାମରେ ରହିଛି। ତେବେ କେତେକ ମହଲର କହିବା କଥା ହେଲା ଚିତ୍ରାଙ୍କୁ ୨୦୧୮ ମସିହାର ଏନଏସଇ କୋ-ଲୋକେସନ୍ ସ୍କାମ ସଂପର୍କରେ ମଧ୍ୟ ସିବିଆଇ ପଚରାଉଚରା କରିଛି। ଉକ୍ତ ସ୍କାମ ମାଧ୍ୟମରେ କେତେକ ନିବେଶକଙ୍କୁ ଟ୍ରେଡିଂ ସପଂର୍କରେ ବେଆଇନ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି। ୨୦୧୮ କୋ-ଲୋକେସନ୍ ସ୍କାମ ସଂପର୍କରେ ଆଉ ଏକ ମାମଲା ରୁଜୁ କରିବା ସିବିଆଇ ପାଇଁ କଷ୍ଟକର ହୋଇଥିଲା। କାରଣ ମହାରାଷ୍ଟ୍ର ସରକାର ଏଥିପାଇଁ ଅନୁମତି ଦେଇନାହାନ୍ତି। ଅଦୃଶ୍ୟ ଯୋଗୀଙ୍କ ସଂପର୍କରେ ସେବିକୁ ଚିତ୍ରା ଯାହା କହିଥିଲେ ସେହି କଥାକୁ ସିବିଆଇ ନିକଟରେ ଦୋହରାଇଛନ୍ତି।

Advertisment

ଅନ୍ୟପକ୍ଷରେ ଆନନ୍ଦ ସୁବ୍ରମଣ୍ୟନଙ୍କୁ ନିଯୁକ୍ତି ପ୍ରଦାନରେ ହୋଇଥିବା ଅନିୟମିତା ସଂପର୍କରେ ଏନ୍‌ଏସ୍‌ଇ ଏବଂ ଏହାର ବୋର୍ଡ ଅବଗତ ଥିଲା। କିନ୍ତୁ ବୋର୍ଡ ବୈଠକର ବିବରଣୀରେ ତାହା ଉଲ୍ଲେଖ ହୋଇନଥିଲା। ଗୋପନୀୟ ଏବଂ ସମ୍ବେଦନଶୀଳ ସୂଚନା ଆଳ ଦେଖାଇ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଆନନ୍ଦ ସୁବ୍ରମଣ୍ୟନଙ୍କ ନିଯୁକ୍ତି ଓ ପଦୋନ୍ନତି ଏବଂ ଅଜଣା ବ୍ୟକ୍ତିଙ୍କୁ ଚିତ୍ରା ଷ୍ଟକ ଏକ୍ସଚେଞ୍ଜର ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ ସଂକ୍ରାନ୍ତରେ ସେବି ୧୯୦ ପୃଷ୍ଠାର ରିପୋର୍ଟ ଦେଇଥିଲା। ଉକ୍ତ ଅନିୟମିତତା ସଂପର୍କରେ ସେବିକୁ ଷ୍ଟକ ଏକ୍ସଚେଞ୍ଜ ବୋର୍ଡ ସୂଚନା ଦେବାରେ ଅସମର୍ଥ ହୋଇଥିବା ଦର୍ଶାଯାଇଛି। ତେବେ ସେବି ବାରମ୍ବାର ଚିଠି କରିବା ପରେ ଉକ୍ତ ଅନିୟମିତତା ସଂପର୍କରେ ଏନଏସଇ ରିପୋର୍ଟ ଦାଖଲ କରିଥିଲା।