ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ଜିଡିପିଠୁ ବଡ଼, ୨୦୦ ଲକ୍ଷ କୋଟି ଟଙ୍କା କ୍ଲବ୍‌ରେ ସାମିଲ

ବିଶ୍ବରେ ନବମ ବୃହତ୍ତମ

ମୁମ୍ବାଇ: ଚଳିତ ମାସ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଘୋଷଣା କରିବା ପରେ ପ୍ରତିଦିନ ବମ୍ବେ ଷ୍ଟକ ବଜାର (ବିଏସ୍‌ଇ)ର ସେନ୍‌ସେକ୍ସ ନୂଆ ନୂଆ ରେକର୍ଡ କରୁଛି। ଆଜି ପ୍ରଥମ ଥର ଲାଗି ଏହା ୨୦୦ ଲକ୍ଷ କୋଟି ଟଙ୍କା କ୍ଲବ୍‌ରେ ସାମିଲ ହୋଇଛି। ଏହା ସହିତ ବିଶ୍ବର ନବମ ବଡ଼ ଷ୍ଟକ ବଜାର ଭାବେ ବିଏସ୍‌ଇ ଉଭା ହୋଇଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଠାରୁ ବିଏସ୍‌ଇ ବଡ଼ ହୋଇଯାଇଛି। ଜିଡିପି ମୂଲ୍ୟ ୧୯୫ ଲକ୍ଷ କୋଟି ଟଙ୍କା ଥିବା ବେଳେ ବିଏସ୍‌ଇର ବଜାର ପୁଞ୍ଜି ପରିମାର ହେଉଛି ୨୦୦ ଲକ୍ଷ କୋଟି ଟଙ୍କାରୁ ଅଧିକ। ଷ୍ଟକ ବଜାରରେ ତାଲିକାଭୁକ୍ତ ହେଉଥିବା କଂପାନିଗୁଡ଼ିକର ମୂଲ୍ୟ କେତେ ତାହାକୁ ହିସାବ କରିବା ଲାଗି ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌ (ବଜାର ପୁଞ୍ଜି) ପଦ୍ଧତି ବ୍ୟବହାର କରାଯାଉଛି।

ଏକ କଂପାନିର ସେୟାର ମୂଲ୍ୟ ଅନୁସାରେ ସେହି କଂପାନି କେତେ ବଡ଼ ଓ ମୂଲ୍ୟବାନ ତାହା ଆକଳନ କରାଯାଏ। ବମ୍ବେ ଷ୍ଟକ ବଜାରରେ ଯେତିକି କଂପାନି ତାଲିକାଭୁକ୍ତ ହୋଇଛନ୍ତି ସେହି ସବୁ କଂପାନିର ମୋଟ ବଜାର ପୁଞ୍ଜି ପରିମାଣ ୨୦୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ଏହାକୁ ନେଇ ଷ୍ଟକ ଏକ୍ସଚେଞ୍ଜ୍‌ର ଏମ୍‌ଡି ଓ ସିଇସ ଆଶିଷ କୁମାର ଚୌହ୍ବାନ ଆନନ୍ଦ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ୧୮୭୫ ପର ଠାରୁ ବିଏସ୍‌ଇ ବିପୁଳ ସମ୍ପତ୍ତି ସୃଷ୍ଟି କରିଛି। ଏହା ଦେଶର ପ୍ରମୁଖ ସମ୍ପତ୍ତି ସୃଷ୍ଟିକାରୀରେ ପରିଣତ ହୋଇଛି।

୨୦୧୪ରେ ଭାରତର ବଜାର ପୁଞ୍ଜି ପରିମାଣ ୧୦୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା। ବିଏସ୍‌ଇର ବଜାର ପୁଞ୍ଜି ପରିମଶଣ ୨୦୧୭ ମାର୍ଚ୍ଚ ୧୬ରେ ୧୨୦ ଲକ୍ଷ କୋଟି ଟଙ୍କା, ୨୦୧୭ ଅକ୍ଟୋବର ୨୫ରେ ୧୪୧ ଲକ୍ଷ କୋଟି ଟଙ୍କା, ୨୦୨୦ ନଭେମ୍ବର ୫ରେ ୧୬୨ ଲକ୍ଷ କୋଟି ଟଙ୍କା, ୨୦୨୦ ଡିସେମ୍ବର ୭ରେ ୧୮୧ ଲକ୍ଷ କୋଟି ଟଙ୍କା ସ୍ତର ଅତିକ୍ରମ କରିଥିଲା। ୨୦୧୪ରୁ ୨୦୧୬ ଭିତରେ ଷ୍ଟକ ବଜାର ଏହାର ବଜାର ପୁଞ୍ଜିକୁ ଆଉ ୧୦୦ ଲକ୍ଷ କୋଟି ଟଙ୍କା ବଢ଼ାଇପାରିଛି। କରୋନା ମହାମାରୀ ମୁକାବିଲା ଲାଗି ଗତବର୍ଷ ମାର୍ଚ୍ଚ ଶେଷ ସପ୍ତାହରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପରଠାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ବଜାର ପୁଞ୍ଜି ପରିମାଣ ଦ୍ରୁତ ଗତିରେ ବଢ଼ିଛି। ବଜେଟ୍‌ ପରେ ସେନ୍‌ସେକ୍ସ ପ୍ରତିଦିନ ନୂଆ ରେକର୍ଡ ସ୍ତରରେ ପହଞ୍ଚୁଛି। ଚାରି ଦିନରେ ସେନ୍‌ସେକ୍ସରେ ୪୩୨୮ ପଏଣ୍ଟ୍‌ର ବୃଦ୍ଧି ହୋଇଥିବା ବେଳେ ନିବେଶକମାନେ ସାଢ଼େ ୧୪ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି। ଆଜି ସେନ୍‌ସେକ୍ସ ୩୫୮ ପଏଣ୍ଟ୍‌ ବୃଦ୍ଧି ସହ ୫୦,୬୮୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଲକ୍‌ଡାଉନ୍ ଘୋଷଣା ହେବା ପରବର୍ତୀ ସମୟରେ ନିବେଶକମାନଙ୍କ ସମ୍ପତ୍ତିରେ ପ୍ରାୟ ୯୮ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି।

ସମ୍ବନ୍ଧିତ ଖବର