ନୂଆଦିଲ୍ଲୀ: ଦୁଇ ସରକାରୀ ଟେଲିକମ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଓ ମହାନଗର ଟେଲିକମ୍ ନିଗମ ଲିମିଟେଡ୍ (ଏମ୍ଟିଏନ୍ଏଲ୍) ମଧ୍ୟରେ ହେବାକୁ ଥିବା ମିଶ୍ରଣକୁ ସରକାର ଘୁଞ୍ଚାଇ ଦେଇଛନ୍ତି। ଆର୍ଥିକ ଦୃଷ୍ଟିକୋଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହ୍ବାନ ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଏହି ପ୍ରସ୍ତାବିତ ମିଶ୍ରଣର ପୁନର୍ବାର ତର୍ଜମା କରାଯାଉଛି ବୋଲି ସେ କହିଛନ୍ତି।
୨୦୧୯ ଅକ୍ଟୋବର ୨୩ରେ ସରକାର ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲର ମିଶ୍ରଣ ଯୋଜନାକୁ ନୀତିଗତ ମଞ୍ଜୁରି ପ୍ରଦାନ କରିଥିଲେ। ଏମ୍ଟିଏନ୍ଏଲ୍ ଖାତାରେ ଅଧିକ ଋଣ ଥିବାରୁ ତାହାକୁ ବିଏସଏନ୍ଏଲ୍ ସହିତ ମିଶ୍ରଣ କରାଯିବ ନା ନାହିଁ ତାହାକୁ ନେଇ ସରକାର ଦ୍ବିତୀୟ ଥର ବିଚାରବିମର୍ଶ ଆରମ୍ଭ କରିଛନ୍ତି। ଏକ ସଂସଦୀୟ କମିଟି ସମ୍ମୁଖରେ ବିଏସ୍ଏନ୍ଏଲ୍ର ସିଏମ୍ଡି ପି କେ ପୁରୱାର କହିଥିଲେ ଯେ ଏମ୍ଟିଏନ୍ଏଲ୍ ଖାତାରେ ଥିବା ୨୬,୫୦୦ କୋଟି ଟଙ୍କାର ଋଣ ଓ ଏହାର ସମ୍ପତ୍ତିକୁ ଏକ ସ୍ପେସିଆଲ୍ ପରପସ୍ ଭେଇକିଲ୍ (ଏସ୍ପିଭି)ରେ ରଖିବା ବିଷୟରେ ଟେଲିକମ୍ ବିଭାଗ ବିଚାର କରିବା ଦରକାର। ଏତେ ଋଣ ଯେଉଁ କଂପାନି ଉପରେ ରହିଛି ତାହାର ପୁନରୁଦ୍ଧାର ଭଗବାନ ଆସିଲେ ବି କରିପାରିବେନି। ଏହା ହିଁ ଜୀବନର ସତ ଓ ତାହାକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ସେ କମିଟିକୁ କହିଥିଲେ। ୨୦୧୯ରେ ଉଭୟ ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ ପାଇଁ ୭୦ ହଜାର କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଦିଆଯାଇଥିଲା। ଏମ୍ଟିଏନ୍ଏଲ୍ରେ ୨୦୨୦-୨୧ ଓ ବିଏସ୍ଏନ୍ଏଲ୍ ୨୦୨୩-୨୪ରେ ଲାଭ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/564h654dg65gdgdgdgdgd.jpg)