ଭୁବନେଶ୍ବର: ଜୁଲାଇ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ୨୫ତାରିଖରେ ବିଜେପି ସରକାରର ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପନ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରିପରିଷଦ ବୈଠକରେ ଏହା ଉପରେ ମୋହର ବାଜିଥିବା କୁହାଯାଉଛି। ବଜେଟ୍ ଉପସ୍ଥାପନ ପୂର୍ବରୁ ରାଜ୍ୟ ସରକାର ବଜେଟ୍‌ର ଆକାର ସମ୍ପର୍କରେ ବିଧିବଦ୍ଧ ଭାବେ ସୂଚନା ଦେଇନାହାନ୍ତି। କିନ୍ତୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୪-୨୫ର ମୋଟ୍ ବଜେଟ୍ ରାଶି ୩ଲକ୍ଷ କୋଟି ଟଙ୍କା ଛୁଇଁପାରେ।

Advertisment

୨୦୨୩-୨୪ରେ ରାଜ୍ୟ ସରକାର ୨ଲକ୍ଷ ୩୦ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ତାହା ତୁଳନାରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ପ୍ରାୟ ୭୦ହଜାର କୋଟି ଟଙ୍କା ଅଧିକ ରହିବ ବୋଲି କୁହାଯାଉଛି। ଏହା ହେଲେ ବଜେଟ୍‌ ଆକାର ପ୍ରାୟ ୩୦% ବଢ଼ିବ। ଅପରପକ୍ଷେ ପୂର୍ବ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୫୫ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଏଥିରେ ୪ମାସ ପାଇଁ (ଏପ୍ରିଲରୁ ଜୁଲାଇ ) ୧ଲକ୍ଷ ୧୮ହଜାର କୋଟି ଟଙ୍କାର ଲେଖାନୁଦାନ ରହିଥିଲା। ତେଣୁ ପୂର୍ବ ସରକାରଙ୍କ ବଜେଟ୍ ତୁଳନାରେ ଏହି ରାଶି ପ୍ରାୟ ୧୮% ଅଧିକ। ରାଜ୍ୟ ସରକାର ନିର୍ବାଚନ ପ୍ରତିଶ୍ରୁତି ରଖିବାକୁ ଯାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ଟଙ୍କାକୁ ବୃଦ୍ଧି କରିଥିବାବେଳେ, ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର୍ ଦେବାକୁ ଘୋଷଣା କରିଛନ୍ତି। କ୍ୟାବିନେଟ୍‌ରେ ମଧ୍ୟ ଏହାକୁ ଅନୁମୋଦନ କରାଯାଇଛି। ତେଣୁ ବିଜେପି ସରକାର ବଜେଟ୍‌ ବ୍ୟୟବରାଦ ବଢ଼ିଥିବା କୁହାଯାଉଛି।