ଭୁବନେଶ୍ବର: ଅନ୍ତଃରାଜ୍ୟ ଦ୍ରବ୍ୟ, ସେବା କିମ୍ବା ଉଭୟର ଯୋଗାଣ ଉପରେ ଟିକସ ସଂଗ୍ରହ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶା ଦ୍ରବ୍ୟ ଓ ସେବକର ଅଧିନିୟମ-୨୦୧୭ ପ୍ରଣୟନ କରିଥିଲେ। ରାଜ୍ୟ କ୍ୟାବିନେଟରେ ଆଜି ଏହି ବିଧେୟକ ସଂଶୋଧନକୁ ମଞ୍ଜୁରି ମିଳିଛି। ଏଥିରେ ଅନେକ ବ୍ୟବସ୍ଥାର ସରଳୀକରଣ କରାଯିବ। ପ୍ରଥମତଃ ପଞ୍ଜିକୃତ କରଦାତା ‘ଇନପୁଟ୍ କର ଜମା’କୁ ସେତେବେଳେ ଉପଯୋଗ କରିପାରିବେ ଯଦି ସେହି ଦ୍ରବ୍ୟ ଓ ସେବା ଗ୍ରହୀତା ଧାରା ୩୮ ଅନୁଯାୟୀ ପଞ୍ଜୀକୃତ ବ୍ୟକ୍ତିଙ୍କୁ ଏକ ବିବରଣୀରେ ତାହାକୁ ବ୍ୟବହାର କରିବାକୁ ସୀମିତ କରି ନଥିବେ। ଜଣେ ପଞ୍ଜିକୃତ ବ୍ୟକ୍ତି କୌଣସି ଇନଭଏସ୍‌ ବା ଡେବିଟ୍ ନୋଟ୍‌ ସଂକ୍ରାନ୍ତ ଇନପୁଟ୍‌ କର ଜମାକୁ ପରବର୍ତ୍ତୀ ଆର୍ଥିକ ବର୍ଷର ୩୦ ନଭେମ୍ବର କିମ୍ବା ସଂପୃକ୍ତ ଆର୍ଥିକ ବର୍ଷର ବାର୍ଷିକ ରିଟର୍ଣ୍ଣ ଦାଖଲ କରିସାରିବା ପରେ ଆଉ ଉପଯୋଗ କରିବାକୁ ହକ୍‌ଦାର ହେବେ ନାହିଁ। ଏଥିସହିତ ଧାରା ୧୦ ଅନୁସାରେ କମ୍ବୋଜିସନ ସ୍କିମରେ କର ପୈଠ କରୁଥିବା କରଦାତା ଏକ ଆର୍ଥିକ ବର୍ଷରେ ରିଟର୍ଣ୍ଣ ଦାଖଲର ଧାର୍ଯ୍ୟ ତାରିଖଠାରୁ ୩ ମାସ ମଧ୍ୟରେ ରିଟର୍ଣ୍ଣ ଦାଖଲ କରି ନଥିଲେ ତାଙ୍କର ରେଜି‌ଷ୍ଟ୍ରେସନ ରଦ୍ଦ ହେବ।

Advertisment

ଜଣେ ପଞ୍ଜୀକୃତ ବ୍ୟକ୍ତିଙ୍କ ଦ୍ବାରା ବାହ୍ୟ ଯୋଗାଣର ସବିଶେଷ ତଥ୍ୟରେ ତ୍ରୁଟି ସଂଶୋଧନ କିମ୍ବା ଉଲ୍ଲେଖ କରି ନଥିବା ଯୋଗାଣ ଜନିତ ତ୍ରୁଟିକୁ ସୁଧାରିବାରେ ଶେଷ ସମୟସୀମାକୁ ପରବର୍ତ୍ତୀ ଆର୍ଥିକ ବର୍ଷର ନଭେମ୍ବର ୩୦ କିମ୍ବା ସେହି ଆର୍ଥିକ ବର୍ଷର ରିଟର୍ଣ୍ଣ ଦାଖଲ ତାରିଖ, ଯେଉଁଟି ଆଗ ହୋଇଥିବା ସେହି ତାରିଖ ବୋଲି ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ପଞ୍ଜୀକୃତ ପ୍ରବାସୀ କରଯୋଗ୍ୟ ବ୍ୟକ୍ତି ମାସ ଶେଷ ହେବାର ୧୩ ଦିନ ମଧ୍ୟରେ କିମ୍ବା ପଞ୍ଜିକରଣ ଅବଧିର ଶେଷ ଦିନର ୭ ଦିନ ମଧ୍ୟରେ ରିଟର୍ଣ୍ଣ ପ୍ରଦାନ କରିବେ। ଇ-କମର୍ସ ଅପରେଟରମାନେ ଧାରା-୫୨ ଅଧୀନରେ ଯଦି ବିଳମ୍ବରେ ରିଟର୍ଣ୍ଣ ଦାଖଲ କରନ୍ତି ତେବେ ସେମାନେ ଦୈନିକ ଏକ ଶହ ଟଙ୍କା ହିସାବରେ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବିଳମ୍ବ ଦେୟ ଦେବେ। ଇଲେକ୍ଟ୍ରୋନିକ କ୍ରେଡିଟ ଲେଜରରେ ଜମାଥିବା ଆଇଟିସିକୁ ଉପଯୋଗ କରିବାକୁ ପ୍ରତିବନ୍ଧକ ନିର୍ଦ୍ଧାରଣ କରାଯାଇଛି।