ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବ ଯୋଗୁଁ ଚିପ୍ର ଘୋର ଅଭାବ ରହିଥିଲେ ମଧ୍ୟ ଉତ୍ସବ ଋତୁରେ କାର୍ ବିକ୍ରି ବେଶ ଉତ୍ସାହଜନକ ରହିବ ବୋଲି ଦେଶର ଅଗ୍ରଣୀ କାର୍ କଂପାନିଗୁଡ଼ିକ ଆଶା ପ୍ରକଟ କରିଛନ୍ତି। ମାରୁତି ସୁଜୁକି, ଟୟୋଟା କିର୍ଲୋସ୍କର ଓ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଭଳି ସଂସ୍ଥା କହିଛନ୍ତି ଯେ ଏବର୍ଷ ଉତ୍ସବ ସମୟରେ ଭଲ ବିକ୍ରି ହେବ। କେରଳର ପର୍ବ ଓନାମ୍ ଠାରୁ ଆରମ୍ଭ ହୋଇଥିବା ଉତ୍ସବ ଋତୁ ଦୀପାବଳି ପର୍ଯ୍ୟନ୍ତ ଜାରି ରହିବ।
ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଦୂର ହେଉଥିବାରୁ କାର୍ ଚାହିଦାରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। କଂପାନିଗୁଡ଼ିକ ଡିଲର୍ସିପ୍ରେ ଚାହିଦା ମୁତାବକ କାର୍ ପହଞ୍ଚାଇବା ଉପରେ କାର୍ଯ୍ୟ କରୁଛନ୍ତି। ଗ୍ରାହକଙ୍କୁ ସୁରକ୍ଷିତ ଡେଲିଭରି ଦେବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି। ଯଦିଓ ଚିପ୍ ଅଭାବ ଯୋଗୁଁ ଉତ୍ପାଦନକୁ ନେଇ ଆହ୍ବାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି ତଥାପି ଗ୍ରାହକଙ୍କ ଚାହିଦାକୁ ପୂରଣ କରାଯାଇପାରିବ ବୋଲି କଂପାନିଗୁଡ଼ିକ ଭାବୁଛନ୍ତି। ମାରୁତି ସୁଜୁକିର ବୁକିଂ ଓ ଅନୁସନ୍ଧାନରେ ବୃଦ୍ଧି ହୋଇଛି ବୋଲି କଂପାନିର ଇଡି ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି। ବର୍ତ୍ତମାନ ମାରୁତି ପାଖରେ ଯେତିକି କାର୍ ରହିଛି ତାହା ୨୩-୨୪ ଦିନର ଆବଶ୍ୟକତା ପୂରଣ କରିପାରିବ। ସାଧାରଣତଃ କଂପାନି ୩୦ ଦିନର ଚାହିଦା ପୂରଣ କରିବା ଭଳି କାର୍ ରଖୁଥିଲା। ଯେହେତୁ ସେପ୍ଟେମ୍ବର ମାସରେ ଗାଡ଼ି ଉତ୍ପାଦନ ୪୦% ରହିବ ବୋଲି କଂପାନି ଘୋଷଣା କରିଛି ତେଣୁ ଉତ୍ସବ ସମୟର ଚାହିଦା ପୂରଣ କରିବା ମାରୁତି ପାଇଁ ବେଶ କଷ୍ଟକର ହୋଇପାରେ ବୋଲି କୁହାଯାଇଛି। ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଗତବର୍ଷ ତୁଳନାରେ ଚଳିତ ବର୍ଷର ଉତ୍ସବ ଋତୁର ବିକ୍ରି ନିଶ୍ଚିତ ରୂପେ ଅଧିକ ରହିବ। କିନ୍ତୁ ୨୦୧୭-୧୯ ଭିତରେ ଯେଉଁଭଳି ବିକ୍ରି ହୋଇଥିଲା ସେଭଳି ସଫଳତା ମିଳିବ ନାହିଁ।
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଟୋମୋଟିଭ୍ ଡିଭିଜନ୍ ସିଇଓ ବିଜୟ ନାକ୍ରା କହିଛନ୍ତି ଯେ ବର୍ତ୍ତମାନ ବଜାରରେ ଯେଉଁଭଳି ଚାହିଦା ରହିଛି ତାହା ବିଚାରକୁ ନେଲେ ଏହା କୁହାଯାଇପାରିବ ଯେ ଉତ୍ସବ ଋତୁର ବିକ୍ରି ବହୁତ ଭଲ ରହିବ। ଉତ୍ସବ ସମୟରେ ୟୁଟିଲିଟି ଯାନର ଚାହିଦା ଅଧିକ ରହିବ ବୋଲି ସେ କହିଛନ୍ତି। ଏକ୍ସୟୁଭି ୭୦୦, ବୋଲେରୋ ନିଅନ୍ ଓ ଥର୍ ମାଧ୍ୟମରେ କଂପାନି ଗ୍ରାହକଙ୍କ ଚାହିଦା ପୂରଣ କରିବାକୁ ଚାହିବସିଛି। ଟୟୋଟା କିର୍ଲୋସ୍କର ମୋଟର୍ର ସହକାରୀ ମହାପ୍ରବନ୍ଧକ ଭି ଡବ୍ଲୁ ସିଗାମଣି କହିଛନ୍ତି ଯେ ଚାହିଦାରେ ବୃଦ୍ଧି ହୋଇଛି। ଆମେ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା, ବିକ୍ରି ପଦ୍ଧତିର ଡିଜିଟାଲ୍କରଣ କରିବା ଓ ବରାଦ ଦିଆଯାଇଥିବା କାର୍କୁ କିଭଳି ଗ୍ରାହକଙ୍କ ନିକଟରେ ଶୀଘ୍ର ପହଞ୍ଚାଇ ହେବ ତାହା ଉପରେ ଗୁରୁତ୍ବ ଦେଉଛୁ। ଅର୍ଥନୈତିକ କାର୍ଯ୍ୟକଳାପରେ ସୁଧାର ହେଉଥିବା ବେଳେ ବ୍ୟକ୍ତିଗତ ବ୍ୟବହାର ଲାଗି ଗାଡ଼ି ଚାହିଦା ବଢ଼ିଥିବାରୁ ଉତ୍ସବ ଋତୁରେ ମଧ୍ୟ ବିକ୍ରି ଭଲ ରହିବ ବୋଲି ସେ କହିଛନ୍ତି।