ଗାଡ଼ିରେ ରହିବ ଏକାଧିକ ଇନ୍ଧନ ବିକଳ୍ପ, ଅକ୍ଟୋବର ସୁଦ୍ଧା ଆସିବ ଗାଇଡ୍‌ଲାଇନ୍‌

ବ୍ରାଜିଲ୍‌ ମଡେଲ୍‌ ଭାରତରେ ଲାଗୁ ହେବ

ନୂଆଦିଲ୍ଲୀ: ଦେଶରେ ଖୁବ୍‌ଶୀଘ୍ର ଏଭଳି ଗାଡ଼ି ତିଆରି ଆରମ୍ଭ ହେବ ଯେଉଁଥିରେ ଏକାଧିକ ପ୍ରକାରର ଇନ୍ଧନ ବ୍ୟବହାର କରିବାର ବିକଳ୍ପ ରହିବ। ଗ୍ରାହକମାନେ ନିଜ ସୁବିଧା ଅନୁସାରେ ଇନ୍ଧନ ବ୍ୟବହାର କରିପାରି‌ବେ। ଏନେଇ ଚଳିତ ଅକ୍ଟୋବର ସୁଦ୍ଧା କେନ୍ଦ୍ର ସରକାର ଗାଇଡ୍‌ଲାଇନ୍ ଜାରି କରିବେ। ପ୍ରଦୂଷଣ ସୃଷ୍ଟିକାରୀ ଜୀବାଶ୍ମ ଇନ୍ଧନ ବ୍ୟବହାର କମ୍ କରିବା ଲାଗି ‘ନମନୀୟ ଇନ୍ଧନ ଗାଡ଼ି’ ତିଆରି କରିବା ଲାଗି ଗାଡ଼ି କଂପାନିଗୁଡ଼ିକୁ କୁହାଯିବ। ଏଭଳି ଇଞ୍ଜିନକୁ ବ୍ୟବହାର କରି ଉଭୟ ଯାତ୍ରୀବାହୀ ଓ ବାଣିଜ୍ୟିକ ଯାନ ତିଆରି କରାଯିବ।

ବିବିଧ ପ୍ରକାର ଇନ୍ଧନ ବ୍ୟବହାର ହୋଇପାରୁଥିବା ଗାଡ଼ି ତିଆରି କରିବା ଲାଗି କଂପାନିଗୁଡ଼ିକୁ ଉତ୍ସାହିତ କରିବା ପାଇଁ ଏକ ସ୍କିମ୍ ଘୋଷଣା କରାଯିବ। ଯେଉଁମାନେ ଏହି ଧରଣର ଗାଡ଼ି ତିଆରି କରିବେ ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବ। ଏ ସମ୍ପର୍କିତ ସ୍ବତନ୍ତ୍ର ନୀତି ଜାରି କରାଯିବ ଯେଉଁଥିରେ ଏନେଇ ସମ୍ପୂର୍ଣ୍ଣ ବିବରଣୀ ରହିବ। ପେଟ୍ରୋଲିୟମ୍ ସଚିବ ତରୁଣ କପୁର କହିଛନ୍ତି ଯେ ପେଟ୍ରୋଲ୍ ଓ ଡିଜେଲ୍ ଭଳି ଜୀବାଶ୍ମ ଇନ୍ଧନ ବ୍ୟବହାର ଯୋଗୁଁ ହେଉଥିବା ପ୍ରଦୂଷଣ କମ୍ କରିବା ଲାଗି ବିବିଧ ପ୍ରକାର ଇନ୍ଧନ ବିକଳ୍ପ ଥିବା ଗାଡ଼ି ଉତ୍ପାଦନ ଆରମ୍ଭ କରିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏହି ଗାଡ଼ିଗୁଡ଼ିକ ଉଭୟ ପେଟ୍ରୋଲ୍ କିମ୍ବା ଇଥାନଲ୍‌ ମିଶିଥିବା ପେଟ୍ରୋଲ୍‌ରେ ଚାଲିବ। ବ୍ରାଜିଲ୍‌‌ରେ ଏହି ମଡେଲ୍‌ର ସଫଳତାର ସହ ପରୀକ୍ଷା କରାଯାଇଛି। ସେଠାରେ ଲୋକମାନେ ନିଜ ସୁବିଧା ଅନୁସାରେ ପେଟ୍ରୋଲ୍ କିମ୍ବା ଇଥାନଲ୍‌ ମିଶା ପେଟ୍ରୋଲ୍‌କୁ ବ୍ୟବହାର କରୁଛନ୍ତି। ବ୍ରାଜିଲ୍‌ରେ ବିକ୍ରି ହେଉଥିବା ଅଧିକାଂଶ ଗାଡ଼ିରେ ବିବିଧ ଇନ୍ଧନ ବିକଳ୍ପ ରହିଛି।

ଭାରତରେ ଏହି ମଡେଲ୍‌ ସଫଳ ହେବାର ସମ୍ଭାବନା ରହିଛି। କାରଣ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମାତ୍ରାରେ ଇଥାନଲ୍ ମିଶିଥିବା ପେଟ୍ରୋଲ୍ ବିକ୍ରି ହେଉଛି। ପେଟ୍ରୋଲ୍‌ରେ ୧୦% ପର୍ଯ୍ୟନ୍ତ ଇଥାନଲ୍‌ ମିଶାଇବା ଲାଗି ବର୍ତ୍ତମାନ ଅନୁମତି ରହିଛି। ଯୋଗାଣ ଆଶାନୁରୂପ ରହୁନଥିବା ଏବଂ ପରିବହନରେ ସମସ୍ୟା ହେଉଥିବାରୁ ବର୍ତ୍ତମାନ କେବଳ ୧୫ଟି ରାଜ୍ୟରେ ଇଥାନଲ୍ ମିଶା ପେଟ୍ରୋଲ୍ ବିକ୍ରି ହେଉଛି। ଅନ୍ୟ ରାଜ୍ୟଗୁଡ଼ିକରେ ଇଥାନଲ୍‌ ମିଶ୍ରଣ ହାର ୦-୫% ଭିତରେ ରହିଛି। ବିିବିଧ ପ୍ରକାରର ଇନ୍ଧନରେ ଚାଲୁଥିବା ଗାଡ଼ି ତିଆରି କରିବା ଲାଗି ଗାଡ଼ିର ମାନକ, ପ୍ରଯୁକ୍ତି ଆଦିରେ ପରିବର୍ତ୍ତନ ଦରକାର। ଏହି ସବୁ କାର୍ଯ୍ୟ ଭାରି ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଆସୁଛି। ପେଟ୍ରୋଲ୍‌ରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ଲକ୍ଷ୍ୟ ହାସଲ ଦିଗରେ ଦେଶ ଦ୍ରୁତ ଗତିରେ ଅଗ୍ରସର ହେଉଛି। ୨୦୨୩ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ପ୍ରକ୍ରି୍ୟା ଆରମ୍ଭ କରାଯିବ ଓ ୨୦୨୫ ସୁଦ୍ଧା ସର୍ବଭାରତୀୟ ସ୍ତରରେ ତାହାକୁ ବିକ୍ରି କରାଯିବ।

ଯଦି ବିବିଧ ବିକଳ୍ପ ଗାଡ଼ି ତିଆରି କରିବା ଲାଗି ସରକାର ଗାଡ଼ି କଂପାନିଗୁଡ଼ିକୁ କହିବେ ତେବେ ସେମାନେ ଆଉ ଏକ ଆହ୍ବାନକୁ ସାମ୍ନା କରିବେ। ସାରା ବିଶ୍ବରେ ଇଲେକ୍ଟ୍ରିକ୍ ଯାନ ଗ୍ରହଣୀୟତା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଗାଡ଼ି କଂପାନିଗୁଡ଼ିକ ଇଲେକ୍ଟ୍ରିକ୍ ପ୍ରଯୁକ୍ତିରେ ଅଧିକ ମନୋନିବେଶ କରିଛନ୍ତି। ସେଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଯଦି ସେମାନଙ୍କୁ ବିବିଧ ଇନ୍ଧନ ଯୋଗ୍ୟ ଗାଡ଼ି ତିଆରି କରିବାକୁ କୁହାଯିବ ତେବେ ସେମାନଙ୍କ ଲାଗି ତାହା ଅତିରିକ୍ତ ଚାପ ସଦୃଶ ହେବ। ସରକାର ଯଦି ଏ ସମ୍ପର୍କିତ ନୀତିକୁ ବାଧ୍ୟତାମୂଳକ କରିବେ ତେବେ ଗାଡ଼ି କଂପାନିଗୁଡ଼ିକୁ ଉତ୍ପାଦନ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଅଧିକ ନିବେଶ କରିବାକୁ ପଡ଼ିବ ଏବଂ ପ୍ରଯୁକ୍ତି ସ୍ଥାନ୍ତାନ୍ତର ମଧ୍ୟ ଦରକାର ହେବ। ବିଏସ୍‌-୬ ମାନର ଗାଡ଼ି ତିଆରି କରିବା ଲାଗି କଂପାନିଗୁଡ଼ିକ ବିପୁଳ ନିବେଶ କରିବା ପରେ ମହାମାରୀ ଦେଖାଦେଇଥିବାରୁ ସେମାନେ ଚିନ୍ତିତ ଅଛନ୍ତି।

ସମ୍ବନ୍ଧିତ ଖବର