‘ଯୋଗୀ’ଙ୍କୁ ଖୋଜୁଛି ସିବିଆଇ: ସନ୍ଦେହ ଘେରରେ ସରକାରୀ ବାବୁ

ଚିତ୍ରାଙ୍କ କ୍ୟାରିୟର ଗଢ଼ିଥିଲେ, ସିଇଓ ପଦ ଦେଇଥିଲେ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସେୟାର ବଜାର ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ ଯେଉଁ ତଥାକଥିତ ହିମାଳୟ ଯୋଗୀଙ୍କ କଥାରେ ଉଠୁବସ୍ ହେଉଥିଲେ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରୁନାହିଁ। ସେ କିଏ ତାହା ଜାଣିବା ଲାଗି ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ଯୋଗୀକୁ ସିବିଆଇ ଖୋଜୁଛି। ଚିତ୍ରା କୌଣସି ଯୋଗୀଙ୍କ ଯୋଗାଯୋଗରେ ନଥିଲେ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଜଣେ ପୂର୍ବତନ ବାବୁଙ୍କୁ ଚିତ୍ରା ହିମାଳୟର ବାବା ବୋଲି କହୁଥିବା ସନ୍ଦେହ କରାଯାଉଛି। କାରଣ ସେହି ବାବୁ ଜଣକ ସେତେବେଳେ ପୁଞ୍ଜି ବଜାର ଦାୟିତ୍ବରେ ଥିଲେ। ଚିତ୍ରାଙ୍କ କ୍ୟାରିୟର ଗଠନ କରିବା ଏବଂ ତାଙ୍କୁ ଏନ୍‌ଏସ୍‌ଇର ସିଇଓ ଭଳି ଶୀର୍ଷ ପଦ ପ୍ରଦାନ କରିବାରେ ସେହି ବାବୁଙ୍କ ବଡ଼ ହାତ ଥିଲା। ସେ କୌଣସି ବାବା ନୁହନ୍ତି। ହିମାଳୟ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଏହି ମାମଲାରେ ଯଦି ସିବିଆଇ ଅଧିକ ଖୋଳତାଡ଼ କରିବ ତେବେ ‌ଉକ୍ତ ସରକାରୀ ବାବୁଙ୍କ ପରିଚୟ ସାମ୍ନାକୁ ଆସିପାରିବ ବୋଲି କୁହାଯାଉଛି। ଯଦି ଏନ୍‌ଏସ୍‌ଇ ଉପରେ କେବଳ ଜରିମାନା ଲାଗୁ କରି କେସ୍ ବନ୍ଦ କରିଦିଆଯିବ ତେବେ ତଥାକଥିତ ହିମାଳୟ ଯୋଗୀଙ୍କ ପରିଚୟ ସବୁଦିନ ପାଇଁ ଅଜଣା ହୋଇରହିଯିବ।

ରହସ୍ୟମୟ ହିମାଳୟ ବାବାଙ୍କ କଥାରେ ପରିଚାଳିତ ହେଉଥିବା ନେଇ ପୁଞ୍ଜି ବଜାରର ନିୟାମକ ସଂସ୍ଥା ସେବିକୁ ଚିତ୍ରା ମିଛ କାହାଣୀ ଶୁଣାଇଥିବା ଅନୁମାନ କରାଯାଉଛି। ଏନ୍‌ଏସ୍‌ଇର ଚିଫ୍ ଷ୍ଟ୍ରାଟେଜି ଆଡଭାଇଜର୍‌ ଆନନ୍ଦ ସୁବ୍ରମଣିଅମ୍‌କୁ ତଥାକଥିତ ବାବା ବୋଲି ସନ୍ଦେହ କରାଯାଉଛି। ଏହି ସମ୍ଭାବନାକୁ ସେବି ସମ୍ପୂର୍ଣ୍ଣ ଖାରଜ କରାଯାଇଛି। ଏନ୍‌ଏସ୍‌ଇ ବୋର୍ଡ ଜାଣିଶୁଣି ସୁବ୍ରମଣିଅମ୍‌ଙ୍କୁ ବାବା ଭାବେ ଅଭିହିତ କରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟାଇବାକୁ ଉଦ୍ୟମ କରୁଛି। ଏକ୍ସଚେଞ୍ଜ୍‌ର ସମ୍ବେଦନଶୀଳ ତଥ୍ୟ ବାହାରକୁ ପଠାଇଯାଇଥିବା ଭଳି ଗମ୍ଭୀର ଅଭିଯୋଗକୁ ବୋର୍ଡ ଏଡ଼ାଇ ଯିବାକୁ ଚାହୁଛି। ଏହି ମାମଲାକୁ ବୋର୍ଡ ଯେକୌଣସି ଉପାୟରେ ବନ୍ଦ କରିବାକୁ ଉଦ୍ୟମ କରୁଛି। ସୁବ୍ରମଣିଅମଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଥିବା କୁହାଯାଉଛି। ତାଙ୍କୁ ନେଇ ଯେଉଁ ମନ ଗଢ଼ା କାହାଣୀ ପ୍ରସ୍ତୁତ କରାଯାଇଛି ତାହାକୁ ସେବି ଗ୍ରହଣ କରିବାକୁ ନାରାଜ। କାରଣ ସେବି ଏହାର ତଦନ୍ତରୁ ଜାଣିବାକୁ ପାଇଛି ଯେ ଜଣେ ଅଜଣା ବ୍ୟକ୍ତିଙ୍କୁ ଚିତ୍ରା ଏନ୍‌ଏସ୍‌ଇର ସମ୍ବେଦନଶୀଳ ତଥ୍ୟ ପଠାଉଥିବା ବିଷୟ ବୋର୍ଡ ଭଲ ଭାବେ ଜାଣିଥିଲା। ତଥାପି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଓଲଟା ଇସ୍ତଫା ଦେଇ ଏନ୍‌ଏସ୍‌ଇ ଛାଡ଼ିବା ଲାଗି ଚିତ୍ରାଙ୍କୁ ବୋର୍ଡ ସାହାଯ୍ୟ କରିଥିଲା। ଆଶ୍ଚର୍ଯ୍ୟ ବିଷୟ ହେଉଛି ଏକ୍ସଚେଞ୍ଜ ପାଇଁ କରିଥିବା କାମ ଲାଗି ଚିତ୍ରାଙ୍କୁ ବୋର୍ଡ ପ୍ରଶଂସା ମଧ୍ୟ କରିଥିଲା। ଯେଉଁ ବ୍ୟକ୍ତି ଚିତ୍ରାଙ୍କ ସହ ଇ-ମେଲ୍ ବାର୍ତାଳାପ କରୁଥିଲେ ସେ ଏନ୍‌ଏସ୍‌ଇର ଭିତିରି କଥା ଭଲ ଭାବେ ଜାଣିଥିଲେ। ସୁବ୍ରମଣିଅମ୍ ଜଣେ ବାହାରର ବ୍ୟକ୍ତି। ତାଙ୍କର ଏକ୍ସଚେଞ୍ଜ ବିଷୟରେ ଜ୍ଞାନ କମ୍। ଇ-ମେଲ୍‌ରେ ଯେଉଁ ଭାଷାର ବ୍ୟବହାର କରାଯାଇଛି ତାହା ଜଣେ ବରିଷ୍ଠ ଅଧିକାରୀ ଅଧସ୍ତନକୁ ଦେଉଥିବା ନିର୍ଦେଶ ଭଳି ମନେ ହେଉଛି। ଯେହେତୁ ସୁବ୍ରମଣିଅମ୍ ଚିତ୍ରାଙ୍କ ଅଧସ୍ତନ ଭାବେ କାମ କରୁଥିଲେ, ତେଣୁ ସେ ଏଭଳି ଭାଷା ପ୍ରୟୋଗ କରିଥିବା ନେଇ ସନ୍ଦେହ ହେଉଛି। ଏକ ଇ-ମେଲ୍‌ରେ ରହସ୍ୟମୟ ବ୍ୟକ୍ତି ଜଣ ଚିତ୍ରାଙ୍କୁ କହିଥିଲେ ଯେ ମୁଁ ଯାହା କହିଛି କେବଳ ସେହି କଥାକୁ ସେବି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଓ ଅର୍ଥ ମନ୍ତ୍ରଣାଳୟକୁ କହିବ। ଏଭଳି ନିର୍ଦେଶ ଜଣେ ବରିଷ୍ଠ ଓ ଜଣାଶୁଣା ବ୍ୟକ୍ତି ଦେଇପାରିବେ। ସୁବ୍ରମଣିଅମ୍ ଏଭଳି ନିର୍ଦେଶ ଦେବା ଭଳି କ୍ଷମତାରେ ନଥିଲେ। ଗତ ତିନି ଦିନ ଧରି ଚେନ୍ନାଇରେ ସୁବ୍ରମଣିଅମ୍‌ଙ୍କୁ ସିବିଆଇ ଜେରା କରୁଛି। ଏନ୍‌ଏସ୍‌ଇରେ ନିଯୁକ୍ତି ପାଇଥିଲ? ଚିତ୍ରାଙ୍କ ସହ କ’ଣ ସମ୍ପର୍କ ଥିଲା? ଏନ୍‌ଏସ୍‌ଇର ଗ୍ରୁପ୍ ଅପରେଟିଂ ଅଫିସର ଭାବେ କ’ଣ ଦାୟିତ୍ବ ନିର୍ବାହ କରୁଥିଲ? ଏଭଳି ଅନେକ ପ୍ରଶ୍ନ ତାଙ୍କୁ ସିବିଆଇ ପଚାରିଛି। ସିବିଆଇ ଅଧିକାରୀମାନେ ଦିଲ୍ଲୀରେ ଥିବା ସେବି କାର୍ଯ୍ୟାଳୟ ପରିଦର୍ଶନ କରି କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ସଂଗ୍ରହ କରିଛନ୍ତି।

ଗତ ସପ୍ତାହରେ ସିବିଆଇ ପକ୍ଷରୁ ଚିତ୍ରା ଓ ତାଙ୍କ ପୂର୍ବରୁ ଏନ୍‌ଏସ୍‌ଇର ସିଇଓ ଥିବା ରବି ନାରାୟନ୍‌ଙ୍କୁ ଜେରା କରାଯାଇଥିଲା। ଏହି ମାମଲାକୁ ନେଇ ଖୋଳତାଡ଼ ଜାରି ରହିଛି। ସିବିଆଇ ଓ ଆୟକର ବିଭାଗ ଏହାର ତଦନ୍ତ କରୁଛନ୍ତି। ଚିତ୍ରା ଓ ଅନ୍ୟ କିଛି ବ୍ୟକ୍ତିଙ୍କ ଘରେ ଓ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଦସ୍ତାବିଜ ଜବତ କରାଯାଇଛି। ତଦନ୍ତ ପରିସର ବ୍ୟାପକ ହେବା ପରେ ଏନ୍‌ଏସ୍‌ଇ ବୋର୍ଡ ସଦସ୍ୟମାନଙ୍କୁ ମଧ୍ୟ ଜେରା କରାଯାଇପାରେ ବୋଲି କୁହାଯାଉଛି। ଏହି ମାମଲାରେ କିଛି ଦିନ ତଳେ ସେବି ଯେଉଁ ନିର୍ଦେଶ ଜାରି କରିଥିଲା ସେଥିରେ ଚିତ୍ରାଙ୍କୁ ନେଇ ଏହା ଆଶ୍ଚର୍ଯ୍ୟ ପ୍ରକଟ କରିଛି। ଏନ୍‌ଏସ୍‌ଇ ଭଳି ଏକ ସଂସ୍ଥାର ମୁଖ୍ୟ ଜଣେ ଅଜଣା ବ୍ୟକ୍ତିଙ୍କ ପରିଚୟ ଲୁଚାଇବାକୁ ଉଦ୍ୟମ କରିବା ଆଦୌଁ ଗ୍ରହଣୀୟ ନୁହେଁ। ଚିତ୍ରା ନିଜେ ସେବିକୁ କହିଥିଲେ ଯେ ମୁଁ ଯେଉଁ ତଥ୍ୟ ଯୋଗୀଙ୍କୁ ଦେଇଛି ତାହା ଅନ୍ୟ କାହା ପାଖରେ ପହଞ୍ଚିଥିବ ନା ନାହିଁ ତାହା ଜାଣିବା ମୋ କ୍ଷମତା ବାହାରେ। ସେ ସେହି ତଥ୍ୟ ଅନ୍ୟ କାହାକୁ ଦେଇଥାଇପାରନ୍ତି ବୋଲି ଚିତ୍ରା କହିଥିଲେ। ତାହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର