ନୂଆଦିଲ୍ଲୀ: ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣଙ୍କୁ ନେଇ ଚାଲିଥିବା ତଦନ୍ତରୁ ପ୍ରତିଦିନ ନୂଆ ନୂଆ ବିଷୟ ସାମ୍ନା ଆସୁଛି। ଦେଶର ଦୁଇ ପ୍ରମୁଖ ତଦନ୍ତ ଏଜେନ୍ସି ସିବିଆଇ ଓ ଆୟକର ବିଭାଗ ସେମାନଙ୍କ ତଦନ୍ତକୁ ଜୋରଦାର କରିଛନ୍ତି। ଏନ୍‌ଏସ୍‌ଇରେ କିଛି ହେରଫେର ହୋଇଥିଲା ନା ନାହିଁ ତାହା ଜାଣିବା ଲାଗି ବିଭିନ୍ନ ଦିଗକୁ ନେଇ ବିଶ୍ଳେଷଣ କରାଯାଉଛି। ହିମାଳୟର ଜଣେ ଯୋଗୀଙ୍କ ସହ ଚିତ୍ରାଙ୍କ ଇ-ମେଲ୍ ବାର୍ତାଳାପ ପ୍ରଘଟ ହେବା ପରେ ତାହାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ‌ସେହି ଯୋଗୀଙ୍କ ସହ ତାଙ୍କର କିଭଳି ସମ୍ପର୍କ ଥିଲା ତାହା ଜାଣିବା ଲାଗି ସିବିଆଇ ପକ୍ଷରୁ ଚିତ୍ରାଙ୍କୁ ତାଙ୍କ ଇ-ମେଲ୍ ଆଇଡି ଓ ପାସ୍‌ୱାର୍ଡ ମଗାଯାଇଥିଲା। ମୋର ଆଇଡି ଓ ପାସ୍‌ୱାର୍ଡ ମନେ ନାହିଁ ବୋଲି ଚିତ୍ରା କହିଛନ୍ତି। ସେ କିଛି ଲୁଚାଇବାକୁ ଉଦ୍ୟମ କରୁଥିବା ସନ୍ଦେହ କରାଯିବା ପରେ ତାଙ୍କ ଘରୁ ଜବତ ହୋଇଥିବା ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣର ଫୋରେନ୍ସିକ୍ ବିଶ୍ଳେଷଣ କରିବାକୁ ସିବିଆଇ ନିଷ୍ପତ୍ତି ନେଇଛି।

Advertisment

ଏନ୍‌ଏସ୍‌ଇର ସିଇଓ ଭାବେ କାର୍ଯ୍ୟ କରୁଥିବା ବେଳେ ଚିତ୍ରା ନିଜ ପଦର ଅପବ୍ୟବହାର କରିଥିଲେ ନା ନାହିଁ ଓ କୌଣସି ଦୁର୍ନୀତିରେ ଲିପ୍ତ ଥିଲେ ନା ନାହିଁ ତାହା ଜାଣିବାକୁ ସିବିଆଇ ପ୍ରୟାସ କରୁଛି। ଏହା ଚିତ୍ରାଙ୍କ ମୁମ୍ବାଇରେ ଥିବା ବାସଭବନ ଓ ଅନ୍ୟ ସ୍ଥାନରେ ଚଢ଼ଉ କରିବା ସହ ତାଙ୍କୁ ଜେରା ମଧ୍ୟ କରିଛି। ଅନ୍ୟ ପକ୍ଷରେ, ଟିକସ ଠକେଇ ଦିଗକୁ ନେଇ ଆୟକର ବିଭାଗ ଏହାର ଯାଞ୍ଚ ଆରମ୍ଭ କରିଛି। ବିଭାଗ ପକ୍ଷରୁ ମୁମ୍ବାଇ ଓ ଚେନ୍ନାଇର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଉଭୟ ସିବିଆଇ ଓ ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଚଢ଼ଉରୁ ବହୁ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ସିବିଆଇ ପକ୍ଷରୁ ଏନ୍‌ଏସ୍‌ଇର ପୂର୍ବତନ ସିଇଓ ରବି ନାରାୟଣଙ୍କୁ ମଧ୍ୟ ଜେରା କରାଯାଇଛି। ତାଙ୍କୁ ପୁଣି ଥରେ ଜେରା ପାଇଁ ଡକାଯାଇପାରେ। ନାରାୟଣ ୧୯୯୪ରୁ ୨୦୧୩ ପର୍ଯ୍ୟନ୍ତ ଏନ୍‌ଏସ୍‌ଇର ସିଇଓ ଭାବେ କାର୍ଯ୍ୟ କରିଥିଲେ। ଏହା‌ପରେ ତାଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା ଯେଉଁ ପଦରେ ସେ ୨୦୧୭ ଜୁନ୍ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କ ଅମଳରେ ବ୍ରୋକର୍‌ମାନଙ୍କ ଲାଗି ଯେଉଁ କୋଲୋକେସନ୍ ସୁବିଧା ଦିଆଯାଇଥିଲା ତାହାର ଅପବ୍ୟବହାର ହୋଇଥିଲା ନା ନାହିଁ ତାହାର ଯାଞ୍ଚ କରୁଛି ସିବିଆଇ। ୨୦୧୨ ଅକ୍ଟୋବର ୫ରେ ହଠାତ୍‌ ଏନ୍‌ଏସ୍‌ଇର ବୈଷୟିକ ବ୍ୟବସ୍ଥା ଅକାମି ହୋଇଯାଇଥିଲା। ୧୫ ମିନିଟ୍ ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। କିନ୍ତୁ କିଛି ନିବେଶକ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିଲେ। ସେହି ଭୁଲ ପାଇଁ ରବିଙ୍କୁ ସିଇଓ ପଦ ହରାଇବାକୁ ପଡ଼ିଥିଲା। ତାଙ୍କ ଉତ୍ତରାଧିକାରୀ ଭାବେ ଚିତ୍ରାଙ୍କୁ ଚୟନ କରାଯାଇଥିଲା।