ଡିସେମ୍ବର ସୁଦ୍ଧା ସିମେଣ୍ଟ୍ ବଜାରରେ ସୁଧାର ହେବ

ଭୁବନେଶ୍ବର: ମୌସୁମୀ ବର୍ଷାର ପ୍ରଭାବ ବହୁଦିନ ଲାଗି ରହିବାରୁ ସିମେଣ୍ଟ୍ ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଚଳିତ ମାସରୁ ସ୍ଥିତିରେ ସୁଧାର ଆରମ୍ଭ ହୋଇଯାଇଛି। ଡିସେମ୍ବର ସୁଦ୍ଧା ବଜାର ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବ। କୋଭିଡ୍ ମହାମାରୀ ପୂର୍ବ ସମୟର ସ୍ଥିତି ଫେରି ଆସିବ ବୋଲି ଡାଲ୍‌ମିଆ ସିମେଣ୍ଟ୍‌ର ଏମ୍‌ଡି ଓ ସିଇଓ ମହେନ୍ଦ୍ର ସିଂଘି କହିଛନ୍ତି। ‘ସମ୍ବାଦ’ ସହ ସ୍ବତନ୍ତ୍ର ଆଲୋଚନା କରି ସେ କହିଛନ୍ତି ଯେ ବର୍ଷା ଋତୁରେ ପୂର୍ବ ଭାରତରେ ସିମେଣ୍ଟ୍‌ ବିକ୍ରି ୮-୧୦% ହ୍ରାସ ପାଇଥିବା ବେଳେ ଦକ୍ଷିଣ ଭାରତରେ କିନ୍ତୁ ୧୮-୨୦ ପ୍ରତିଶତ ବଢ଼ିଥିଲା। ‌ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟରେ ନିବେଶ କରିଥିବା ରାଜ୍ୟଗୁଡ଼ିକରେ ସିମେଣ୍ଟ୍‌ ବିକ୍ରି ବଢ଼ିଥିଲା। ଆଗାମୀ ଦିନରେ ଦେଶର ସବୁ ସ୍ଥାନରେ ବିକ୍ରିରେ ସୁଧାର ହେବ ବୋଲି ସେ କହିଛନ୍ତି। ସାରା ବିଶ୍ବରେ ଶକ୍ତି ଏକ ବଡ଼ ସଙ୍କଟ ଭାବେ ଉଭା ହୋଇଥିବା ବେଳେ ସିମେଣ୍ଟ୍‌ ଶିଳ୍ପ ଏହାର ପ୍ରଭାବରୁ ବାଦ ପଡ଼ିନାହିଁ। ପେଟ୍ କୋକ୍‌, କୋଇଲା, ଲିଗ୍‌ନାଇଟ୍‌ ଓ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଶକ୍ତିକୁ ସିମେଣ୍ଟ୍‌ ଶିଳ୍ପରେ ବ୍ୟବହାର କରାଯାଉଛି। ଏହି ସବୁ ଶକ୍ତିର ଦରବୃଦ୍ଧି ଓ ଅଭାବ ସିମେଣ୍ଟ ଉତ୍ପାଦନ ଖର୍ଚ୍ଚକୁ ବହୁତ ବଢ଼ାଇ ଦେଇଛି। ସେହି ସ୍ଥିତିର ମୁକାବିଲା ଲାଗି ଅକ୍ଟୋବର ମାସରେ କିଛି କଂପାନି ସିମେଣ୍ଟ୍‌ର ବସ୍ତା ପିଛା ଦାମ୍‌ ୧୫-୨୫ ଟଙ୍କା ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଶକ୍ତି ପରିଚାଳନା ଏବେ ସିମେଣ୍ଟ୍‌ ଶିଳ୍ପ ପାଇଁ ସବୁଠୁ ବଡ଼ ଚିନ୍ତାର ବିଷୟ ଭାବେ ଉଭା ହୋଇଥିବା ସେ କହିଛନ୍ତି।

ଡାଲ୍‌ମିଆ ସିମେଣ୍ଟ୍‌ର ନିବେଶ ଯୋଜନା ବିଷୟରେ ଆଲୋଚନା କରି ଶ୍ରୀ ସିଂଘି କହିଛନ୍ତି ଯେ ୨୦୨୪ ମାର୍ଚ୍ଚ ସୁଦ୍ଧା କଂପାନି ୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ସେଥିରୁ ୭୦୦ କୋଟି ଟଙ୍କା ନିବେଶ ହୋଇସାରିଲାଣି। ଦେଶରେ ଚାରିଟି ନୂଆ ସିମେଣ୍ଟ୍‌ କାରଖାନ ସ୍ଥାପନ କରିବା, ସୌର ଶକ୍ତି ଓ ସବୁଜ ଶକ୍ତି ପ୍ରକଳ୍ପରେ କଂପାନି ଏହି ଟଙ୍କା ଖର୍ଚ୍ଚ କରିବ। ସୌର ଶକ୍ତି ପ୍ରକଳ୍ପରେ ପ୍ରାୟ ୩୫୦ କୋଟି ଟଙ୍କା ନିବେଶ କରାଯିବ ବୋଲି ଶ୍ରୀ ସିଂଘି କହିଛନ୍ତି। ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍‌ରେ ବ୍ୟାଡ୍‌ମିଣ୍ଟନ୍ ଏକାଡେମି ସ୍ଥାପନ କରିବା ଲାଗି କଂପାନି ୪୦ କୋଟି ଟଙ୍କା ଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର