କେନ୍ଦ୍ର ଜିଏସ୍‌ଟି ବଢ଼ାଇବାକୁ ଚାହୁନି

ନୂଆଦିଲ୍ଲୀ: ଲକ୍‌ଡାଉନ୍ ପ୍ରଭାବରେ ରାଜସ୍ବ ଆୟ ଗୁରୁତର ପ୍ରଭାବିତ ହୋଇଥିଲେ ମଧ୍ୟ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଜିଏସ୍‌ଟି ବଢ଼ାଇବାକୁ ଚାହୁନାହିଁ। ଆସନ୍ତା ମାସରେ ଜିଏସ୍‌ଟି ପରିଷଦର ବୈଠକ ହେବ। ଲକ୍‌ଡାଉନ୍ ଶେଷ ହେବା ପରେ ଯେକୌଣସି ପରିସ୍ଥିତି ଅର୍ଥନୀତିକୁ ଗତିଶୀଳ କରାଇବାକୁ ପଡ଼ିବ ଏବଂ ବିଭିନ୍ନ ସାମଗ୍ରୀର ଚାହିଦାରେ ଉନ୍ନତି ଆଣିବାକୁ ହେବ। କେଉଁ ସାମଗ୍ରୀ ଅତ୍ୟାବଶ୍ୟକ ଏବଂ ଅଣ ଅତ୍ୟାବଶ୍ୟକ ତାହାର ନିଷ୍ପତ୍ତି ନେବାକୁ କେନ୍ଦ୍ର ଚାହୁନାହିଁ। ତେବେ ଜିଏସ୍‌ଟି ବଢ଼ିବ ନା ନାହିଁ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ଜିଏସ୍‌ଟି ପରିଷଦ ହିଁ ଗ୍ରହଣ କରିବ।

ଜିଏସ୍‌ଟି ପରିଷଦ ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ପ୍ରଦାନ କରିବା ଲାଗି ବଜାରରୁ ଅଧିକ ଋଣ କରିବାର ଆବଶ୍ୟକତା ରହିଛି। ସେଉପରେ ପରିଷଦ ନିଷ୍ପତ୍ତି ନେଇପାରନ୍ତି। ଜିଏସ୍‌ଟି (ରାଜ୍ୟଗୁଡ଼ିକୁ କ୍ଷତିପୂରଣ) ନିୟମ ୨୦୧୭ ଅନୁସାରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକୁ ୧୪ ପ୍ରତିଶତ ହାରରେ କେନ୍ଦ୍ର ସରକାର କ୍ଷତିପୂରଣ ‌ଦେବେ ବୋଲି ବ୍ୟବସ୍ଥା କରାଯାଇଛି। ଦେଶରେ ପୂର୍ବରୁ ଲାଗୁ ହୋଇଥିବା ପ୍ରାୟ ୧୭ ପ୍ରକାର ପରୋକ୍ଷ ଟିକସକୁ ମିଶାଇ ଜିଏସ୍‌ଟି ଲାଗୁ କରାଯାଇଛି। ଏହା ଦ୍ବାରା ରାଜ୍ୟଗୁଡ଼ିକ ଅନେକ ରାଜସ୍ବ କ୍ଷତି ହୋଇଛି। ସେହି କ୍ଷତିପୂରଣକୁ କେନ୍ଦ୍ର ସରକାର ଭରଣା କରୁଛନ୍ତି। ଅନେକ ସମୟରେ ଅଭିଯୋଗ ହେଉଛି ଯେ କେନ୍ଦ୍ର ସରକାର ଠିକ୍ ସମୟରେ ଜିଏସ୍‌ଟି କ୍ଷତିପୂରଣ ଜାରି କରୁନାହାନ୍ତି। ବିଶେଷ କରି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ଏଭଳି ଅଭିଯୋଗ କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ସ୍ଥିତି ଯେଉଁଭଳି ସଙ୍କଟମୟ ରହିଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଅନୁସାରେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା କେନ୍ଦ୍ର ପାଇଁ କଷ୍ଟକର ବ୍ୟାପାର ହେବ। ମାସକୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ଆଦାୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଲକ୍‌ଡାଉନ୍ ପ୍ରଭାବରେ ଦୁଇ ମାସରୁ ଅଧିକ ସମୟ ଧରି ଜିଏସ୍‌ଟି ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବର୍ଷର ଅନ୍ୟ ମାସଗୁଡ଼ିକରେ ସ୍ଥିତିରେ ସୁଧାର ହେବାର ବହୁତ କମ୍ ସମ୍ଭାବନା ରହିଛି।

ଗତ ମାର୍ଚ୍ଚ ୨୫ରୁ ଲାଗୁ କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ଦେଶର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଯଦିଓ କିଛିଟା କଟକଣା କୋହଳ କରାଯାଇଛି ତଥାପି ସ୍ଥିତିରେ କୌଣସି ପରିବର୍ତନ ହୋଇନାହିଁ। ଦୁଇ ମାସରୁ ଅଧିକ ସମୟ ଧରି ରହିଥିବା ଲକ୍‌ଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକମାନଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡ଼ୁଥିବା ବେଳେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅର୍ଥନୀତିର ଗତି ମନ୍ଥର ହୋଇଯାଇଛି। କିଛିଟା କ୍ଷେତ୍ରକୁ କାର୍ଯ୍ୟ ଆରମ୍ଭ କରିବା ଲାଗି ଅନୁମତି ଦିଆଯାଇଥିଲେ ମଧ୍ୟ ତାହାର ବିଶେଷ ପ୍ରଭାବ ଦେଖିବାକୁ ମିଳୁନାହିଁ। ବିଶ୍ବ ସ୍ତରୀୟ ସଂସ୍ଥା ଗୋଲ୍ଡମ୍ୟାନ୍ ସଚସ୍‌ ଆକଳନ କରିଛି ଯେ ଲକ୍‌ଡାଉନ୍ ଯୋଗୁଁ ଚଳିତ ବର୍ଷର ଏପ୍ରିଲ୍‌-ଜୁନ୍‌ରେ ଭାରତର ଅଭିବୃଦ୍ଧି ୪୫% ହ୍ରାସ ପାଇବ। ଇକ୍ରା ଲିମିଟେଡ୍‌ର ଗ୍ରୁପ୍ ମୁଖ୍ୟ ଜୟନ୍ତ ରାୟ କହିଛନ୍ତି ଯେ, ଲକ୍‌ଡାଉନ୍ ପ୍ରଭାବରେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ଜିଏସ୍‌ଟି ଆଦାୟ ୩୦ ପ୍ରତିଶତ ହ୍ରାସ ପାଇ ୩.୫ ଲକ୍ଷ କୋଟି ଟଙ୍କା ହେବ। କିନ୍ତୁ କେନ୍ଦ୍ରକୁ ସେହି ସମୟରେ ୪.୧ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଗଣିବାକୁ ପଡ଼ିବ। କ୍ଷତିପୂରଣ ରାଶି ଯୋଗାଡ଼ କରିବା ଲାଗି ଯେଉଁ ସେସ୍‌ ଲଗାଯାଇଛି ସେଥିରୁ ମଧ୍ୟ ବିଶେଷ ଲାଭ ମିଳିବ ନାହିଁ। କାରଣ ଅର୍ଥନୀତି ଗତିଶୀଳ ହେଲେ ହିଁ ସେହି ସେସ୍‌ ଆଦାୟ ହୋଇପାରିବ।

ସମ୍ବନ୍ଧିତ ଖବର