କେନ୍ଦ୍ର ଦେଲା ଆଉ ୬୦୦୦ କୋଟି, ଓଡ଼ିଶା ସମେତ ୧୬ ରାଜ୍ୟ ପାଇବେ ଦ୍ବିତୀୟ କିସ୍ତିି ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜିଏସ୍‌ଟି କ୍ଷତିପୂରଣର ଦ୍ବିତୀୟ କିସ୍ତି ଆଜି ଜାରି କରାଯାଇଛି। ପ୍ରଥମ ଭଳି ଦ୍ବିତୀୟ କିସ୍ତିରେ ମଧ୍ୟ ୬୦୦୦ କୋଟି ଟଙ୍କା ଦିଆଯାଇଛି। ଓଡ଼ିଶା ସମେତ ଦେଶର ୧୬ଟି ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି କ୍ଷତିପୂରଣ ରାଶି ମିଳିବ। ଦୁଇଟି କିସ୍ତି ଜରିଆରେ କେନ୍ଦ୍ର ସରକାର ମୋଟ ୧୨ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଦେଇଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ଓଡ଼ିଶା, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଜମ୍ମୁ କାଶ୍ମୀର ଓ ପୁଡୁଚେରିକୁ ଦ୍ବିତୀୟ କିସ୍ତି ଭାବେ ୬୦୦୦ କୋଟି ଟଙ୍କା ଦିଆଯିବ। ଏହି ଅର୍ଥରାଶିକୁ କେନ୍ଦ୍ର ସରକାର ୪.୪୨ ପ୍ରତିଶତ ସୁଧ ହାରରେ ଯୋଗାଡ଼ କରିଛନ୍ତି।

ଜିଏସ୍‌ଟି କ୍ଷତିପୂରଣକୁ‌ ନେଇ କେନ୍ଦ୍ର ସରକାର ଯେଉଁ ଦୁଇଟି ବିକଳ୍ପ ପ୍ରଦାନ କରିଥିଲେ ସେଥି ମଧ୍ୟରୁ ପ୍ରଥମ ବିକଳ୍ପକୁ ୨୧ଟି ରାଜ୍ୟ ଓ ତିନିଟି କେନ୍ଦ୍ର ଶାସିତ ଅଞ୍ଚଳ ଗ୍ରହଣ କରିଛନ୍ତି। ଗତକାଲି ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଥିଲେ ଯେ ‌ଯେଉଁ କିଛି ରାଜ୍ୟ କୌଣସି ବିକଳ୍ପ ଗ୍ରହଣ କରିନାହାନ୍ତି ସେମାନଙ୍କୁ ବୁଝାଇବା ଲାଗି ଆଲୋଚନା ଜାରି ରହିଛି। ଏହି ବିବାଦ ସମ୍ପୂର୍ଣ୍ଣ ସମାଧାନ ହୋଇସାରିଛି ବୋଲି ସେ ଦାବି କରିଛନ୍ତି। ବିଶେଷ କରି ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକ କେନ୍ଦ୍ରର କୌଣସି ପ୍ରସ୍ତାବ ଗ୍ରହଣ କରିନାହାନ୍ତି। ଜିଏସ୍‌ଟି କ୍ଷତିପୂରଣ ମାମଲାରେ କେନ୍ଦ୍ର ଦେଇଥିବା ପ୍ରଥମ ପ୍ରସ୍ତାବଟି ହେଉଛି ରାଜ୍ୟଗୁଡ଼ିକ ଲାଗି କେନ୍ଦ୍ର ସରକାର ୧.୧ ଲକ୍ଷ କୋଟି ଟଙ୍କା ଋଣ ଆକାରରେ ଯୋଗାଡ଼ କରି‌ବେ ଓ ସେହି ଟଙ୍କା ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରିବେ।

ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ସ୍କିମ୍ ଅବଧି ମାସେ ବଢ଼ିଲା
ନୂଆଦିଲ୍ଲୀ: ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) କ୍ଷେତ୍ରର ପାଣ୍ଠି ଆବଶ୍ୟକତା ପୂରଣ କରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍‌ର ଅବଧିକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସ୍କିମ୍‌ରେ ୩ ଲକ୍ଷ କୋଟି ଟଙ୍କାର ଋଣ ଆବଣ୍ଟନ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା। ନିର୍ଧାରିତ ରାଶି ଆବଣ୍ଟନ ହେବା ପର୍ଯ୍ୟନ୍ତ କିମ୍ବା ନଭେମ୍ବର ୩୦ ପର୍ଯ୍ୟନ୍ତ, ଯାହା ଆଗୁଆ ହେବ ସେହି ପର୍ଯ୍ୟନ୍ତ ଏହି ସ୍କିମ୍ ଜାରି ରହିବ ବୋଲି ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କରୋନା ମହାମାରୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଏକ ଅଂଶ ହେଉଛି ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ସ୍କିମ୍।

ସମ୍ବନ୍ଧିତ ଖବର