କେନ୍ଦ୍ର ମାତ୍ର ୩ ଟଙ୍କା ଛାଡ଼ିଲା: କେଉଁ ରାଜ୍ୟରେ ଦର କେତେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ଯଥାକ୍ରମେ ୮ ଟଙ୍କା ୬ ଟଙ୍କାର ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଏହା ରବିବାର ସକାଳ ୬ଟାରୁ ଲାଗୁ ହେବ। ତେବେ ଶନିବାର ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲ ଏବଂ ଡିଜେଲ ଦର କେତେ ରହିଛି ତାହା ଉପରେ ନଜର ପକାଇଲେ ଜଣାପଡ଼‌େ ଯେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ପଶ୍ଚମବଙ୍ଗ ଭଳି ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ରହିଛି। ଅନ୍ୟପଡ଼ରେ ଆଣ୍ଡାମାନ ନିକୋବରରେ ପେଟ୍ରୋଲ ଏବଂ ଡିଜେଲ ଦର ସବୁଠୁ କମ୍ ରହିଛି।

ଭୁବନେଶ୍ବରରେ ପେଟ୍ରୋଲ ଏବଂ ଡିଜେଲର ମୂଳମୂଲ୍ୟ ସଂପ୍ରତି ଯଥାକ୍ରମେ ୫୭ ଟଙ୍କା ୩୯ ଓ ୫୯ ଟଙ୍କା ୦୮ ପଇସାରେ ରହିଥିବାବେଳେ ଅବଶିଷ୍ଟ ଅର୍ଥ ଗ୍ରାହକ ଟିକସ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରଦାନ କରୁଛନ୍ତି। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସୂଚନା ଅନୁଯାୟୀ ଭୁବନେଶ୍ବରରେ ଏବେ ‌ପେଟ୍ରୋଲ ଏବଂ ଡିଜେଲର ମୂଳମୂଲ୍ୟ କେତେ ରହିଛି ତାହାର ହିସାବ ଏଠାରେ ଦିଆଯାଇଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଆଜି ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ୮ ଟଙ୍କା ଏବଂ ଡିଜେଲ ଉପରେ ୬ ଟଙ୍କା କମାଇଛନ୍ତି। ତେବେ ଅତୀତ ୨ ବର୍ଷର ତେଲ ଟିକସକୁ ଦେଖିଲେ ଜଣାଯାଏ ଯେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨୦ ଡଲାର ସ୍ତରକୁ ହ୍ରାସ ପାଇଥିଲା।

ସେହି ସମୟରେ ସରକାର ଏହାର ଲାଭ ଗ୍ରାହକଙ୍କୁ ନଦେଇ ରାଜକୋଷ ଭରିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ଓ ସେସ୍ ବାବଦରେ ଯଥାକ୍ରମେ ୧୦ ଟଙ୍କା ଏବଂ ୧୩ ଟଙ୍କା ବଢ଼ାଇଥିଲେ। ଫଳରେ ଗ୍ରାହକ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସର କୌଣସି ଲାଭ ପାଇ ନଥିଲେ। ତେବେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅତି ଉଚ୍ଚସ୍ତରକୁ ଚାଲିଯିବା ପରେ କେନ୍ଦ୍ର ସରକାର ଗତବର୍ଷ ନଭେମ୍ବରରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ଯଥାକ୍ରମେ ୫ ଟଙ୍କା ୧୦ ଟଙ୍କା ହ୍ରାସ କରିଥିଲେ। ଆଜି ପୁଣି ଦ୍ବିତୀୟ ପର୍ଯ୍ୟାୟରେ ଟିକସ ଯଥାକ୍ରମେ ୮ ଟଙ୍କା ୬ ଟଙ୍କା ହ୍ରାସ କରିଛନ୍ତି। ଫଳରେ ଦୁଇଟି ପର୍ଯ୍ୟାୟରେ ସରକାର ପେଟ୍ରୋଲ ଉପରେ ୧୩ ଟଙ୍କା ଏବଂ ଡିଜେଲ ଉପରେ ୧୬ ଟଙ୍କା ଟିକସ ହ୍ରାସ କରିଛନ୍ତି। ତେଣୁ ପୂର୍ବବୃଦ୍ଧିକୁ ଦେଖିଲେ ବାସ୍ତବ ଟିକସ ହ୍ରାସ ଉଭୟ ପେଟ୍ରୋଲ ଓ ଡିଜେଲରେ ମାତ୍ର ୩ ଟଙ୍କା ରହିଛି।

ସମ୍ବନ୍ଧିତ ଖବର