ଜିଏସ୍‌ଟି କ୍ଷତିପୂରଣ ଦେବାକୁ କେନ୍ଦ୍ର ଅକ୍ଷମ, ଦୋହଲିଯିବ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି

ସଂସଦୀୟ କମିଟିକୁ ଜଣାଇଲେ ସରକାର

ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ରାଜ୍ୟଗୁଡ଼ିକର ରାଜସ୍ବ ଆୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସେମାନେ କେନ୍ଦ୍ରରୁ ମିଳୁଥିବା ପାଣ୍ଠି ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି। କରୋନା ସଙ୍କଟର ମୁକାବିଲା ଲାଗି ବିପୁଳ ପରିମାଣର ପାଣ୍ଠି ବ୍ୟୟ କରିବାକୁ ପଡ଼ୁଥିବାରୁ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। କେନ୍ଦ୍ର ପାଣ୍ଠିକୁ ଚାହିରହିଥିବା ରାଜ୍ୟଗୁଡ଼ିକ ପାଇଁ ବହୁତ ବଡ଼ ଖରାପ ଖବର ଆସିଛି। ଆଗାମୀ କିଛି ମାସ ପାଇଁ ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ରାଶି ଦିଆଯାଇପାରିବ ନାହିଁ ବୋଲି ସରକାର କହିଛନ୍ତି। ଏକ ସଂସଦୀୟ କମିଟିରେ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ‌ଏନେଇ ଅକ୍ଷମତା ପ୍ରକାଶ କରିଛନ୍ତି। ଗତ ଜୁଲାଇ ୨୮ରେ ବିଜେପି ସାଂସଦ ଜୟନ୍ତ ସିଂହ୍ନାଙ୍କ ନେତୃତ୍ବାଧୀନ ଅର୍ଥକୁ ନେଇ ଗଠିତ ଷ୍ଟାଣ୍ଡିଂ କମିଟିର ବୈଠକ ହୋଇଥିଲା। ବୈଠକରେ ବି‌ରୋଧୀ ଦଳଗୁଡ଼ିକର ପ୍ରତିନିଧିତ୍ବ କରୁଥିବା ସଦସ୍ୟମାନେ ଜିଏସ୍‌ଟି କ୍ଷତିପୂରଣକୁ ନେଇ ପ୍ରଶ୍ନ ଉଠାଇଥିଲେ। ଆଗାମୀ କିଛି ମାସ ପର୍ଯ୍ୟନ୍ତ ଜିଏସ୍‌ଟି କ୍ଷତିପୂରଣ ଦେବାକୁ ନେଇ କେନ୍ଦ୍ର ଏହି ବୈଠକରେ ଅକ୍ଷମତା ପ୍ରକାଶ କରିଥିବା ଜଣାପଡ଼ିଛି। ଏହି ବୈଠକରେ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରସାର ବିଭାଗର ସଚିବ ଗୁରୁ ପ୍ରସାଦ ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଦେଶରେ ପ୍ରଚଳନରେ ଥିବା ଡଜନେରୁ ଅଧିକ ପରୋକ୍ଷ ଟିକସକୁ ମିଶାଇ ଦେଶରେ ଜିଏସ୍‌ଟି ଲାଗୁ କରାଯାଇଛି। ଏହି ପରୋକ୍ଷ ଟିକସଗୁଡ଼ିକ ମଧ୍ୟରୁ ଅଧିକାଂଶ ଟିକସ ଆଦାୟ କରିବାର କ୍ଷମତା ରାଜ୍ୟଗୁଡ଼ିକ ପାଖରେ ରହିଥିଲା। ମାତ୍ର ପରୋକ୍ଷ ଟିକସ କ୍ଷେତ୍ରର ସର୍ବବୃହତ ସଂସ୍କାର ଜିଏସ୍‌ଟି ଲାଗୁ ହେବା ପରେ ସେମାନଙ୍କ ହାତରୁ ଏହି କ୍ଷମତା ଚାଲିଯାଇଛି। ଜିଏସ୍‌ଟି ପାଇଁ ରାଜ୍ୟଗୁଡ଼ିକ ଯେଉଁ କ୍ଷତି ସହିବେ ତାହାର ଭରଣା କରିବା ଲାଗି ସ୍ବତନ୍ତ୍ର ସେସ୍‌ ଲାଗୁ କରାଯାଇଛି। ୨୦୧୫-୧୬ ଆର୍ଥିକ ବର୍ଷରୁ ପରବର୍ତୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୧୪ ପ୍ରତିଶତ ହାରରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ରାଶି ପ୍ରଦାନ କରିବେ ବୋଲି ଜିଏସ୍‌ଟି ନିୟମ ୨୦୧୭ରେ ବ୍ୟବସ୍ଥା ରହିଛି। ସେହି ନିୟମରେ ଏହା ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଯଦି ଜିଏସ୍‌ଟି ଆଦାୟ ଏକ ନିର୍ଦିଷ୍ଟ ସୀମା ଠାରୁ କମ୍ ରହିବ ତେବେ କ୍ଷତିପୂରଣ ଦେବା ଲାଗି ଯେଉଁ ଫର୍ମୁଲା ରହିଛି ସେଥିରେ ପରିବର୍ତ୍ତନ କରାଯାଇପାରିବ। ଜିଏସ୍‌ଟି ନିୟମର ସେହି ଧାରାକୁ ଏବେ କେନ୍ଦ୍ର ସରକାର ଲାଗୁ କରି ଫର୍ମୁଲାରେ ପରିବର୍ତନ ଆଣିବାକୁ ଚାହୁଛନ୍ତି। ଏନେଇ ଗତ ଜୁଲାଇରେ ବୈଠକ ହେବାର ଥିଲା। ମାତ୍ର ବିଭିନ୍ନ କାରଣ ଯୋଗୁଁ ତାହା ଆଜି ପର୍ଯ୍ୟନ୍ତ ବସିପାରିନାହିଁ। କରୋନା ସଙ୍କଟ ଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ‌ଅର୍ଥନୀତିର ସ୍ଥିତି କିଭଳି ରହିଛି ତାହା ଜାଣିବା ଲାଗି ସଂସଦୀୟ କମିଟିରେ ଥିବା ବିରୋଧୀ ଦଳଗୁଡ଼ିକର ପ୍ରତିନିଧି ଯଥା କ‌ଂଗ୍ରେସ ସାଂସଦ ମନିଷ ତିୱାରୀ, ଅମ୍ବିକା ସୋନି, ଗୌରବ ଗୋଗୋଇ ଓ ଏନସିପି ସାଂସଦ ପ୍ରଫୁଲ୍ଲ ପଟେଲ ଆଦି ଜାଣିବାକୁ ଚାହୁଥିଲେ। ମାତ୍ର ବୈଠକରେ ସମ୍ପୂର୍ଣ୍ଣ ଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାରୁ ବିରୋଧୀ ଦଳଗୁଡ଼ିକର ପ୍ରତିନିଧିମାନେ ବିରକ୍ତି ପ୍ରକାଶ କରିଥିଲେ। ଲକ୍‌ଡାଉନ୍ ଘୋଷଣା ହେବା ପରେ ଅର୍ଥନୀତି ସମ୍ପୂର୍ଣ୍ଣ ବଦଳିଯାଇଛି। ଏଭଳି ପରିସ୍ଥିତି ଚଳିତ ବର୍ଷ ବଜେଟ୍‌ ମଧ୍ୟ ପ୍ରାସଙ୍ଗିକତା ହରାଇଛି ବୋଲି କଂଗ୍ରେସ ସାଂସଦ ଶ୍ରୀ ତିୱାରୀ କହିଛନ୍ତି।

ସମ୍ବନ୍ଧିତ ଖବର