ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କୋଠା ନିର୍ମାଣ, ମାଲ ବୋଝେଇ ଓ ଖଲାସ, ସୁରକ୍ଷା, ସଫେଇ, ହାଉସକିପିଂ, କୃଷି ଏବଂ ଖଣି କାର୍ଯ୍ୟ କରୁଥିବା ଶ୍ରମିକମାନେ ଏହାଦ୍ବାରା ଉପକୃତ ହେବେ। ଆସନ୍ତା ଅକ୍ଟୋବର ପହିଲାରୁ ବର୍ଦ୍ଧିତ ମଜୁରି ମିଳିବ।

Advertisment

ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରେଣୀ  ସହିତ ଦେଶର ଏ, ବି ଏବଂ ସି ବର୍ଗର ଭୌଗୋଳିକ ଅଞ୍ଚଳରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଭିନ୍ନ ଭିନ୍ନ ହାରରେ ମଜୁରି ପ୍ରଦାନ କରାଯାଇଥାଏ। ସଂଶୋଧନ ପରେ ‘ଏ’ ଅଞ୍ଚଳରେ ନିର୍ମାଣ, ସଫେଇ, ବୋଝେଇ ଓ ଖଲାସ ଆଦି କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୭୮୩ ଟଙ୍କା (ମାସିକ ୨୦,୩୫୮ଟଙ୍କା), ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ଦୈନିକ ୮୬୮ ଟଙ୍କା, କୁଶଳୀ, କିରାଣି, ବିନା ବନ୍ଧୁକରେ ସୁରକ୍ଷା କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଦୈନିକ ମଜୁରି ୯୫୪ ଟଙ୍କା (ମାସିକ ୨୪,୮୦୪ ଟଙ୍କା) ଏବଂ ଉଚ୍ଚ କୁଶଳୀ ଓ ବନ୍ଧୁକ ସହ ସୁରକ୍ଷା ସେବାରେ ନିୟୋଜିତ ଶ୍ରମିକଙ୍କ ଦୈନିକ ମଜୁରି ୧୦୩୫ ଟଙ୍କା (ମାସିକ ୨୬,୯୧୦ ଟଙ୍କା)କୁ ବୃଦ୍ଧି କରାଯାଇଛି। 

କେନ୍ଦ୍ର ସରକାର ବର୍ଷକୁ ଦୁଇଥର ଶ୍ରମିକଙ୍କ ପରିବର୍ତ୍ତିତ ମହଙ୍ଗାଭତ୍ତା ସଂଶୋଧନ କରିଥାନ୍ତି। ଏହାକୁ ଏପ୍ରିଲ ପହିଲା ଏବଂ ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ କରାଯାଇଥାଏ। ଶିଳ୍ପ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଖାଉଟି ମୂଲ୍ୟସୂଚୀର ୬ ମାସର ହାରାହାରିକୁ ନେଇ ଏହା ଧାର୍ଯ୍ୟ କରାଯାଇଥାଏ। ମଜୁରି ସଂଶୋଧନ ସଂପର୍କିତ ବିସ୍ତୃତ ସୂଚନା ଭାରତ ସରକାରର ମୁଖ୍ୟ ଶ୍ରମ ଆୟୁକ୍ତଙ୍କ ‌ୱେବସାଇଟ୍‌ (clc.gov.in) ରେ ଉପଲବ୍ଧ କରାଯାଇଛି।