ଆଉ ତିନି ମାସର ଇପିଏଫ୍‌ ଦେୟ ଦେବ କେନ୍ଦ୍ର

ଉଜ୍ଜ୍ବଳା ହିତାଧିକାରୀ ସେପ୍ଟେମ୍ବର ସୁଦ୍ଧା‌ ନେଇପାରିବେ ବଳକା ମାଗଣା ଏଲ୍‌ପିଜି

ନୂଆଦିଲ୍ଲୀ: ଆଉ ତିନି ମାସ ପର୍ଯ୍ୟନ୍ତ କେତେକ ନିର୍ଦି‌ଷ୍ଟ ବର୍ଗର କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଇପିଏଫ୍ ବାବୟଦ ଦେୟ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଜୁଲାଇରୁ ଅଗଷ୍ଟ ପର୍ଯ୍ୟନ୍ତ ତିନି ମାସ ପାଇଁ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଭାଗ ବାବଦରେ ୨୪% ଇପିଏଫ୍‌ ଦେୟ ପ୍ରଦାନ କରିବେ। ସ୍ବାଭାବିକ ଦିନଗୁଡ଼ିକରେ କର୍ମଚାରୀଙ୍କ ‌ମୂଳ ବେତନର ୧୨%କୁ କର୍ମଚାରୀଙ୍କ ଅବଦାନ ଏବଂ ସେହି ସମାନ ୧୨% ପରିମାଣର ରାଶିକୁ ନିଯୁକ୍ତିଦାତାଙ୍କ ଅବଦାନ ଭାବେ କର୍ମଚାରୀଙ୍କ ଇପିଏଫ୍ ଖାତାରେ ଜମା ହେଉଥିଲା। କରୋନା ସଙ୍କଟ ଦେଖାଦେବା ପରେ ଗତ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ତିନି ମାସ ପାଇଁ ଇପିଏଫ୍‌ ଦେୟ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏବେ ସେହି ସୁବିଧାକୁ ଆଉ ତିନି ମାସ ବଢ଼ାଇ ଦିଆଯାଇଛି।

ଏଥିପାଇଁ ସରକାରଙ୍କୁ ୪୮୬୦ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଏହା ଦ୍ବାରା ଦେଶର ୭୨ ଲକ୍ଷରୁ ଅଧିକ ଇପିଏଫ୍‌ଓ ସଦସ୍ୟ ଓ ୩.୬୭ ଲକ୍ଷ ସଂସ୍ଥା ଲାଭବାନ ହେବେ। ଏହି ସ୍କିମ୍‌ର ସୁବିଧା କେବଳ ସେହି ସଂସ୍ଥାଗୁଡ଼ିକୁ ମିଳିବ ଯେଉଁମାନେ ୧୦୦ରୁ କମ୍ କର୍ମଚାରୀ ନିୟୋଜିତ କରିଥିବେ ଓ ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କାରୁ କମ୍ ହୋଇଥିବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଆତ୍ମନିର୍ଭର ଭାରତ ଯୋଜନାର ଅଂଶ ସ୍ବରୂପ ସରକାର ଏହି ସୁବିଧା ପ୍ରଦାନ କରିବେ। କରୋନା ସଙ୍କଟ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ଅନେକ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁରୁତର ସଙ୍କଟରେ ଫସିଯାଇଛନ୍ତି। ସେମାନଙ୍କ ପାଇଁ ଏହି ସ୍କିମ୍ ଘୋଷଣା ହୋଇଛି।

ଉଜ୍ଜ୍ବଳା ହିତାଧିକାରୀ ସେପ୍ଟେମ୍ବର ସୁଦ୍ଧା‌ ନେଇପାରିବେ ବଳକା ମାଗଣା ଏଲ୍‌ପିଜି
ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କୁ ତିନିଟି ଏଲ୍‌ପିଜି ସିଲିଣ୍ଡର ମାଗଣାରେ ଦେବାକୁ କେନ୍ଦ୍ର ସରକାର ଗତ ଏପ୍ରିଲ୍‌ରେ ଘୋଷଣା କରିଥିଲେ। ଏହି ସୁବିଧା ଏପ୍ରିଲ୍‌ରୁ ଜୁନ୍ ପର୍ଯ୍ୟନ୍ତ ଉପଲବ୍ଧ ଥିଲା। କିନ୍ତୁ ଅନେକ ହିତାଧିକାରୀ ଏହି ତିନି ମାସ ଭିତରେ ନିଜ ଭାଗର ସମସ୍ତ ତିନି ସିଲିଣ୍ଡର ନେଇପାରିନଥିଲେ। କିଛି ହିତାଧିକାରୀ ଗୋଟିଏ କିମ୍ବା ଦୁଇଟି ସିଲିଣ୍ଡର ନେଇଥିଲେ। ଯେଉଁମାନେ ମାଗଣାରେ ମିଳୁଥିବା ସମସ୍ତ ତିନି ସିଲିଣ୍ଡର ନେଇନାହାନ୍ତି ସେମାନଙ୍କୁ ବଳକା ସିଲିଣ୍ଡର ନେବା ଲାଗି ଆଉ ତିନି ମାସର ସମୟ ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ମଧ୍ୟରେ ସେମାନେ ନିଜ ଭାଗର ବଳକା ସିଲିଣ୍ଡର ନେଇପାରିବେ। ଆଜି କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଏପ୍ରିଲ୍‌ରୁ ଜୁନ୍ ଭିତରେ ଏହି ସ୍କିମ୍‌ରେ କେନ୍ଦ୍ର ସରକାରଙ୍କ ତରଫରୁ ୧୧.୯୭ କୋଟି ଉଜ୍ଜ୍ବଳା ହିତାଧିକାରୀଙ୍କ ଖାତାକୁ ମାଗଣା ଏଲ୍‌ପିଜି ସିଲିଣ୍ଡର ବାବଦରେ ୯୭୦୯.୮୬ କୋଟି ଟଙ୍କା ପଠାଯାଇଛି।

ନଭେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ, ଗହମ, ବୁଟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ବଢ଼ାଇବାକୁ ସରକାର ନେଇଥିବା ନିଷ୍ପତ୍ତିକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଅନୁମୋଦନ ମିଳିଛି। କରୋନା ସଙ୍କଟ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରାୟ ୮୧ କୋଟି ହିତାଧିକାରୀଙ୍କୁ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ‌ଜାତୀୟ ଖାଦ୍ୟ ସୁରକ୍ଷା ସ୍କିମ୍‌ରେ ପ୍ରତି ‌ଲୋକ ପିଛା ମାସକୁ ୫ କେଜି ଚାଉଳ/ଗହମ ମାଗଣାରେ ଦିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସୁବିଧା ଗତ ଏପ୍ରିଲ୍‌ରୁ ଜୁନ୍ ପର୍ଯ୍ୟନ୍ତ ଦିଆଯାଇଥିଲା। କିନ୍ତୁ ସେହି ସମୟ ଭିତରେ କରୋନା ସଙ୍କଟ ଦୂର ନହେବାରୁ ସ୍କିମ୍‌କୁ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସ୍କିମ୍‌ର ଅବଧିକୁ ଆଉ ପାଞ୍ଚ ମାସ ବୃଦ୍ଧି କରାଯାଇଥିବାରୁ‌ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ୭୬,୦୬୨ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ସେହିପରି, ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ଦେଶର ପ୍ରାୟ ୧୯.୪ କୋଟି ପରିବାରକୁ ପ୍ରତି ମାସ ମାଗଣାରେ ଏକ କିଲୋଗ୍ରାମ ବୁଟ ମଧ୍ୟ ଦିଆଯିବ। ଏହି ସ୍କିମ୍‌ରେ ୯.୭ ଲକ୍ଷ ଟନ୍ ବୁଟ ଦିଆଯିବ, ଯେଉଁଥିପାଇଁ ସରକାର ୬୮୪୯.୨୪ କୋଟି ଟଙ୍କା ବ୍ୟୟ କରିବେ। ଏହି ସ୍କିମ୍‌ର ପ୍ରଥମ ପର୍ଯ୍ୟାୟରେ ଗତ ଏପ୍ରିଲ୍‌ରୁ ଜୁନ୍ ମଧ୍ୟରେ ୧୮.୨ କୋଟି ପରିବାରକୁ ୪.୬୩ ଲକ୍ଷ ଟନ୍ ବୁଟ ଦିଆଯାଇଛି।

ପ୍ରବାସୀ ଶ୍ରମିକ ପାଇଁ ସହରରେ ତିଆରି ହେବ ସୁଲଭ ଭଡ଼ା ଘର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ କାମଧନ୍ଦା ଲାଗି ସହରକୁ ଯାଉଥିବା ପ୍ରବାସୀ ଶ୍ରମିକ ଓ ଗରିବ ଲୋକମାନଙ୍କ ପାଇଁ ସରକାର ଭଡ଼ା ଘର ତିଆରି କରିବେ। ସେହି ଘରଗୁଡ଼ିକରେ ସେମାନେ କମ୍ ମୂଲ୍ୟର ଭଡ଼ା ଦେଇ ରହିପାରିବେ। ଆଜି କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସହରଗୁଡ଼ିକରେ ସରକାରୀ ପାଣ୍ଠିରେ ପୂର୍ବରୁ ତିଆରି ହୋଇ ଖାଲି ପଡ଼ିଥିବା ବାସଗୃହ ପ୍ରକଳ୍ପଗୁଡ଼ିକୁ ଦରକାର ପଡ଼ିଲେ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଡ଼ା ଘରରେ ପରିଣତ କରାଯିବ। ଯେଉଁ ସଂସ୍ଥାଗୁଡ଼ିକ ଏହି ପ୍ରକଳ୍ପ ବିକଶିତ କରିବେ ସେମାନଙ୍କୁ ସରକାର ଅନେକ ପ୍ରକାର ସୁବିଧା ଦେବେ। ଏହି ଘରଗୁଡ଼ିକରେ ଗ୍ରାମାଞ୍ଚଳ ଓ କ୍ଷୁଦ୍ର ସହରରୁ ଆସୁଥିବା ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ଓ କମ୍ ଦରମାରେ ଚାକିରି କରୁଥିବା ଲୋକମାନେ ରହିପାରିବେ।

କୃଷି ଭିତ୍ତିଭୂମି ପାଣ୍ଠିକୁ ମଞ୍ଜୁରି
ନୂଆଦିଲ୍ଲୀ: ‌କୃଷି ଭିତ୍ତିଭୂମି ପାଣ୍ଠି ଗଠନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ କମିଟିରେ ମଞ୍ଜୁରି ମିଳିଛି। କେନ୍ଦ୍ରୀୟ ସ୍କିମ୍ ଭାବେ ଏହାକୁ ଆରମ୍ଭ କରାଯିବ। ଏହି ସ୍କିମ୍‌ରେ କୃଷି ଭିତ୍ତିଭୂମି ବିକଶିତ କରିବା ଲାଗି ପାକ୍‌ସ୍‌, ଏଫ୍‌ଜିଓ, ଏସ୍‌ଏଚ୍‌ଜଚି, ଷ୍ଟାର୍ଟଆପ୍, କୃଷି ଉଦ୍ୟୋଗୀ ଓ ଜେଏଲ୍‌ଜି ଆଦିକୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ ଏକ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇଦେବେ। ଚଳିତ ବର୍ଷ ଏହି ସ୍କିମ୍‌ରେ ୧୦ ହଜାର କୋଟି ଟଙ୍କାର ଋଣ ମଞ୍ଜୁର କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆସନ୍ତା ତିନି ଆର୍ଥିକ ବର୍ଷରେ ଆଉ ୩୦ ହଜାର କୋଟି ଟଙ୍କା ମଞ୍ଜୁର କରାଯିବ। ଏହି ସ୍କିମ୍‌ରେ ଋଣ ନେବାକୁ ଥିବା ଗ୍ରାହକମାନଙ୍କୁ ୬ ମାସରୁ ଆରମ୍ଭ କରି ଦୁଇ ବର୍ଷ ପର୍ଯ୍ୟନ୍ତ ମୋରାଟୋରିଅମ୍ ସୁବିଧା ମିଳିବ। ୧୦ ବର୍ଷ ଅବଧିର ଏହି ସ୍କିମ୍ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରହିବ।

ତିନି ସରକାରୀ ବୀମା କଂପାନି ପାଇବେ ୧୨,୪୫୦ କୋଟି
ନୂଆଦିଲ୍ଲୀ: ତିନି ସରକାରୀ ସାଧାରଣ ବୀମା କଂପାନି ଓରିଏଣ୍ଟାଲ୍‌ ଇନସ୍ୟୁରାନ୍ସ କଂପାନି ଲିମିଟେଡ୍‌, ନ୍ୟାସନାଲ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌ ଓ ୟୁନାଇଟେଡ୍‌ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌‌କୁ କେନ୍ଦ୍ର ସରକାର ୧୨,୪୫୦ କୋଟି ଟଙ୍କାର ପୁଞ୍ଜି ଦେବେ। ୨୦୧୯-୨୦ରେ ୨୫୦୦ କୋଟି ଟଙ୍କା ଦିଆଯାଇଥିଲା। ତୁରନ୍ତ ଆଉ ୩୪୭୫ କୋଟି ଟଙ୍କା ଏହି ତିନି କଂପାନିକୁ ଦିଆଯିବ। ବଳକା ୬୪୭୫ କୋଟି ଟଙ୍କା ପରବର୍ତୀ ସମୟରେ ଦିଆଯିବ।

ସମ୍ବନ୍ଧିତ ଖବର