କେନ୍ଦ୍ରର ଖର୍ଚ୍ଚ କାଟ ଯୋଜନା: ଗସ୍ତ, ବିଜ୍ଞାପନ ବ୍ୟୟ କମାଇବାକୁ ନିର୍ଦେଶ

ନୂଆଦିଲ୍ଲୀ: କରୋନା ମହାମାରୀ ରାଜକୋଷ ଉପ‌ରେ ଚାପ ସୃଷ୍ଟି କରିଥିବା ବେଳେ ରାଜସ୍ବ ଆୟ ହ୍ରାସ ପାଇବା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ସେଥିପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ହେଉଥିବା ବାଜେ ଖର୍ଚ୍ଚକୁ କମ୍ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରିଛି। ଅତି ଜରୁରୀ ନଥିବା କାମରେ ଅଧିକ ଖର୍ଚ୍ଚ ନକରିବା ଲାଗି ବିଭାଗଗୁଡ଼ିକୁ କୁହାଯାଇଛି। ଯେଉଁ ସ୍ଥାନରେ ଖର୍ଚ୍ଚ କମ୍ କରିହେବ ତାହା ଉପରେ ଜୋର ଦେବାକୁ ନିର୍ଦେଶ ଦିଆଯାଇଛି। କେଉଁ ସବୁ ଖର୍ଚ୍ଚ କମ୍ ହୋଇପାରିବ ତାହାର ଏକ ତାଲିକା ଦିଆଯାଇଛି।

ବିଜ୍ଞାପନ, ପ୍ରଚାର, ଓଭର୍‌ଟାଇମ୍ ଭତ୍ତା, ପୁରସ୍କାର, ଦେଶ ଭିତ‌ରେ ଓ ବିଦେଶ ଗସ୍ତରେ ହେଉଥିବା ଖର୍ଚ୍ଚ, ସ୍ବଳ୍ପ ମରାମତିରେ ହେଉଥିବା ଖର୍ଚ୍ଚକୁ ୨୦% କମ୍ କରିବା ଲାଗି ବିଭାଗଗୁଡ଼ିକୁ କୁହାଯାଇଛି। ଏହି ତାଲିକାକୁ ସମସ୍ତ ସଚିବ, ଆର୍ଥିକ ଉପଦେଷ୍ଟାଙ୍କ ନିକଟକୁ ପଠାଯାଇଛି। ତେବେ କରୋନା ମହାମାରୀର ମୁକାବିଲା ଲାଗି ହେଉଥିବା ଖର୍ଚ୍ଚକୁ ଏହି ତାଲିକାରୁ ଅର୍ଥ ମନ୍ତ୍ରଣାଳୟ ବାଦ ଦେଇଛି।କ୍ରମାଗତ ଦ୍ବିତୀୟ ବର୍ଷ ଲାଗି ସରକାର ଖର୍ଚ୍ଚ କାଟ ଉପରେ ଜୋର ଦେଇଛନ୍ତି। ଗତବର୍ଷ ‌ସେପ୍ଟେମ୍ବରରେ ମଧ୍ୟ ଏଦିଗରେ କେତେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଅଣ-ବିକାଶ ବ୍ୟୟକୁ କମ୍ କରିବା ସହ ମନ୍ତ୍ରଣାଳୟ ଓ ବିଭାଗରେ ନୂତନ ପଦବୀ ସୃଷ୍ଟି ଉପରେ ରୋକ ଲଗାଯାଇଥିଲା। ଗତକାଲି ଅର୍ଥ ମନ୍ତ୍ରଣାଳୟ ଜଣାଇଛି ଯେ ବିଭାଗଗୁଡ଼ିକୁ କାର୍ଯ୍ୟାଳୟ ପରିଚାଳନା, ଭଡ଼ା, ରୟାଲ୍‌ଟି, ପ୍ରକାଶନ, ଅନ୍ୟାନ୍ୟ ପ୍ରଶାସନିକ ବ୍ୟୟ, ରାସନ, ପୋଷାକପତ୍ର ଆଦିରେ ହେଉଥିବା ବ୍ୟୟକୁ ନିୟନ୍ତ୍ରଣରେ ରଖିବାକୁ ହେବ। ଏଡ଼ାଇ ହେଉଥିବା ଖର୍ଚ୍ଚ ଓ ବାଜେ ଖର୍ଚ୍ଚ କମ୍ କରିବାକୁ ବିଭାଗଗୁଡ଼ିକ ଉଦ୍ୟମ କରିବେ। ଏ ଦିଗରେ ଅଗ୍ରଗତିକୁ ବ୍ୟୟ ବିଭାଗ ସୀମକ୍ଷା କରିବ। କିଛି ଦିନ ପୂର୍ବରୁ ଆମଦାନି ହେଉଥିବା କାଗଜରେ ଦସ୍ତାବିଜ ଛପାଇବା ଓ ପୁସ୍ତକ ଛପାଇବା ଉପରେ ସରକାର ରୋକ ଲଗାଇଥିଲେ। ଏଥି ସହିତ କନ୍‌ସଲ୍‌ଟାଣ୍ଟମାନଙ୍କ ନିଯୁକ୍ତିକୁ କମ୍ କରିବା ଲାଗି ମଧ୍ୟ ବିଭାଗଗୁଡ଼ିକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର