ସେବି ବିରୋଧରେ ମନ୍ତବ୍ୟ ଦେଲେ ସିଇଓ, କ୍ଷମା ମାଗିଲା ଫ୍ରାଙ୍କଲିନ୍ ଟେମ୍ପଲ୍‌ଟନ୍

ନୂଆଦିଲ୍ଲୀ: ମ୍ୟୁଚୁଆଲ୍ ଫଣ୍ଡ୍‌ ସଂସ୍ଥା ଫ୍ରାଙ୍କଲିନ୍ ଟେମ୍ପଲ୍‌ଟନ୍‌ର ସିଇଓ ଜେନି ଜନ୍‌ସନ୍‌ଙ୍କ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବିରୋଧୀ ମନ୍ତବ୍ୟ କଂପାନି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଭଳି ମନ୍ତବ୍ୟ ପାଇଁ କଂପାନି ତରଫରୁ ସେବିକୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଛି। ସିଇଓଙ୍କ ମନ୍ତବ୍ୟକୁ ଭୁଲ ଅର୍ଥରେ ଗଣମାଧ୍ୟମରେ ଉପସ୍ଥାପନ କରାଯାଇଛି ବୋଲି କଂପାନି କହିଛି। କଂପାନି ଜଣାଇଛି ଯେ, ଶ୍ରୀ ଜନ୍‌ସନ୍ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାର ସଂକ୍ଷିପ୍ତ ରୂପ ଭାରତର କିଛି ଗଣମାଧ୍ୟମ ଭୁଲ ଅର୍ଥରେ ପ୍ରକାଶ କରିଛନ୍ତି। ଏହି ଖବରଗୁଡ଼ିକରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ଅଣ ତାଲିକାଭୁକ୍ତ ସିକ୍ୟୁରିଟିଜ୍ ପାଇଁ ସେବି ଯେଉଁ ଗାଇଡ୍‌ଲାଇନ୍ ଜାରି କରିଥିଲା ତାହା ହେଉଛି ୬ଟି ଫଣ୍ଡ୍‌କୁ ବନ୍ଦ କରିବାର ପ୍ରମୁଖ କାରଣ। ଏହା ତଥ୍ୟଗତ ଦୃଷ୍ଟି ଭୁଲ ଖବର। କନଫରେନ୍ସ କଲ୍ ସମୟରେ ଶ୍ରୀ ଜନ୍‌ସନ୍ ଏଭଳି ମନ୍ତବ୍ୟ ଦେଇନଥିଲେ ବୋଲି ଫ୍ରାଙ୍କଲିନ୍ ଟେମ୍ପଲ୍‌ଟନ୍‌ ଜଣାଇଛି।

କିଛି ଦିନ ତଳେ ଫ୍ରାଙ୍କଲିନ୍ ଟେମ୍ପଲ୍‌ଟନ୍ ଭାରତରେ ଏହାର ୬ଟି ଡେବଟ୍‌ ଫଣ୍ଡ୍‌କୁ ବନ୍ଦ କରିଦେଇଥିଲା। କରୋନା ସଙ୍କଟ ପ୍ରଭାବରେ କଂପାନି ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଥିଲା। ମାତ୍ର କଂପାନିର ବିଶ୍ବ ସ୍ତରୀୟ ସିଇଓ ଶ୍ରୀ ଜନ୍‌ସନ୍‌ଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହି ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ସିଇଓ କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଇଥିଲେ ତାହା ସ୍ପଷ୍ଟ କରିବା ପାଇଁ ଫ୍ରାଙ୍କଲିନ୍ ଟେମ୍ପଲଟନ୍ ପକ୍ଷରୁ କୁହାଯାଇଛି ଯେ, କନ୍‌ଫରେନ୍ସ କଲ୍ ସମୟରେ ସିଇଓଙ୍କୁ ଭାରତ‌ରେ ବନ୍ଦ ହୋଇଥିବା ଛଅଟି ଫଣ୍ଡ୍ ସମ୍ପର୍କିତ ଏକ ପ୍ରଶ୍ନ କରାଯାଇଥିଲା। ତାହାର ଉତ୍ତରକୁ ସେ ବିସ୍ତୃତ ଭାବେ ଦେଇଥିଲେ। ଭାରତୀୟ ମ୍ୟୁଚୁଆଲ୍ ଫଣ୍ଡ୍‌ ଶିଳ୍ପ ସମ୍ପର୍କରେ ସମ୍ୟକ ଧାରଣ ପ୍ରଦାନ କରିବା ଲାଗି ସେ ଅନେକ କଥା କହିଥିଲେ ଯେଉଁଥିରେ ସେବି ସମ୍ପର୍କିତ ମନ୍ତବ୍ୟ ସାମିଲ ଥିଲା। ଏହି ମନ୍ତବ୍ୟ ସେବିକୁ ଅସନ୍ତୁଷ୍ଟ କରିଥିଲା।

ସମ୍ବନ୍ଧିତ ଖବର