ପ୍ରବାସୀ ଓଡ଼ିଆଙ୍କ ଡାଇରେକ୍ଟୋରି ପ୍ରସ୍ତୁତ କରିବାକୁ ଆହ୍ବାନ, ଓଡ଼ିଶା କର୍ପୋରେଟ୍‌ ଫାଉଣ୍ଡେସନର ୱେବିନାର୍‌

ଭୁବନେଶ୍ବର: ବିଶ୍ବର କୋଣ ଅନୁକୋଣରେ ରହି କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଏକ ଗ୍ଲୋବାଲ୍ ଡାଇରେକ୍ଟୋରି ପ୍ରସ୍ତୁତ କରିବାକୁ ବିଶେଷଜ୍ଞମାନେ ଆହ୍ବାନ ଦେଇଛନ୍ତି। ଆଜି ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ୱେବିନାର୍‌ରେ ଭାଗ ନେଇଥିବା ଅତିଥିମାନେ ଏହି ପରାମର୍ଶ ଦେଇଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁପ୍ରିମ୍‌ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜି ବି ପଟ୍ଟନାୟକ କହିଛନ୍ତି ଯେ ଏଭଳି ଡାଇରେକ୍ଟୋରି ପ୍ରସ୍ତୁତ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହି ଅବସରରେ ସେ ଓଡ଼ିଶାର ଲୋକମାନେ ଉଦ୍ୟମିତା କ୍ଷେତ୍ରରେ କାହିଁକି ଆଗକୁ ବଢ଼ିପାରିନାହାନ୍ତି ସେ ବିଷୟରେ ଆଲୋଚନା କରିଛନ୍ତି। ଏଥିପାଇଁ ସେ ତିନିଟି ପ୍ରମୁଖ କାରଣ ଦର୍ଶାଇଛନ୍ତି। ପ୍ରଥମଟି ହେଉଛି ଉଦ୍ୟୋଗ ପ୍ରତିଷ୍ଠା ବେଳେ ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ଯେଉଁଭଳି ପ୍ରଶିକ୍ଷଣ ଦରକାର ତାହା ପିଲାମାନଙ୍କୁ ଦିଆଯାଉନାହିଁ। ଲୋକମାନଙ୍କୁ ପିଲାଦିନରୁ ଚାକିରି କରିବା ଲାଗି ଉତ୍ସାହିତ କରାଯାଉଛି। ସେହି ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଉଦ୍ୟୋଗୀ ସୃଷ୍ଟି କରିବା ଲାଗି ଉପଯୁକ୍ତ ପରିବେଶର ଅଭାବ ରହିଥିବା ସେ କହିଛନ୍ତି।

ପୂର୍ବତନ କେନ୍ଦ୍ର ଶିକ୍ଷା ସଚିବ ଡକ୍ଟର ଅରୁଣ କୁମାର ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ୱେବିନାର୍‌ରେ ଯୋଗ ଦେଇ ପୂର୍ବତନ ବୈଦେଶିକ ବ୍ୟାପାର ସଚିବ ଅମରେନ୍ଦ୍ର ଖଟୁଆ କହିଛନ୍ତି ଯେ ଓଡ଼ିଶା ବାହାରେ ଓଡ଼ିଆ ଲୋକମାନଙ୍କୁ ନେଇ ଗଠିତ ୫୭୬ଟି ସଂଘ ଥିବା ବେଳେ ଦେଶ ବାହାରେ ୫୨ଟି ଓଡ଼ିଆ ସଂଘ ରହିଛି। ସେମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଏକଜୁଟ କରିବାକୁ ହେବ। ଯେଉଁମାନେ ଏହି ସଂଘଗୁଡ଼ିକର ସଦସ୍ୟ ରହିଛନ୍ତି ସେମାନଙ୍କ ତଥ୍ୟ ଗୋଟିଏ ସ୍ଥାନରେ ରଖିବା ଲାଗି ଏକ ପୋର୍ଟାଲ୍ବ ବିକଶିତ କରିବାକୁ ପଡ଼ିବ। ସେହି ପୋର୍ଟାଲ୍‌ରେ ପ୍ରବାସୀ ଓଡ଼ିଆଙ୍କ ଜନ୍ମ ସ୍ଥାନ ଓ ସେ ବିଦେଶରେ ରହୁଥିବା ସ୍ଥାନ ଉଭୟର ଠିକଣା ଉଲ୍ଲେଖ ରହିବା ଦରକାର। ‌

ଭିଏତନାମ୍‌ରେ ଅବସ୍ଥାପିତ ଭାରତର ବାଣିଜ୍ୟ ରାଷ୍ଟ୍ରଦୂତ ଡକ୍ଟର ମଦନ ମୋହନ ସେଠୀ କହିଛନ୍ତି ଯେ ପ୍ରବାସୀ ଓଡ଼ିଆଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ଲାଗି ଆମକୁ ପ୍ରଥମେ ଜିଲ୍ଲାରୁ କାମ ଆରମ୍ଭ କରିବାକୁ ପଡ଼ିବ। ଏହା ପରେ ବିଭିନ୍ନ ରାଜ୍ୟ ଓ ପରେ ବିଭିନ୍ନ ଦେଶରେ ରହୁଥିବା ଓଡ଼ିଆଙ୍କ ତଥ୍ୟ ସଂଗ୍ରହ କରିବାକୁ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ଦେଶକୁ ନେଇ ଏହି କାମ କରାଯାଇପାରିବ ବୋଲି ସେ କହିଛନ୍ତି। ଡିଲୋଇଟି କନସଲ୍‌ଟିଂର ନିର୍ଦେଶକ ଡକ୍ଟର ଅଜୟ କୁମାର ମହାନ୍ତି କହିଛନ୍ତି ଯେ ‌କେରଳ ଢାଞ୍ଚାରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଡାଇରେକ୍ଟୋରି ଆବଶ୍ୟକ। ଏହି ଅବସରରେ ଲେଖକ ତଥା ଏଫ୍‌ଆଇଡିଆର୍‌ର ପ୍ରତିଷ୍ଠାତା ଚାରୁଦତ୍ତ ପାଣିଗ୍ରାହୀ, ବହାରିନ୍‌ର ଦାଦାଭାଇ ଗ୍ରୁପ୍‌ର ସିଇଓ ଡକ୍ଟର ଅରୁଣ ପ୍ରହରାଜ ଓ ପୋଲିଆଣ୍ଟ୍‌ ଇନ୍‌ଫୋଟେକ୍‌ର ଅଧ୍ୟକ୍ଷ ନିହାର ସାମନ୍ତରା ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର