ସରକାରଙ୍କୁ ବ୍ରିଟେନ୍ ଶକ୍ତି କଂପାନିର ଚ୍ୟାଲେଞ୍ଜ: ଏୟାର ଇଣ୍ଡିଆ ବିମାନ, ଜାହାଜ ଜବତ କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: ଟିକସ ମାମଲାରେ ବିଜୟୀ ହେବା ପରେ ବ୍ରିଟେନ୍‌ର ଶକ୍ତି କଂପାନି କେର୍ଣ୍ଣ ଏନର୍ଜି ନିଜ ପ୍ରାପ୍ୟ ପାଇବା ଲାଗି ଭାରତ ସରକାରଙ୍କ ବିରୋଧରେ ଲଢ଼େଇ ଆରମ୍ଭ କରିଛି। ବିଦେଶରେ ଥିବା ଭାରତ ସରକାରଙ୍କ ସମ୍ପତ୍ତିଗୁଡ଼ିକୁ ଜବତ କରିବା ଲାଗି ଏହା ଉଦ୍ୟମ ଆରମ୍ଭ କରିଛି। ଏୟାର ଇଣ୍ଡିଆକୁ ଏହା ଅଧିଗ୍ରହଣ କରିବାକୁ ଚାହୁଛି। ସେଥିପାଇଁ ଆମେରିକାର ଏକ ଅଦାଲତରେ କଂପାନି ମାମଲା ରୁଜୁ କରିଛି। ତେବେ କେର୍ଣ୍ଣ ଏନର୍ଜିର ଉଦ୍ୟମକୁ ରୋକିବା ଲାଗି ସରକାର ନିଜ ଆଡ଼ୁ ପ୍ରସ୍ତୁତ‌ ହେଉଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ କୌଣସି ଦାବି ସରକାରଙ୍କ ନିକଟରେ ପହଞ୍ଚିନି। ଅଦାଲତ ଲଢ଼େଇରେ ବିଜୟୀ ହେବେ ବୋଲି ସରକାର ଦୃଢ଼ ଆଶାବାଦୀ ଅଛନ୍ତି।

ଏକ ଆପୋଷ ବୁଝାମଣା ଟ୍ରିବ୍ୟୁନାଲ୍‌ କେର୍ଣ୍ଣ ଏନର୍ଜିକୁ ୧୨୦ ବିଲିଅନ ଡଲାର ସୁଧ ସମେତ ପ୍ରଦାନ କରିବା ଲାଗି ଭାରତ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କେର୍ଣ୍ଣକୁ ଟିକସ ନୋଟିସ୍‌ ପଠାଇ ବ୍ରିଟେନ୍ ସହ ସ୍ବାକ୍ଷରିତ ‌ହୋଇଥିବା ନିବେଶ ଚୁକ୍ତିକୁ ଭାରତ ସରକାର ଉଲ୍ଲଂଘନ କରିଥିବା ଟ୍ରିବ୍ୟୁନାଲ୍ କହିଥିଲେ। ଏହି ନିର୍ଦେଶ ପାଇବା ପରଠାରୁ ବିଦେଶରେ ଥିବା ଭାରତ ସରକାରଙ୍କ ସମ୍ପତ୍ତି ଚିହ୍ନଟ କରିବା ଲାଗି କେର୍ଣ୍ଣ ଏନର୍ଜି ପ୍ରକ୍ରିୟା ଆରମ୍ଭ କରିଛି। ଏହା ବ୍ୟାଙ୍କ ଖାତା ଠାରୁ ଆରମ୍ଭ କରି ବିମାନ, ଜାହାଜ ଆଦି ଉପରେ ନଜର ପକାଇଛି। ସେହି ସମ୍ପତ୍ତିଗୁଡ଼ିକୁ ପାଇବା ଲାଗି କଂପାନି ତରଫରୁ ଆମେରିକା, ବ୍ରିଟେନ୍ ଓ ନେଦରଲ୍ୟାଣ୍ଡ୍‌ର ବିଭିନ୍ନ ଅଦାଲତରେ ମାମଲା ରୁଜୁ କରାଯାଇଛି। ଟିକସ ମାମଲାର ଫଇସଲା କରିବା ଲାଗି ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ କଂପାନି ପ୍ରସ୍ତୁତ ଅଛି। କିନ୍ତୁ ଯଦି ଆଲୋଚନା ବିଫଳ ହେ‌ବ ତେବେ ନିଜ ପ୍ରାପ୍ୟ ଫେରିପାଇବା ଯେଭଳି ସହଜ ହେବ ସେଥିପାଇଁ କଂପାନି ସରକାରଙ୍କ ବିଭିନ୍ନ ସମ୍ପତ୍ତିଗୁଡ଼ିକୁ ଚିହ୍ନଟ କରୁଛି। କେର୍ଣ୍ଣ ଏନର୍ଜି ସହ କୌଣସି ପ୍ରକାର ବୁଝାମଣା କରିବାକୁ ଭାରତ ସରକାର ଚାହୁନାହାନ୍ତି। ଟିକସ ବାବଦ ଅର୍ଥ କଂପାନି ପଇଠ କରୁ ବୋଲି ସରକାର ଜିଦ ଧରିଛନ୍ତି। ଏନେଇ ଉଭୟ ପକ୍ଷ ମଧ୍ୟରେ ଯେଉଁ ଆଲୋଚନା ହୋଇଥିଲା ସେଥିରେ କୌଣସି ଅଗ୍ରଗତି ହୋଇନାହିଁ। କୌଣସି ପରିସ୍ଥିତିରେ କଂପାନି ଆଗରେ ମୁଣ୍ଡ ନୂଆଇଁବା ଲାଗି ସରକାର ଚାହୁନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର