ଶସ୍ତା ହେଉଛି ସୁନା, ଛଅ ମାସରେ କମିଲାଣି ୧୨ ହଜାର ଟଙ୍କା

କାହିଁକି ଖସୁଛି ଦର? ଆଉ କେତେ ଖସିବ?

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସୁନା ଦର ଆକାଶଛୁଆଁ ସ୍ଥିତିରେ ପହଞ୍ଚିଥିଲା। ମହାମାରୀ ସ୍ଥିତିରେ ସୁଧାର ହେଉଥିବା ବେଳେ ସୁନା ଶସ୍ତା ହେବାରେ ଲାଗିଛି। ଏବେ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୩ ହଜାର ଟଙ୍କା ଭଳି ନିମ୍ନ ସ୍ତରକୁ ଖସିଆସିଛି। ୨୦୨୦ ପ୍ରାରମ୍ଭରେ ସୁନା ମୂଲ୍ୟ ୪୦ ହଜାର ଟଙ୍କା ସ୍ତରରେ ଥିଲା। ସେହି ବର୍ଷ ମାର୍ଚ୍ଚ ଶେଷ ସପ୍ତାହରେ ଲକ୍‌ଡାଉନ୍ ଘୋଷଣା ହେବା ପରେ ସେଥିରେ ଦ୍ରୁତ ବୃଦ୍ଧି ଘଟିଥିଲା। କିଛି ଦିନ ଭିତରେ ସୁନା ମୂଲ୍ୟ ୫୬ ହଜାର ଟଙ୍କା ଭଳି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଯାଇଥିଲା। ଇତି ମଧ୍ୟରେ ସୁନା ମୂଲ୍ୟରେ ୧୨ ହଜାର ଟଙ୍କାର ହ୍ରାସ ହୋଇସାରିଲାଣି। ଆଗାମୀ ଦିନରେ ଏହି ହ୍ରାସ ଜାରି ରହିବ ବୋଲି ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସୁନା ଦାମ୍ ୪୧ ହଜାର ଟଙ୍କା ପର୍ଯ୍ୟନ୍ତ ଖସିପାରେ ବୋଲି ସେମାନେ କହିଛନ୍ତି।

ବିବାହ ଉତ୍ସବ ଭଳି ସମୟରେ ସୁନା ମୂଲ୍ୟରେ ଘଟିଥିବା ହ୍ରାସ ନିଶ୍ଚିତ ରୂପେ ସାଧାରଣ ଗ୍ରାହକଙ୍କୁ କିଛିଟା ଆଶ୍ବସ୍ତି ଭଳି। କିନ୍ତୁ ଅଧିକ ଦାମ୍‌ରେ ସୁନା କିଣି ତାହାକୁ କମ୍ ଦାମ୍‌ରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା ବ୍ୟବସାୟୀମାନେ କ୍ଷତି ସହିବେ। ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୫, ୪୯୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦାମ୍‌ ୪୧,୭୦୦ ଟଙ୍କା ରହିଛି। ୨୦୨୦ ଅଗଷ୍ଟ ୧ରେ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୬,୪୯୦ ଟଙ୍କା ଭଳି ସ୍ତରରେ ପହଞ୍ଚିଥିଲା। ଏହାପରେ ଡିସେମ୍ବର ପର୍ଯ୍ୟନ୍ତ ସେଥିରେ ହ୍ରାସ ଘଟିବା ପରେ ୨୦୨୧ ଜାନୁଆରିରେ ଦାମ୍ ପୁଣି ୫୧ ହଜାର ଟଙ୍କାରୁ ଅଧିକ ହୋଇଥିଲା। ଫେବ୍ରୁଆରି ଠାରୁ ଦରରେ କ୍ରମାଗତ ଭାବେ ହ୍ରାସ ଘଟୁଛି। ଗହଣା ଆକାରରେ ବିକ୍ରି ହେଉଥିବା ସୁନା ମୁଖ୍ୟତଃ ୨୨ କ୍ୟାରେଟ୍ ହୋଇଥିବା ବେଳେ କଏନ୍ ଓ ବାର୍‌ଗୁଡ଼ିକ ହେଉଛି ୨୪ କ୍ୟାରେଟ୍ ସୁନା।

କାହିଁକି ଖସୁଛି ଦର?
ସୁନା ପାଇଁ ଭାରତ ଏକ ପ୍ରମୁଖ ବଜାର ହୋଇଥିବା ବେଳେ ପ୍ରତିବର୍ଷ ବିପୁଳ ପରିମାଣର ସୁନା ଆମଦାନି କରାଯାଉଛି। ତେଣୁ ସୁନା ଦର ଦୁଇଟି ବିଷୟ ଉପରେ ଅତ୍ୟଧିକ ନିର୍ଭରଶୀଳ ରହିଛି। ପ୍ରଥମଟି ହେଉଛି ଆନ୍ତର୍ଜାତିକ ବଜାରରେ ଏହାର ଦାମ୍ କେତେ? ଦ୍ବିତୀୟଟି ହେଉଛି ଡଲାର ମୂଲ୍ୟ। କାରଣ ଆମଦାନି ବେଳେ ଡଲାରରେ ପେମେଣ୍ଟ୍‌ କରିବାକୁ ପଡ଼ୁଛି। ଆମେରିକା ଭଳି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ସିକ୍ୟୁରିଟିର ୟିଲ୍‌ଡ ବା ରିଟର୍ଣ୍ଣକୁ ବୃଦ୍ଧି କରିଥିବାରୁ ନିବେଶକମାନେ ସେଥିରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ସେମାନେ ସୁନା କିମ୍ବା ଇକ୍ବିଟିରେ ଲଗାଇଥିବା ପୁଞ୍ଜି ପ୍ରତ୍ୟାହାର କରିନେଉଛନ୍ତି। ଭାରତରେ ଡଲାର ମୂଲ୍ୟ ଏବେ ୭୩ ଟଙ୍କାରୁ ଉଚ୍ଚ ସ୍ତରରେ ରହିଛି। ସେହି ସମୟରେ ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୧୭୦୦ ଡଲାର ପାଖାପାଖି ରହିଛି। ଏକ ଆଉନ୍ସ ସାଢ଼େ ୨୮ ଗ୍ରାମ ପାଖାପାଖି ସମାନ। ବଜେଟ୍‌ରେ ସୁନା ଓ ରୁପାରୁ ସୀମା ଶୁଳ୍କକୁ ୧୨.୫%ରୁ ହ୍ରାସ କରି ୭.୫% କରାଯିବା ସୁନା ଦାମ୍ ହ୍ରାସ ପାଇବାର ଅନ୍ୟତମ କାରଣ ବୋଲି କୁହାଯାଉଛି।
ଆଉ କେତେ ଖସିବ?
ଭବିଷ୍ୟତରେ ସୁନା ଦାମ୍ କମିବ ନା ବଢ଼ିବ ତାହା ଆକଳନ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। କେହି ଏହାର ସଠିକ୍ ଆକଳନ କରିପାରିବେ ନାହିଁ। କିନ୍ତୁ ସୁନା ବଜାର ଉପରେ ତୀକ୍ଷ୍‌ଣ ନଜର ରଖିଥିବା ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। କିଛି ବିଶେଷଜ୍ଞ କହୁଛନ୍ତି ଯେ ସୁନା ଦାମ୍‌ରେ ହେଉଥିବା ହ୍ରାସ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଦାମ୍ ୪୧ ହଜାର ଟଙ୍କା ଭଳି ସ୍ତରକୁ ହ୍ରାସ ପାଇବ। କିନ୍ତୁ ଅନ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ ସୁନା ଦାମ୍‌ରେ ଏବେ ଯେଉଁ ହ୍ରାସ ଦେଖାଦେଇଛି ତାହା ସାମୟିକ ସମୟ ପାଇଁ ରହିବ। ସରକାରୀ ବଣ୍ଡ୍‌କୁ ନେଇ ବିଶ୍ବର ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଟଣାଓଟରା ସ୍ଥିତି ରହିବ। ଏହା ପରେ ସ୍ଥିତି ସ୍ବାଭାବିକ ହୋଇଯିବ। ସେହି ସମୟରେ ଡଲାର ମୂଲ୍ୟ ଯେଉଁ ସ୍ତରରେ ଥିବ ଦାମ୍ ସେହି ଅନୁସାରେ ନିର୍ଧାରିତ ହେବ।

ସମ୍ବନ୍ଧିତ ଖବର