ବ୍ୟାଙ୍କ ଋଣ ତଦାରଖ କରିବେ ମୁଖ୍ୟମନ୍ତ୍ରୀ: ଜିଲ୍ଲାପାଳ, ବ୍ୟାଙ୍କକୁ ନେଇ ବୈଠକ ଆୟୋଜନ କରାଯିବ

୧୨ ଜିଲ୍ଲାରେ ଋଣ ଜମା ଅନୁପାତ ୪୦%ରୁ କମ୍

ଭୁବନେଶ୍ବର: ରାଜ୍ୟର ତିନିଟି ପ୍ରମୁଖ କ୍ଷେତ୍ର କୃଷି, ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଓ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ)କୁ ଆବଶ୍ୟକ ‌ଋଣ ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିର୧୬୦ତମ ବୈଠକରେ ‌ଭାଗ ନେଇ ସେ କହିଛନ୍ତି ଯେ ଏହି ତିନି ପ୍ରମୁଖ କ୍ଷେତ୍ରକୁ ଋଣ ପ୍ରବାହ କିଭଳି ରହିଛି ତାହା ମୁଁ ନିଜେ ଅନୁଧ୍ୟାନ କରିବାକୁ ଚାହୁଛି। ନଭେମ୍ବର ଶେଷ ସୁଦ୍ଧା ଜିଲ୍ଲା ସ୍ତରୀୟ ସମୀକ୍ଷା ନିଜେ ମୁଖ୍ୟମନ୍ତ୍ରୀ କରିବେ ବୋଲି କହିଛନ୍ତି। ଜିଲ୍ଲାପାଳ ଏବଂ ବ୍ୟାଙ୍କ ଅଧିକାରୀଙ୍କୁ ନେଇ ଏହି ସମୀକ୍ଷା କରାଯିବ ‌ବୋଲି ଜଣାପଡ଼ିଛି। କରୋନା ମହାମାରୀକୁ ନଜରରେ ରଖି ପ୍ରଥମ ଥର ଲାଗି ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଇଥିବା ଏହି ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କକୁ ଚାମ୍ପିଅନ୍‌ ବ୍ୟାଙ୍କ ଭାବେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯିବ। ବ୍ୟାଙ୍କର ପ୍ରଦର୍ଶନ ବିଷୟରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜୀବନ ରକ୍ଷା କରିବା‌ରେ ଡାକ୍ତରମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ଜୀବିକା ରକ୍ଷା କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ପ୍ରମୁଖ ଭୂମିକା ତୁଲାଉଛନ୍ତି। ଏହି ଜଟିଳ ପରିସ୍ଥିତିରେ ବ୍ୟାଙ୍କଗୁଡ଼ିକ ଗରିବ, ମହିଳା, ଚାଷୀ ଓ ଏମ୍ଏସ୍‌ଏମ୍‌ଇଗୁଡ଼ିକୁ ସହାୟତା ଦେବା ଲାଗି ଆଗେଇ ଆସିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ନଭେମ୍ବର ସୁଦ୍ଧା ସମୀକ୍ଷା ଶେଷ ହେବ

ଚାଷୀ, ଏସ୍‌ଏଚ୍‌ଜି, ଏମ୍ଏସ୍‌ଏମ୍‌ଇକୁ ଋଣ ଦେବାକୁ କହିଲେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ଉଭୟ ଜୀବନ ଓ ଜୀବିକାକୁ ପ୍ରଭାବିତ କରିଛି। ଡାକ୍ତର ଓ କୋଭିଡ୍‌ ଯୋଦ୍ଧାମାନେ ଜୀବନ ରକ୍ଷା କରିବା ପାଇଁ ଲଢ଼େଇ କରୁଛନ୍ତି। ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଲୋକମାନେ ମଧ୍ୟ କୋଭିଡ୍‌ ଯୋଦ୍ଧା। କରୋନା ମହାମାରୀ ସମୟରେ ସେବା ଯୋଗାଇବା ବେଳେ ଦେହାନ୍ତ ହୋଇଥିବା ବ୍ୟାଙ୍କ କର୍ମଚାରୀଙ୍କ ପ୍ରତି ‌ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଲୋକମାନଙ୍କ ଘରର ଏବଂ ରାଜ୍ୟର ଅର୍ଥନୀତିରେ ସୁଧାର ଆଣିବା ଲାଗି ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ସେ କହିଛନ୍ତି। ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଅଂଶ ସ୍ବରୂପ ରାସ୍ତାକଡ଼ ବେପାରୀମାନଙ୍କ ପାଇଁ ଅଣାଯାଇଥିବା ସ୍କିମ୍ ଓ ଏମ୍ଏସ୍‌ଏମ୍ଇଗୁଡ଼ିକ ପାଇଁ କେନ୍ଦ୍ର ସରକାର ଆଣିଥିବା ଜରୁରୀକାଳୀନ ଋଣ ସ୍କିମ୍‌ର ସଫଳତା ପାଇଁ କାର୍ଯ୍ୟ କରିବାକୁ ବ୍ୟାଙ୍କଗୁଡ଼ିକୁ ଏହି ଅବସରରେ କୁହାଯାଇଥିଲା। କୃଷି କ୍ଷେତ୍ରରେ ଓଡ଼ିଶା ଆଗୁଆ ଥିବା ବେଳେ ଋଣ ଜମା ଅନୁପାତ ଜାତୀୟ ହାର ସହ ସମାନ ରହିଛି ବୋଲି ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ଅପହଞ୍ଚ ସ୍ଥାନଗୁଡ଼ିକରେ ୬୫ଟି ସ୍ଥାୟୀ ବ୍ୟାଙ୍କ ଶାଖା ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା କାର୍ଯ୍ୟକ୍ରମ ରହିଛି ବୋଲି ଉନ୍ନୟନ କମିସନର ସୁରେଶ ମହାପାତ୍ର କହିଛନ୍ତି। କିସାନ କ୍ରେଡିଟ୍ କାର୍ଡ ଯୋଗାଣ, ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ଏବଂ ଭାଗଚାଷୀମାନଙ୍କୁ ଋଣ ଯୋଗାଇ ଦେବାକୁ କୃଷି ଉତ୍ପାଦନ କମିସନର ରାଜ କୁମାର ଶର୍ମା ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କହିଛନ୍ତି ଯେ ୨୦୨୦-୨୧ ପାଇଁ ୯୦, ୩୯୫.୬୯ କୋଟି ଟଙ୍କାର ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ୧୮,୨୨୪.୪୯ କୋଟି ଟଙ୍କା ଅର୍ଥାତ ୨୦.୧୬ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି। ମତ୍ସ୍ୟଚାଷ, କୃଷି ଭିତ୍ତିିଭୂମି, ଶିକ୍ଷା ଆଦି କ୍ଷେତ୍ରକୁ ଋଣ ଦେବା ଲାଗି ବିପୁଳ ସମ୍ଭାବନା ରହିଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ବୌଦ୍ଧ, ଯାଜପୁର ଓ ଝାରସୁଗୁଡ଼ା ୬୦ ପ୍ରତିଶତ ଋଣ ଜମା ଅନୁପାତ ହାସଲ କରିଥିବା ବେଳେ ୧୨ଟି ଜିଲ୍ଲାରେ ଏହି ଅନୁପାତ ୪୦ ପ୍ରତିଶତରୁ କମ୍ ରହିଛି। ଅପହଞ୍ଚ ଅଞ୍ଚଳକୁ ଭ୍ରାମ୍ୟମାଣ ଏଟିଏମ୍ ପଠାଇବା ଲାଗି ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଷ୍ଟେଟ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ୟୁନିଅନ୍ ବ୍ୟାଙ୍କ କାର୍ଯ୍ୟ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, କେନ୍ଦ୍ର ଅର୍ଥ ସେବା ବିଭାଗର ସଚିବ ଦେବାଶିଷ ପଣ୍ଡା, ୟୁକୋ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅତୁଲ କୁମାର ଗୋୟଲ, ଇଡି ଅଜୟ ବ୍ୟାସ, ଏସ୍‌ଏଲ୍‌ବିସିର ସଂଯୋଜକ ଅରୁପାନନ୍ଦ ଜେନା, ନାବାର୍ଡର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ଚନ୍ଦ୍ରଶେଖର, ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକ ଶ୍ରୀ ମଲ୍ଲ, ଷ୍ଟେଟ୍‌ ବ୍ୟାଙ୍କର ସିଜିଏମ୍ ରୁମା ଦେ’ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର