ଭୁବନେଶ୍ବର: ଓଡ଼ିଶାର ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ବେକାରି ସମସ୍ୟା ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ବେକାରଙ୍କ ସଂଖ୍ୟା ବଢ଼ିଛି। ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନ୍ଏସ୍ଏସ୍ଓ) ଜାରି କରିଥିବା ତୈମାସିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରି ହାର ୧୦.୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ବର୍ଷକ ପୂର୍ବରୁ ୮.୮ ପ୍ରତିଶତ ଥିଲା। ଏହା ଜାତୀୟ ହାର ୬.୪ ପ୍ରତିଶତଠାରୁ ଯଥେଷ୍ଟ ଅଧିକ। ଏହି ବୟସ ବର୍ଗରେ ପୁରୁଷଙ୍କ କ୍ଷେତ୍ରରେ ବେକାରି ହାର ବର୍ଷକ ଭିତରେ ୪.୮ ପ୍ରତିଶତରୁ ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇ ୯.୬ ପ୍ରତିଶତ ହୋଇଛି। ସେହି ସମୟରେ ମହିଳାଙ୍କ କ୍ଷେତ୍ରରେ ବେକାରି ହାର ୯ ପ୍ରତିଶତରୁ ବୃଦ୍ଧି ପାଇ ୧୩ ପ୍ରତିଶତ ହୋଇଛି।
ମହିଳାଙ୍କ ଭିତରେ ବେକାରି ଅଧିକ
ଜାତୀୟ ହାରଠାରୁ ଉପରେ
ଏନ୍ଏସ୍ଏସ୍ଓ ତଥ୍ୟ ଅନୁସାରେ ସେପ୍ଟେମ୍ବର ସୁଦ୍ଧା ଶେଷ ତିନି ମାସରେ ଜାତୀୟ ସ୍ତରରେ ସହରାଞ୍ଚଳ ବେକାରି ହାର ୬.୪ ପ୍ରତିଶତକୁ ହ୍ରାସ ପାଇଛି। ପୂର୍ବବର୍ଷ ଏହି ସମୟରେ ତାହା ୬.୬ ପ୍ରତିଶତ ଥିଲା।ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ ତିନି ମାସରେ ୧୫ ବର୍ଷ ବୟସ କିମ୍ବା ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୬.୬ ପ୍ରତିଶତ ଥିଲା। ଏହି ବୟସ ବର୍ଗରେ ମହିଳାଙ୍କ ମଧ୍ୟରେ ବେକାରି ହାର ୮.୬ ପ୍ରତିଶତରୁ ହ୍ରାସ ପାଇ ୮.୪ ପ୍ରତିଶତ ହୋଇଛି। ପୂର୍ବ ତୈମାସିକରେ ତାହା ୯ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ସେହିଭଳି, ପୁରୁଷଙ୍କ କ୍ଷେତ୍ରରେ ଏହି ବୟସ ବର୍ଗରେ ବେକାରି ହାର ୬ ପ୍ରତିଶତରୁ ହ୍ରାସ ପାଇ ୫.୭ ପ୍ରତିଶତ ହୋଇଛି। ପୂର୍ବ ତ୍ରୈମାସିକରେ ଏହି ହାର ୫.୮ ପ୍ରତିଶତ ଥିଲା। ଦେଶର ଶ୍ରମଶକ୍ତିରେ ୧୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଯୋଗଦାନ ହାର କିନ୍ତୁ ୫୦.୪ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ବର୍ଷକ ପୂର୍ବରୁ ୪୯.୩ ପ୍ରତିଶତ ଥିଲା।
କେନ୍ଦ୍ର ସରକାର ୨୦୧୭ ଏପ୍ରିଲ୍ ପରଠାରୁ ପିରିଅଡିକ୍ ଲେବର୍ ଫୋର୍ସ ପାର୍ଟିସିପେସନ୍ (ପିଏଲ୍ଏଫ୍ଏସ୍) ରିପୋର୍ଟ ଜାରି କରୁଛନ୍ତି। ପ୍ରତି ତିନି ମାସରେ ଥରେ ପ୍ରକାଶ ପାଉଥିବା ଏହି ରିପୋର୍ଟରେ ସହରାଞ୍ଚଳର ବେକାରି ଓ ନିୟୋଜନ ଚିତ୍ର ପ୍ରଦାନ କରାଯାଉଛି। ବିଶେଷ କରି ବେକାରି ହାର, ଶ୍ରମଶକ୍ତିରେ ଯୋଗଦାନ ହାର, ଶ୍ରମଶକ୍ତି ଜନସଂଖ୍ୟା ଅନୁପାତ ଆଦି ସମ୍ପର୍କରେ ଏଥିରେ ସୂଚନା ଦିଆଯାଉଛି। ଏକ ନିର୍ଦ୍ଦିଷ୍ଟ ସପ୍ତାହରେ ଏକ ଘଣ୍ଟା ବି କାମ କରି ନ ଥିବା ଲୋକମାନଙ୍କୁ ବେକାର ଭାବେ ବିଚାର କରାଯାଉଛି। ବିଭିନ୍ନ କାମରେ ନିୟୋଜିତ ହେବାର ସୁଯୋଗ ସନ୍ଧାନ କରୁଥିବା ଲୋକଙ୍କ ସଂଖ୍ୟାକୁ ଶ୍ରମଶକ୍ତି କୁହାଯାଉଛି।