କୋ-ଅପରେଟିଭ୍ ବ୍ୟାଙ୍କ ଦେବେ ଅଧିକ ଗୃହ ଋଣ, ଗୃହ ଋଣ ସୀମା ଦୁଇ ଗୁଣା ବୃଦ୍ଧି

ନୂଆଦିଲ୍ଲୀ: ଦୁଇ ଗୁଣା ଅଧିକ ଗୃହ ଋଣ ଦେବା ଲାଗି କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଛନ୍ତି। ରୁରାଲ୍ କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକ ଆବାସିକ ରିଅଲ ଇଷ୍ଟେଟ୍‌ ପ୍ରକଳ୍ପକୁ ମଧ୍ୟ ଋଣ ଦେଇପାରିବେ। ସୁଲଭ ବାସଗୃହ କ୍ଷେତ୍ରର ଫାଇନାନ୍ସ ଅଭାବ ଦୂର କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭଳି ଗ୍ରାହକମାନଙ୍କୁ ଡୋର୍‌ ଷ୍ଟେପ୍ ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କଯରିବା ଲାଗି କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି। ଏହା ଦ୍ବାରା କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକ ସାଧାରଣ କମର୍ସିଆଲ୍ ବ୍ୟାଙ୍କ ସ୍ତରକୁ ଆସିପାରିବେ। ରାଜ୍ୟ ସମବାୟ ବ୍ୟାଙ୍କ ଓ ଜିଲ୍ଲା ସମବାୟ ବ୍ୟାଙ୍କଗୁଡ଼ିକ ବାଣିଜ୍ୟିକ ରିଅଲ ଇଷ୍ଟେଟ୍‌ ପ୍ରକଳ୍ପ ପାଇଁ ଋଣ ଦେଇପାରିବେ ବୋଲି ଅନୁମତି ମିଳିଛି। ତେବେ ନିଜ ସଂପତ୍ତିର ୫% ଭିତରେ ଏହି ଋଣ ସୀମିତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି।

ଶେଷ ଥର ପାଇଁ ଅର୍ବ‌ାନ କୋ-ଅପରେଟିଭ୍ ବ୍ୟାଙ୍କ ନିମନ୍ତେ ୨୦୧୧ରେ ଓ ରୁରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ ପାଇଁ ୨୦୦୯ରେ ଋଣ ସୀମା ସଂ‌ଶୋଧନ କରାଯାଇଥିଲା। ଟାୟାର-୧ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକ ପାଇଁ ଋଣ ସୀମାକୁ ୩୦ ଲକ୍ଷ ଟଙ୍କାରୁ ବଢ଼ାଇ ୬୦ ଲକ୍ଷ ଟଙ୍କା କରାଯାଇଛି। ସେହିପରି ଟାୟାର-୨ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଲାଗି ଏହି ସୀମାକୁ ୭୦ ଲକ୍ଷ ଟଙ୍କାରୁ ବଢ଼ାଇ ୧.୪୦ କୋଟି ଟଙ୍କା କରାଯାଇଛି। ଯେଉଁ ରୁରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ କାରବାର ୧୦୦ କୋଟି ଟଙ୍କାରୁ କମ୍‌ ସେମାନଙ୍କ ଲାଗି ଋଣ ସୀମାକୁ ୨୦ ଲକ୍ଷ ଟଙ୍କାରୁ ବଢ଼ାଇ ୫୦ ଲକ୍ଷ ଟଙ୍କା କରାଯାଇଛି। ଅନ୍ୟମାନଙ୍କ ପାଇଁ ଏହି ସୀମାକୁ ୩୦ ଲକ୍ଷ ଟଙ୍କାରୁ ବଢ଼ାଇ ୭୦ ଲକ୍ଷ ଟଙ୍କା କରାଯାଇଛି।

ସମ୍ବନ୍ଧିତ ଖବର