ରେଳ କରିଡର୍‌ରେ ତାଳଚେରରୁ ପାରାଦୀପ, ଧା‌ମରା ଯିବ କୋଇଲା

ଚଳିତ ବର୍ଷ କାର୍ଯ୍ୟକ୍ଷମ ହେବ ଅନୁଗୁଳ-ବଳରାମ ରେଳ ଲାଇନ୍‌

ନୂଆଦିଲ୍ଲୀ: ଟ୍ରେନ୍ ଜରିଆରେ ରାଜ୍ୟ ଭିତରେ ଦ୍ରୁତ ଗତିରେ କୋଇଲା ପରିବହନ ହେବ। ପ୍ରମୁଖ କୋଇଲା ଉତ୍ପାଦନ ସ୍ଥଳ ତା‌ଳଚେରରୁ ଦୁଇ ବନ୍ଦର ପାରାଦୀପ ବନ୍ଦର ଓ ଧାମରା ବନ୍ଦର ପର୍ଯ୍ୟନ୍ତ ଟ୍ରେନ୍ ଜରିଆରେ କୋଇଲା ପହଞ୍ଚିବ। ସେଠାରୁ ତାହା ବିଭିନ୍ନ ଦେଶକୁ ପରିବହନ ହେବ। ସୁଲଭ ମୂଲ୍ୟରେ ଏହି ପରିବହନ ହୋଇପାରିବ। ତାଳଚେଳ କୋଇଲା କ୍ଷେତ୍ରରୁ ଦ୍ରୁତ ଏବଂ ପ୍ରଭାବୀ କୋଇଲା ପରିବହନ ପାଇଁ ମହାନଦୀ କୋଇଲା ରେଳବାଇ ଲିମିଟେଡ୍ (ଏମ୍‌ସିଆର୍‌ଏଲ୍‌) ଅଧୀନରେ ରେଳ କରିଡର ନିର୍ମାଣ କରାଯାଉଛି। ଏହି ରେଳ କରିଡର ଧାମରା ଏବଂ ପାରାଦୀପ ବନ୍ଦରକୁ ଦ୍ରୁତ ଗତିରେ ଅଧିକ ସଂଖ୍ୟାରେ କୋଇଲା ରେକ୍‌ ପରିବହନ ପାଇଁ ଆବଶ୍ୟକ ସୁବିଧା ଯୋଗାଇବ । ଭିଡ଼ମୁକ୍ତ ରେଳ ନେଟୱର୍କ ପ୍ରତିଷ୍ଠା ହେବା ଫଳରେ କୋଇଲା ପରିବହନ ବାବଦ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଅନ୍ୟପଟେ ବନ୍ଦର ନିକଟରେ ସହଜରେ କୋଇଲା ପହଞ୍ଚିବା ଫଳରେ ଜାହାଜ ଯୋଗେ ଦେଶର ଦକ୍ଷିଣ ଏବଂ ପଶ୍ଚିମ କ୍ଷେତ୍ରକୁ ସହଜରେ କୋଇଲା ପଠାଇବା ସମ୍ଭବ ହୋଇପାରିବ। ସାମୁଦ୍ରିକ ମାର୍ଗରେ କୋଇଲା ପରିବହନ ରେଳ ନେଟ୍‌ୱର୍କରେ ପରିବହନ ତୁଳନାରେ ଅପେକ୍ଷାକୃତ ଶସ୍ତା ବିକଳ୍ପ ହେବ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ ଉଚ୍ଚ ପ୍ରଭାବଯୁକ୍ତ ପ୍ରକଳ୍ପ ଅଧୀନରେ ଏମ୍‌ସିଆର୍‌ଏଲ୍‌ର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପାଇଁ କୋଇଲା ମନ୍ତ୍ରଣାଳୟ ପୂର୍ବରୁ ସ୍ଥାନ ଚିହ୍ନଟ କରିସାରିଛି। ୨୦୧୫ରେ ଏଥିପାଇଁ ଏମ୍‌ସିଆର୍‌ଏଲ୍‌ ଗଠନ କରାଯାଇଥିଲା। ଏଥିରେ ମହାନଦୀ କୋଇଲାଫିଲ୍ଡସ୍‌ ଲିମିଟେଡ (ଏମ୍‌ସିଏଲ)ର ୬୪%, ଆଇଆରସିଓଏନ୍‌ର ୨୬% ଏବଂ ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ (ଇଡ୍‌କୋ)ର ୧୦% ଅଂଶଧନ ରହିଛି ।

ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଦେଇ ଏମସିଆରଏଲ ଅଧୀନରେ ରେଳ ଲାଇନ ନିର୍ମାଣ କରାଯାଉଛି।ଭାରତୀୟ ରେଳ ନେଟୱର୍କର ଅନୁଗୁଳ ଏବଂ ଜରପଡ଼ା ଷ୍ଟେସନ ଏହି ପ୍ରକଳ୍ପ ଅଧୀନରେ ଆସୁଛି । ଅନ୍ୟପଟେ ଏମସିଏଲ୍‌ର ତାଳଚେର-ବଳରାମ ଘରୋଇ ସାଇଡିଂ ଅଧୀନରେ ବଳରାମ ଷ୍ଟେସନକୁ ବର୍ତ୍ତମାନର ଲୋଡିଂ ଷ୍ଟେସନ ଭାବେ ସାମିଲ କରାଯାଇଛି। ଚଳିତ ବର୍ଷ ସୁଦ୍ଧା ଏମ୍‌ସିଆର୍‌ଏଲ୍‌ ପ୍ରଥମ ପର୍ଯ୍ୟାୟରେ (ଅନୁଗୁଳ-ବଳରାମ) ୧୪ କିମି ଲମ୍ବ ରେଳ ଲାଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ । ତାଳଚେର କୋଇଲା ଖଣିରେ ଥିବା ଏମସିଏଲ ଖଣିରୁ ଏହି ରେଳ ଲାଇନ ଜରିଆରେ ୨୫ ନିୟୁତ ଟନ୍‌ କୋଇଲା ପରିବହନ କରାଯିବ ବୋଲି ଆଶା କରାଯାଉଛି । ଏମ୍‌ସିଆର୍‌ଏଲ୍‌ର ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପ ଅଧୀନରେ ୫୪ କିଲୋମିଟର ଲମ୍ବର ବଳରାମ-ଜରପଡ଼ା-ତେନ୍ତୁଲୋଇ ରେଳ ଲାଇନ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏହି ପ୍ରକଳ୍ପ ତାଳଚେର କୋଇଲା କ୍ଷେତ୍ରର ଦକ୍ଷିଣ ପାର୍ଶ୍ବ ଏବଂ କେନ୍ଦ୍ରୀୟ ଭାଗରେ ଥିବା ଆବଣ୍ଟିତ କୋଇଲା ଖଣିକୁ ରେଳ ସଂଯୋଗ କରିବ। ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପ କାମ ଦ୍ରୁତ ଗତିରେ ଜାରି ରହିଛି, ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜଙ୍ଗଲ ମଞ୍ଜୁରି ମିଳିସାରିଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ତାଳଚେର କୋଇଲା କ୍ଷେତ୍ରରେ ଥିବା ସିଆଇଏଲ ଏବଂ ଅଣ-ସିଆଇଏଲ୍‌ ଖଣିରୁ ୫୮ ନିୟୁତ ଟନ କୋଇଲା କୋଇଲା ପରିବହନ ପାଇଁ ସୁବିଧା ମିଳିପାରିବ । ତାଳଚେର କୋଇଲା କ୍ଷେତ୍ରରେ ଥିବା ମହାନଦୀ କୋଲ ଫିଲ୍ଡସ ଲିମିଟେଡ ଏବଂ ଆବଣ୍ଟିତ କୋଇଲା ଖଣିରୁ ୨୦୨୨ ଆର୍ଥିକ ବର୍ଷରେ ୯୫ ନିୟୁତ ଟନରୁ ଅଧିକ କୋଇଲା ଉତ୍ପାଦନ ହୋଇଥିଲା । ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୦ ନିୟତୁ ଟନ ଏବଂ ୨୦୩୦ ଆର୍ଥିକ ବର୍ଷରେ ୩୦୦ ନିୟୁତ ଟନ କୋଇଲା ଉତ୍ପାଦନ ହେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର