ଏଜବର୍ଷ ବି ଦେଖାଦେବ କୋଇଲା ସଙ୍କଟ: ମିଳୁନି ଆବଶ୍ୟକ ରେଳ ରେକ୍, ଟ୍ରକ୍‌ରେ ନେବାକୁ ପରାମର୍ଶ

ନୂଆଦିଲ୍ଲୀ: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଇଲା ସଙ୍କଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। କୋଲ ଇଣ୍ଡିଆ ପକ୍ଷରୁ ଅଣ-ବିଦ୍ୟୁତ୍ କ୍ଷେତ୍ରକୁ କୋଇଲା ଯୋଗାଣ ହ୍ରାସ କରାଯାଇଥିବା ବେଳେ ବିଦ୍ୟୁତ୍‌ କ୍ଷେତ୍ରକୁ ଅଧିକ କୋଇଲା ଯୋଗାଇ ଦିଆଯାଉଛି। ଦେଶରେ ଗ୍ରୀଷ୍ମ ଋତୁରେ ଅଧିକ କୋଇଲା ଦରକାର ହୋଇଥାଏ। ବିଦ୍ୟୁତ୍ କ୍ଷେତ୍ରର ଚାହିଦା ପୂରଣ ଲାଗି କୋଲ୍ ଇଣ୍ଡିଆ ଅନ୍ୟମାନଙ୍କ ପାଇଁ ଏହାର ଯୋଗାଣ ହ୍ରାସ କରିଛି। ଅଣ-ବିଦ୍ୟୁତ୍‌ କ୍ଷେତ୍ରକୁ ଏହା ଏବେ ଦୈନିକ ୨୭୫,୦୦୦ ଟନ୍ କୋଇଲା ଦେଉଛି ଯାହା ଆବଶ୍ୟକତାଠାରୁ ୧୭% କମ୍ ରହିଛି।

ରେଳ ଜରିଆରେ କୋଇଲା ପରିବହନ ଲାଗି ଆବଶ୍ୟକ ରେକ୍ ମିଳୁ ନ ଥିବାରୁ ସଡ଼କ ପଥରେ ନିଜ କାରଖାନା ପର୍ଯ୍ୟନ୍ତ କୋଇଲା ନେବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ କୋଲ୍ ଇଣ୍ଡିଆ କହିଛି। ସଡ଼କ ପଥରେ ପରିବହନର ଅର୍ଥ ହେଉଛି ଯୋଗାଣ ଆହୁରି ମନ୍ଥର ହେବ। ଆଲୁମିନିୟମ ନିର୍ମାତାମାନେ ନିଜ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟ୍‌କୁ ଚାଲୁ ରଖିବା ଲାଗି ମାର୍ଚ୍ଚ ମାସରେ ସ୍ଥାନୀୟ କୋଇଲା କିଣିବା ଲାଗି ୪୫୦ ପ୍ରତିଶତ ପ୍ରିମିୟମ୍ ଦାମ୍ ଦେଇଛନ୍ତି। ‌ଆମଦାନି କରାଯାଉଥିବା କୋଇଲା ଦାମ୍ ଅତ୍ୟଧିକ ମହଙ୍ଗା ହୋଇଥିବାରୁ ସେମାନେ ସ୍ଥାନୀୟ କୋଇଲା ଉପରେ ନିର୍ଭରଶୀଳ ରହିଛନ୍ତି। ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ପାଖରେ ୪୫ ନିୟୁତ ଟନ୍ କୋଇଲା ରଖିବାକୁ କୁହାଯାଇଥିବା ବେଳେ ସେହି ଷ୍ଟକ୍ ଗତ ରବିବାର ୨୫.୨ ନିୟୁତ ଟନ୍‌କୁ ହ୍ରାସ ପାଇଛି। ଭାରତୀୟ କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ ସଂଘର ସାଧାରଣ ସମ୍ପାଦକ ରାଜୀବ ଅଗ୍ରୱାଲ୍ କହିଛନ୍ତି ଯେ ସଡ଼କ ପଥରେ କୋଇଲାକୁ ଟ୍ରକ୍ ମାଧ୍ୟମରେ ପରିବହନ କରିବା ଲାଗି କହିବା କୋଇଲା ନ ଦେବା ସହ ସମାନ। ଟ୍ରକ୍‌ ଜରିଆରେ କୋଇଲା ପରିବହନ ଏକ ଅତ୍ୟନ୍ତ ପ୍ରଭାବହୀନ, ବ୍ୟୟବହୁଳ ଓ ପ୍ରଦୂଷଣ ସୃଷ୍ଟିକାରୀ ପ୍ରକ୍ରିୟା ବୋଲି ସେ କହିଛନ୍ତି।

ରେଳ ରେକ୍‌ର ଅଭାବ କୋଇଲା ପରିବହନ କ୍ଷେତ୍ରରେ ଆଉ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏକ ରେକ୍‌ରେ ୪,୦୦୦ ଟନ୍ କୋଇଲା ପରିବହନ ହୋଇଥାଏ। କିନ୍ତୁ ଗୋଟିଏ ଟ୍ରକ୍‌ରେ ୨୫ ଟନ୍ ପର୍ଯ୍ୟନ୍ତ କୋଇଲା ‌ବୋଝେଇ ହୋଇପାରିବ। ରେକ୍‌ ସଂଖ୍ୟା ବଢ଼ାଇବା‌ ଲାଗି ରେଳବାଇ ୧,୦୦,୦୦୦ ୱାଗନ୍‌ ମଗାଇବା ଉପରେ ବିଚାର କରୁଛି। ଅବଶ୍ୟ, ସେଗୁଡ଼ିକ ତିଆରି ହୋଇ ଆସିବା ପାଇଁ ସମୟ ଲାଗିବ। ସ୍ବତନ୍ତ୍ର ଭାବ ମାଲ ପରିବହନ ଲାଗି ନିର୍ମାଣ କରାଯାଉଥିବା ଦୁଇଟି ରେଳ ଲାଇନ୍‌ର କାମ ଆସନ୍ତା ବର୍ଷ ମାର୍ଚ୍ଚରେ ଶେଷ ହେବ ବୋଲି ଅନୁମାନ କରାଯାଉଛି। ତାହା ହେଲେ ଯୋଗାଣ ପ୍ରକ୍ରିୟା ଆହୁରି ସହଜ ହୋଇପାରିବ। ଗତବର୍ଷ ସେପ୍ଟେମ୍ବର-ଅକ୍ଟୋବର ସମୟରେ ଦେଶରେ ବଡ଼ ଧରଣର କୋଇଲା ସଙ୍କଟ ଦେଖାଦେଇଥିଲା। ପାୱାର ପ୍ଲାଣ୍ଟଗୁଡ଼ିକର କୋଇଲା ଷ୍ଟକ ସର୍ବନିମ୍ନ ସ୍ତରକୁ ଖସିଯିବା ସହ ଦେଶରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେବା ଭଳି ଆଶଙ୍କା ସୃଷ୍ଟି ହୋଇଥିଲା। ସ୍ଥିତି ଉପରେ ତୁରନ୍ତ ନିୟନ୍ତ୍ରଣ ହାସଲ କରିବା ଲାଗି ଅଧିକାଂଶ କୋଇଲା ବିଦ୍ୟୁତ୍‌ ଉତ୍ପାଦନକାରୀମାନଙ୍କ ପାଖକୁ ପଠାଯାଇଥିଲା। କିଛି ଦିନ ପରେ ସ୍ଥିତିରେ ସୁଧାର ଘଟିଥିଲା। କିନ୍ତୁ ସେହିଦିନଠାରୁ ଅଣ-ବିଦ୍ୟୁତ୍‌ କ୍ଷେତ୍ରର କଂପାନିଗୁଡ଼ିକ ଲାଗି କୋଇଲା ଯୋଗାଣରେ ଯେଉଁ ହ୍ରାସ କରାଯାଇଥିଲା ତାହା ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇନାହିଁ।

ସମ୍ବନ୍ଧିତ ଖବର