ମହାମାରୀ ମୁକାବିଲା ଲାଗି କଂପାନିଙ୍କ ୭୫୦ ଅଭିଯାନ: ଓଡ଼ିଶା ଭାଗରେ ୩୫

ସିଏସ୍‌ଆର୍‌ବକ୍ସ ରିପୋର୍ଟ

ଭୁବନେଶ୍ବର: କୋଭିଡ୍‌-୧୯ ମହାମାରୀ ଦ୍ବିତୀୟ ଲହର ମୁକାବିଲା ଲାଗି କର୍ପୋରେଟ୍ ଜଗତ ୧୬୦୦ କୋଟି ଟଙ୍କା ବ୍ୟୟ କରିଛି। କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ଅଭିଯାନଗୁଡ଼ିକ ଜରିଆରେ ଏହି ପାଣ୍ଠି ବିନିଯୋଗ କରାଯାଇଛି। ସାରା ଦେଶରେ ୩୫୦ରୁ ଅଧିକ କଂପାନି ଏଥିରେ ଅଂଶଗ୍ରହଣ କରିଥିଲେ। ସେମାନେ ‌ଦେଶରେ ୭୫୦ରୁ ଅଧିକ ଅଭିଯାନ ଆରମ୍ଭ କରିଥିଲେ। ସେଥିରୁ ଓଡ଼ିଶାରେ ୩୫ଟି ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା ବୋଲି ସିଏସ୍‌ଆର୍‌ବକ୍ସ ନାମକ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।

କୋଭିଡ୍ ମୁକାବିଲା ଲାଗି କଂପାନିଗୁଡ଼ିକ ନେଇଥିବା ପଦେକ୍ଷପଗୁଡ଼ିକ ମଧ୍ୟରୁ ୩୫% ଅଭିଯାନ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ କାର୍ଯ୍ୟକାରୀ କରାଯାଇଥିଲା। ସର୍ବାଧିକ ସଂଖ୍ୟକ ଅଭିଯାନ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ତାଲିକାରେ ତାମିଲନାଡୁ ପଛକୁ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୯୫ଟି ଅଭିଯାନ ଲାଗୁ କରାଯାଇଥିବା ବେଳେ କର୍ଣ୍ଣାଟକରେ ୬୪, ଗୁଜରାଟରେ ୫୫, ଉତ୍ତରପ୍ରଦେଶରେ ୪୮, ତାମିଲନାଡୁରେ ୪୦ ଓ ଓଡ଼ିଶାରେ ୩୫ଟି ଅଭିଯାନ ଲାଗୁ କରାଯାଇଥିଲା।

କର୍ପୋରେଟ୍ ଜଗତ ଦେଇଥିବା ସହାୟତାରେ ୨୦୦ ଅକ୍ସିଜେନ୍ ପ୍ଲାଣ୍ଟ୍‌/ରିଫିଲିଂ ସେଣ୍ଟର୍‌, ୧୦ ହଜାର ହସ୍ପିଟାଲ୍ ଶଯ୍ୟା, ୭୫ଟି ହସ୍ପିଟାଲ୍, ୩୫୦ ଭେଣ୍ଟ‌ିଲେଟର ଓ ୧,୪୦,୦୦୦ରୁ ଅଧିକ ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟରର ବ୍ୟବସ୍ଥା କରାଯାଇଥିଲା। କୋଭିଡ୍‌ ମୁକାବିଲା ଲାଗି ପଦକ୍ଷେପ ଗ୍ରହଣ କରିଥିବା କଂପାନିଗୁଡ଼ିକ ମଧ୍ୟରୁ ୭୫% ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ ଥିବା ବେଳେ ୨୦% ହେଉଛନ୍ତି ଘରୋଇ ସଂସ୍ଥା। ପିଏସ୍‌ୟୁ ସଂସ୍ଥାଗୁଡ଼ିକର ଅବଦାନ ୫% ରହିଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି। କଂପାନିଗୁଡ଼ିକ ଗ୍ରହଣ କରିବା ପଦକ୍ଷେପଗୁଡ଼ିକ ମୁଖ୍ୟତଃ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା, ଖାଦ୍ୟ ଓ ରାସନ କିଟ୍ ବଣ୍ଟନ କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ଦେବା, ସ୍ବାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ଲାଗି ସହାୟତା, ଗବେଷଣା ଓ ବିକାଶ ଏବଂ ନବସୃଜନ କାର୍ଯ୍ୟ, ମେଡିକାଲ୍ ଯୋଗାଣ ଓ ସହାୟତା ସାମଗ୍ରୀ ବଣ୍ଟନ କରିବା ଉପରେ ପର୍ଯ୍ୟବେସିତ ଥିଲା। ପିଏସ୍‌ୟୁ ସଂସ୍ଥା ଦେଇଥିବା ସହାୟତା ସମ୍ପୂର୍ଣ୍ଣ ରୂପେ କୋଭିଡ୍ ସଂକ୍ରମିତ ରୋଗୀଙ୍କ ମୁକାବିଲା ପାଇଁ ବ୍ୟବହାର ହୋଇଥିଲା। ଘରୋଇ ସଂସ୍ଥାଗୁଡ଼ିକର ୭୦% ରାଶି‌ ରୋଗୀ ସେବାରେ ବ୍ୟବହାର କରାଯାଇଥିଲା। ପ୍ରବାସୀ, ଦିବ୍ୟାଙ୍ଗ, ବାସହୀନ ଓ ସହରାଞ୍ଚଳ ବସ୍ତିରେ ବାସ କରୁଥିବା ଲୋକମାନଙ୍କ ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରଯା‌ଇନଥିଲା ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର