ନୂଆଦିଲ୍ଲୀ: ଆମେରିକାର ବିଦ୍ୟୁତ୍ କାର୍ ନିର୍ମାତା ଟେସ୍ଲା ଭାରତରେ ଏହାର କାର୍କୁ ଆମଦାନି ମାଧ୍ୟମରେ ଉପଲବ୍ଧ କରାଇବା କ୍ଷେତ୍ରରେ ଉଚ୍ଚ ଆମଦାନି ଶୁଳ୍କ ଏକ ବଡ଼ ପ୍ରତିବନ୍ଧକ ସାଜିଛି। ଏହା କହିଛନ୍ତି ଟେସ୍ଲାର ପ୍ରତିଷ୍ଠାତା ଏଲନ୍ ମସ୍କ। ଭାରତରେ ଆମଦାନି ଶୁଳ୍କ ହ୍ରାସ ପାଇଁ ଟେସ୍ଲା ଲବି ଚଳାଇଛି ବୋଲି ରିପୋର୍ଟ ଆସିବା ପରେ ଏକ ଟ୍ବିଟ୍ର ଉତ୍ତରରେ ମସ୍କ ଏଭଳି ଦାବି କରିଛନ୍ତି। ୟୁଟୁବର୍ ମଦନ ଗୌରୀ ଏକ ଟ୍ବିଟ୍ କରିଥିଲେ। ସେଥିରେ ସେ ଲେଖିଥିଲେ ଦୟାକରି ଭାରତରେ ଯେତେଶୀଘ୍ର ସମ୍ଭବ ଟେସ୍ଲା କାର୍ର ଉନ୍ମୋଚନ କରନ୍ତୁ। ଏହାର ଉତ୍ତର ମଧ୍ୟ ମସ୍କ ଟ୍ବିଟ୍ ମାଧ୍ୟମରେ ଦେଇଛନ୍ତି। ସେ ଲେଖିଛନ୍ତି ଭାରତରେ ଟେସ୍ଲାର ବଜାର ପ୍ରବେଶ ପାଇଁ ଆଗ୍ରହୀ ଅଛନ୍ତି। କିନ୍ତୁ ବୃହତ୍ ଦେଶଗୁଡ଼ିକ ମଧ୍ୟରେ ଭାରତର ଆମଦାନି ଶୁଳ୍କ ସର୍ବାଧିକ ବୋଲି ସେ କହିଛନ୍ତି। ଅଧିକନ୍ତୁ ସ୍ବଚ୍ଛ ଇନ୍ଧନରେ ଚାଲୁଥିବା ଯାନକୁ ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଯାନ ସହିତ ମଧ୍ୟ ସମାନ ଭାବେ ବିଚାର କରାଯାଉଛି, ଯାହାକି ଭାରତର ପରିବେଶ ସଂକ୍ରାନ୍ତ ଲକ୍ଷ୍ୟ ଦୃଷ୍ଟିରୁ ସଂଗତ ନୁହେଁ ବୋଲି ମସ୍କ କହିଛନ୍ତି। ଏହାପରେ ଅନ୍ୟଜଣେ ବ୍ୟକ୍ତି ଟ୍ବିଟ କରି ମସ୍କଙ୍କୁ ପଚାରିଥିଲେ ଭାରତରେ କମ୍ପାନି କାର୍ ଆସେମ୍ବ୍ଲ କରିବାରେ ଆଗକୁ ବଢ଼ିବ କି? ଏହାର ଉତ୍ତରରେ ମସ୍କ କହିଥିଲେ କମ୍ପାନି ଅତିକମ୍ରେ ଭାରତରେ ସାମୟିକ ଶୁଳ୍କ ରିହାତି ପାଇବା ଆଶା ରଖିଛି। ଯଦି ଟେସ୍ଲା ଯାନ ଆମଦାନି କ୍ଷେତ୍ରରେ ସଫଳତା ପାଏ ତା’ହେଲେ ଭାରତରେ କାରଖାନା ସ୍ଥାପନ ସମ୍ଭାବନା ରହିଛି।
ଉଲ୍ଲେଖଯୋଗ୍ୟ ଭାରତରେ ବିଦ୍ୟୁତ୍ ଯାନ ଉପରେ ଆମଦାନି ଶୁଳ୍କ ହ୍ରାସ ପାଇଁ ଟେସ୍ଲା ଏକ ଚିଠି କେନ୍ଦ୍ର ସରକାରଙ୍କୁ ଲେଖିଛି। ଏହି ରିପୋର୍ଟ ରଏଟର୍ସରେ ପ୍ରକାଶ ପାଇଛି। ଶୁଳ୍କ ହ୍ରାସ କରିଲେ ବିଦ୍ୟୁତ୍ ଯାନର ଚାହିଦା ଏବଂ ସରକାରଙ୍କ ରାଜସ୍ବ ବଢ଼ିବ ବୋଲି କୁହାଯାଇଛି। ତେବେ ନରେନ୍ଦ୍ର ମୋଦୀ ସରକାର ଭାରତରେ ନିର୍ମାଣକୁ ଗୁରୁତ୍ବ ଦେଉଛନ୍ତି। ତେଣୁ ଏଭଳି ସଫଳତା କମ୍ପାନି ହାସଲ କରିପାରିବ ନାହିଁ ଏବଂ ଭାରତରେ ଏହି ପ୍ରସ୍ତାବକୁ ବିରୋଧର ଆଶଙ୍କା ରହିଛି। ଅନ୍ୟ ବିଦେଶୀ ନିର୍ମାତା ମଧ୍ୟ ଅତୀତରେ ବିଳାସପୂର୍ଣ୍ଣ ଦାମୀ ଗାଡ଼ିର ଆମଦାନି ଶୁଳ୍କ ହ୍ରାସ ପାଇଁ ଦାବି କରି ସଫଳତା ପାଇପାରି ନାହାନ୍ତି। ଭାରତରେ ଚଳିତବର୍ଷ ଟେସ୍ଲା ଏହାର କାର୍ ବିକ୍ରି ଯୋଜନା ରଖିଛି। ତେବେ କେନ୍ଦ୍ର ସରକାର ଏବଂ ନିତି ଆୟୋଗକୁ କମ୍ପାନି ଯେଉଁ ଚିଠି ଲେଖିଛି ସେଥିରେ ବିଦ୍ୟୁତ ଯାନ ଉପରେ ଆମଦାନି ଶୁଳ୍କ ୪୦ ପ୍ରତିଶତକୁ କମାଇବା ପାଇଁ କହିଥିବା ଏକ ସୂତ୍ରରୁ ଜଣାଯାଇଛି। ବର୍ତ୍ତମାନ ୪୦ ହଜାର ଡଲାରରୁ କମ୍ ମୂଲ୍ୟର ଯାନ କ୍ଷେତ୍ରରେ ଆମଦାନି ଶୁଳ୍କ ୬୦ ପ୍ରତିଶତ ଥିବାବେଳେ ୪୦ ହଜାର ଡଲାରରୁ ଅଧିକ ମୂଲ୍ୟର ଯାନ କ୍ଷେତ୍ରରେ ୧୦୦ ପ୍ରତିଶତ ଆମଦାନି ଶୁଳ୍କ ଭାରତ ଆଦାୟ କରୁଛି। ତେବେ ଟେସ୍ଲାର ୱେବସାଇଟ ଅନୁଯାୟୀ ଭାରତରେ ଗୋଟିଏ ମଡେଲର ମୂଲ୍ୟ ୪୦ ହଜାର ଡଲାରରୁ କମ୍ ରହିଛି।
ଉଲ୍ଲେଖଯୋଗ୍ୟ ଯେ ଟେସ୍ଲା ଚଳିତବର୍ଷ ଜାନୁଆରିରେ ଭାରତରେ ଏକ କମ୍ପାନିର ପଞ୍ଜୀକରଣ କରିଛି। ଏଥିସହିତ ଭାରତରେ କର୍ମଚାରୀ ନିଯୁକ୍ତି ବଢ଼ାଇବା ସହିତ ସୋରୁମ୍ ପାଇଁ ସ୍ଥାନ ଖୋଜିବାରେ ଲାଗିଛି। ଗତ ମାର୍ଚ୍ଚରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଥିଲେ ଯେ ଯଦି କମ୍ପାନି ଭାରତରେ କାର ଉତ୍ପାଦନ କରେ ତା’ହେଲେ ତାହାର ମୂଲ୍ୟ ଯେଭଳି ଚୀନ ତୁଳନାରେ କମ୍ ରହିବ ତାହାକୁ ଭାରତ ସରକାର ନିଶ୍ଚିତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/tesla.jpg)