ପ୍ୟାକେଟ୍‌ରେ ଗୋଟିଏ ବିସ୍କୁଟ ନଥିବାରୁ ଲକ୍ଷେ ଟଙ୍କା ଗଣିବ କଂପାନି: କୋର୍ଟ ଖର୍ଚ୍ଚ ପାଇଁ ୧୦ ହଜାର ଦେବ

ନୂଆଦିଲ୍ଲୀ: ସାଧାରଣ ଜନତା କିଣୁଥିବା ବିସ୍କୁଟ ପ୍ୟାକେଟ୍‌ରେ ଥିବା ଗୋଟିଏ ବିସ୍କୁଟର ମୂଲ୍ୟ କେତେ ‌ହୋଇପାରେ। ଯଦି ତାହା ଲକ୍ଷେ ଟଙ୍କା କୁହାଯିବ ତେବେ କେହି ବିଶ୍ବାସ କରିବେ ନାହିଁ। ଗୋଟିଏ ବିସ୍କୁଟ ପାଇଁ ଆଇଟିସି ଫୁଡ୍‌ସ ଲିମିଟେଡ୍‌କୁ ଏକ ଲକ୍ଷ ଟଙ୍କା ଗଣିବାକୁ ପଡ଼ିଛି। ଜଣେ ଗ୍ରାହକଙ୍କୁ ଲକ୍ଷେ ଟଙ୍କା ଦେବା ଲାଗି କଂପାନିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାଟି ଘଟିଛି ତାମିଲନାଡ଼ୁରେ। ପି ଦିଲିବାବୁ ନାମକ ଜଣେ ବ୍ୟକ୍ତି ସନ୍‌ଫିଷ୍ଟ୍‌ ମାରି ଲାଇଟ୍‌ ବିସ୍କୁଟର ଗୋଟିଏ ପ୍ୟାକେଟ୍ କିଣିଥି‌ଲେ। ଭିତରେ ୧୬ଟି ବିସ୍କୁଟ ଥିବା ପ୍ୟାକେଟ୍‌ରେ ଲେଖାଯାଇଥିଲା। ମାତ୍ର ସେ ‌ତାହାକୁ ଖୋଲିବା ପରେ ସେଥିରେ ୧୫ଟି ବିସ୍କୁଟ ଥିଲା। ପ୍ୟାକେଟ୍‌ରେ ନଥିବା ସେହି ଗୋଟିଏ ବିସ୍କୁଟ ପାଇଁ କଂପାନିକୁ ଲକ୍ଷେ ଟଙ୍କା ଗଣିବାକୁ ପଡ଼ିଛି। କେବଳ ସେତିକି ନୁହେଁ କୋର୍ଟ ଖର୍ଚ୍ଚ ବାବଦରେ ଗ୍ରାହକ ଜଣଙ୍କୁ ଆଉ ୧୦ ହଜାର ଟଙ୍କା ଦେବାକୁ ମଧ୍ୟ କଂପାନିକୁ ତିରୁଭାଲୁରର ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଫୋରମ୍ ନିର୍ଦ୍ଦେଶ ଦେଇଛନ୍ତି।

ପ୍ୟାକେଟ୍‌ରେ ପ୍ରତିଶ୍ରୁତି ମୁକାବକ ୧୬ଟି ବିସ୍କୁଟ ନଥିବା ଜାଣିବା ପରେ କଂପାନି ଓ ବିସ୍କୁଟ ବିକ୍ରି କରିଥିବା ଷ୍ଟୋର୍‌ଠାରୁ ୧୦୦ କୋଟି ଟଙ୍କା ପାଇବା ଲାଗି ଦିଲିବାବୁ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି କୋର୍ଟରେ ଚାଲିଥିବା ବେଳେ ଆଇଟିସି ପକ୍ଷରୁ କୁହାଯାଇଥିଲା ଯେ ପ୍ୟାକେଟ୍‌କୁ ଓଜନ ହିସାବରେ ବିକ୍ରି କରାଯାଇଛି, ବିସ୍କୁଟ ସଂଖ୍ୟା ହିସାବରେ ନୁହେଁ। ଯେହେତୁ ପ୍ୟାକେଟ୍‌ରେ ସ୍ପଷ୍ଟ ଭା‌ବେ ୧୬ଟି ବିସ୍କୁଟ ଲେଖାଯାଇଛି ସେଥିପାଇଁ ସେହି ଯୁକ୍ତିକୁ କୋର୍ଟ ଗ୍ରହଣ କରିନଥିଲେ। ପ୍ୟାକେଟ୍‌ ଉପରେ ଥିବା ଲେଖା ଗ୍ରାହକମାନଙ୍କୁ ଆକର୍ଷିତ କରିଥାଏ। ତାହାକୁ କିଣିବା ବା ନକିଣିବା ନିଷ୍ପତ୍ତି ସେହି ଲେଖା ଆଧାରରେ ଗ୍ରାହକମା‌ନେ ନେଇଥାନ୍ତି। କଂପାନି ଗ୍ରାହକଙ୍କୁ ବିଭ୍ରାନ୍ତ କରିଛି ବୋଲି କୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର