ସାର୍ବଜନୀନ ହେବ କଂପାନିଙ୍କ ଋଣ ତଥ୍ୟ

ମୁମ୍ବାଇ: କେଉଁ କଂପାନି କେତୋଟି ବ୍ୟାଙ୍କରୁ କେତେ ଋଣ ନେଇଛି ସେହି ତଥ୍ୟ ସାର୍ବଜନୀନ ହେବ। କଂପାନିଗୁଡ଼ିକ ରେଟିଂ ପ୍ରଦାନ କରୁଥିବା କ୍ରେଡିଟ୍ ରେଟିଂ ଏଜେନ୍ସିଗୁଡ଼ିକ ଏହି ତଥ୍ୟ ଜାରି କରିବେ। ରେଟିଂ ଏଜେନ୍ସିଗୁଡ଼ିକ ଲାଗି ଋଣ ତଥ୍ୟ ସାର୍ବଜନୀନ କରିବା ବିଷୟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବାଧ୍ୟତାମୂଳକ କରିଛି। ଏହି ନିୟମ ଚଳିତ ମାସରୁ ଲାଗୁ ହୋଇଛି। ତେବେ ଏହା କିଛି ସଂସ୍ଥା ଲାଗି ଅଡ଼ୁଆ ସ୍ଥିତି ସୃଷ୍ଟି କରିଥିବା ଜଣାପଡ଼ିଛି। କିଛି ପୁରୁଣା ଏବଂ ବଡ଼ ସଂସ୍ଥା ନିଜର ଋଣ ତଥ୍ୟ ସାର୍ବଜନୀନ ହେଉ ବୋଲି ଚାହୁନାହାନ୍ତି। ଏହି ନିୟମକୁ କୋହଳ କରିବା ଲାଗି କିଛି କଂପାନି ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଥିବା ଜଣାପଡ଼ିଛି।

କ୍ରେଡିଟ୍‌ ରେଟିଂକୁ କଂପାନି ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମେସ୍ତ ଗମ୍ଭୀରତାର ସହ ନିଅନ୍ତି। କାରଣ ସଂସ୍ଥାର ଆର୍ଥିକ ସ୍ଥିତି କେତେ ଦୃଢ଼ ତାହା ସେଥିରୁ ଜଣାପଡ଼େ। ଯେଉଁ ସଂସ୍ଥାର ରେଟିଂ ଯେତେ ଭଲ ତାହାର ସେତେ ଦୃଢ଼ ବୋଲି ବିଚାର କରାଯାଏ। ନିବେଶକମାନେ କ୍ରେଡିଟ୍ ରେଟିଂ ଆଧାରରେ ପୁଞ୍ଜିନିବେଶ କରିବା ନିଷ୍ପତ୍ତି ନେଇଥାନ୍ତି। ମାତ୍ର ଅନେକ ସଂସ୍ଥାକୁ ରେଟିଂ ପ୍ରଦାନ କରିବା ବେଳେ କେତେକ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ‌ରେଟିଂ ଏଜେନ୍ସିଗୁଡ଼ିକ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ଲାଗି ସେମାନଙ୍କୁ କଂପାନିଗୁଡ଼ିକର ବ୍ୟାଙ୍କ ଋଣ ବିବରଣୀ ସାର୍ବଜନୀନ କରିବାକୁ କୁହାଯାଇଛି। ଏହି ତଥ୍ୟ ଜାରି ହେଲେ ଅଧିକ ଋଣ ଭାରରେ ବୁଡ଼ି ରହିଥିବା ସଂସ୍ଥାକୁ ସହଜରେ ବଜାରରୁ ଋଣ ମିଳିବ ନାହିଁ। ନି‌ବେଶକମାନେ ମଧ୍ୟ ଦୂରେଇ ଯିବାକୁ ଉଦ୍ୟମ କରିବେ। ସେଥିପାଇଁ କଂପାନିଗୁଡ଼ିକ ଋଣ ସାର୍ବଜନୀନ ନହେଉ ବୋଲି ଚାହୁଛନ୍ତି।
ରେଟିଂ ଏଜେନ୍ସିଗୁଡ଼ିକ ଯେଉଁ ସଂସ୍ଥା ପାଇଁ ରେଟିଂ ପ୍ରଦାନ କରୁଛନ୍ତି ତାହା କେଉଁ ବ୍ୟାଙ୍କରୁ କେତେ ଋଣ ନେଇଛି ତାହାର ବିବରଣୀ ଦେବା ଲାଗି ରିଜର୍ଭ ବ୍ୟାଙ୍କ କହିଛି। ସେଣ୍ଟ୍ରାଲ୍ ବ୍ୟାଙ୍କ ଠାରୁ ଏହି ନିର୍ଦେଶକୁ ଏଜେନ୍ସିଗୁଡ଼ିକ ଲାଗୁ କରିବା ଆରମ୍ଭ କରିଛନ୍ତି।

ତେବେ କିଛି ସଂସ୍ଥା ପାଇଁ ଏହି ନିର୍ଦେଶ ଅଡ଼ୁଆ ସ୍ଥିତି ସୃଷ୍ଟି କରିଥିବାରୁ ସେମାନେ ଏହି ନିର୍ଦେଶ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି। ସଂସ୍ଥାଗୁଡ଼ିକ କ୍ରେଡିଟ୍ ରେଟିଂ ଏଜେନ୍ସିଗୁଡ଼ିକ ଦେଉଥିବା ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିଥାଏ। ସେଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ କାହିଁକି ସାର୍ବଜନୀନ କରାଯିବ ବୋଲି କଂପାନିଗୁଡ଼ିକ ପ୍ରଶ୍ନ କରିଛନ୍ତି। କୌଣସି ସଂସ୍ଥାକୁ ରେଟିଂ ଦେବା ବେଳେ ତାହା ଉପରେ କେଉଁ ବ୍ୟାଙ୍କର କେତେ କୋଟି ଟଙ୍କା ବକେୟା ରହିଛି ତାହା ଘୋଷଣା କରିବାକୁ ଏଜେନ୍ସିଗୁଡ଼ିକୁ କୁହାଯାଇଛି। ଏହା ବ୍ୟତୀତ ଏକ ନିର୍ଦିଷ୍ଟ ସଂସ୍ଥାକୁ କାହିଁକି ସେହି ରେଟିଂ ଦିଆଗଲା ତାହା ବର୍ଣ୍ଣନା କରିବାକୁ ମଧ୍ୟ କୁହାଯାଇଛି।

ନୂଆ କ୍ଲାଏଣ୍ଟ୍‌ମାନଙ୍କ ଲାଗି ଏଜେନ୍ସିଗୁଡ଼ିକ ରିଜର୍ଭ ବ୍ୟାଙ୍କ ନିର୍ଦେଶକୁ ଲାଗୁ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। କିନ୍ତୁ କିଛି ପୁରୁଣା ସଂସ୍ଥା ଏଥିପ୍ରତି ଆପତ୍ତି ଉଠାଇଛନ୍ତି। ଅସହଯୋଗ କରୁଥିବା ସଂସ୍ଥାଗୁଡ଼ିକୁ ଏକ ସ୍ବତନ୍ତ୍ର ବର୍ଗରେ ରଖିବା ପୂର୍ବରୁ ସେବିଷୟରେ ରିଜର୍ଭ ବ୍ୟାଙ୍କ ସହ ଏଜେନ୍ସିଗୁଡ଼ିକ ଆଉ ଥରେ ଆଲୋଚନା କରିବାକୁ ଚାହୁଛନ୍ତି। ତେବେ ରିଜର୍ଭ ବ୍ୟାଙ୍କ ନିଜ ନିର୍ଦେଶରେ କୌଣସି ପ୍ରକାର ପରିବର୍ତ୍ତନ କରିବ ନାହିଁ ବୋଲି ଜଣାପଡ଼ିଛି। କାରଣ ବ୍ୟାଙ୍କ ଭିତ୍ତିକ ଋଣ ବିବରଣୀ ସାର୍ବଜନୀନ କରିବା ଲାଗି ବହୁ ବର୍ଷ ଧରି ଉଦ୍ୟମ କରାଯାଉଥିଲା। ଅନେକ ବିଚାର ବିମର୍ଶ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। କୌଣସି ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କ ଏହି ନିର୍ଦେଶକୁ ପ୍ରତ୍ୟାହାର କରିବ ନାହିଁ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର