ବିଏସ୍‌ଏନ୍‌ଏଲ୍‌ ଦୁଃସ୍ଥିତି ପାଇଁ କଂଗ୍ରେସ ଦାୟୀ: ନିର୍ମଳା

କଂପାନିକୁ ମୃତ୍ୟୁମୁଖକୁ ଟାଣିଆଣିଥିଲା କଂଗ୍ରେସ, ଏନ୍‌ଡିଏ ସରକାର ପାଣ୍ଠି ଦେଇ ସ୍ଥିତି ସୁଧାରିଛନ୍ତି

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଦୁଃସ୍ଥିତି ପାଇଁ ପୂର୍ବର କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ସେ କହିଛନ୍ତି ଯେ କଂଗ୍ରେସ ଅମଳରେ ବିଏସ୍‌ଏନ୍‌ଏଲ୍‌ ପ୍ରାୟ ମୃତ୍ୟୁମୁଖରେ ପହଞ୍ଚିଯାଇଥିଲା। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର କଂପାନିକୁ ୪ଜି ସ୍ପେକ୍ଟ୍ରମ୍ କିଣିବା ପାଇଁ ପାଣ୍ଠି ଦେଲେ ଓ ତାହାକୁ ପ୍ରତିଯୋଗିତାରେ ତିଷ୍ଠି ରହିବା ଭଳି ସ୍ଥିତିକୁ ଆଣିଛନ୍ତି।

ଆଜି ଲୋକସଭାରେ ଶିବ ସେନା ସଦସ୍ୟ ଅରବିନ୍ଦ ସାୱନ୍ତ ଅଭିଯୋଗ କରିଥିଲେ ଯେ ସରକାର ବିଏସଏନ୍‌ଏଲ୍‌ ଓ ଏମ୍‌ଟିଏନ୍ଏଲ୍‌ ଭଳି ସରକାରୀ ଟେଲିକମ୍ କଂପାନିକୁ ନଷ୍ଟ କରୁଥିବା ବେଳେ ଭୋଡାଫୋନ୍ ଭଳି ଘରୋଇ କଂପାନିକୁ ସହାୟତା ଦେଉଛନ୍ତି। ତାଙ୍କ ଅଭିଯୋଗର ଉତ୍ତର ଦେଇ ନିର୍ମଳା କହିଛନ୍ତି ଯେ ପୂର୍ବର କଂଗ୍ରେସ ସରକାରଙ୍କ ପାଇଁ ବିଏସ୍‌ଏନ୍‌ଏଲ୍‌ ୧୦ ବର୍ଷ ହରାଇଛି। କଂଗ୍ରେସ ଅମଳରେ ୨ଜିରେ ସବୁ ପ୍ରକାର ଦୁର୍ନୀତି ହୋଇଥିଲା। ସେଥିପାଇଁ ବିଏସ୍‌ଏନ୍‌ଏଲ୍‌ ପଛରେ ପଡ଼ିଯାଇଥିଲା। ଆମ ପାଇଁ ବିଏସ୍‌ଏନ୍‌ଏଲ୍‌ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତି। ୪ଜି ସ୍ପେକ୍ଟ୍ରମ କିଣିବା ଲାଗି ଆମେ କଂପାନିକୁ ପାଣ୍ଠି ଦେଇଛୁ ବୋଲି ନିର୍ମଳା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ୨୦୧୪ରେ ଶାସନ ଭାର ଗ୍ରହଣ କରିବା ବେଳେ ବିଏସ୍‌ଏନ୍‌ଏଲ୍‌ ଅତ୍ୟନ୍ତ ଖରାପ ସ୍ଥିତିରେ ଥିଲା। ଏହା କର୍ମଚାରୀଙ୍କୁ ବେତନ ଦେଇପାରୁନଥିଲା। ଏନ୍‌ଡିଏ ସରକାର ପାଣ୍ଠି ଦେବା ପରେ କଂପାନି ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍‌ଏସ୍‌) ଆଣିଥିଲା ଏବଂ କର୍ମଚାରୀମାନଙ୍କ ପ୍ରାପ୍ୟ ଦେବାରେ ସଫଳ ହୋଇଥିଲା ବୋଲି ନିର୍ମଳା କହିଛନ୍ତି।

ସମ୍ବନ୍ଧିତ ଖବର